ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ ଗସ୍ତରେ ଦିଲ୍ଲୀ ଆସୁଛନ୍ତି। ସାରା ବିଶ୍ୱ ତାଙ୍କର ବହୁ ପ୍ରତୀକ୍ଷିତ ଗସ୍ତ ଉପରେ ନଜର ରଖିଛି। ଦିଲ୍ଲୀରେ ମଧ୍ୟ ପ୍ରବଳ ଉତ୍ତେଜନା ଦେଖାଯାଉଛି। ଏହି ସମୟରେ, ପୁଟିନଙ୍କ ଦିଲ୍ଲୀ ପହଞ୍ଚିବା ପୂର୍ବରୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସରକାର ଚାହୁଁନାହିଁ ଯେ ବିରୋଧୀ ସଦସ୍ୟମାନେ ବିଦେଶୀ ପ୍ରତିନିଧିଙ୍କ ସହ ସାକ୍ଷାତ କରନ୍ତୁ। ସେ ଏହା ମଧ୍ୟ କହିଛନ୍ତି ଯେ ବିରୋଧୀ ଦଳ ମଧ୍ୟ ଦେଶର ପ୍ରତିନିଧିତ୍ୱ କରନ୍ତି ।
ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବାର ସମ୍ଭାବନା ଉପରେ ରାହୁଲ ଗାନ୍ଧୀ ସଂସଦ ପରିସର ବାହାରେ କହିଥିଲେ, ‘ଯେଉଁମାନେ ବାହାରୁ ଆସନ୍ତି, ସେମାନେ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ କରନ୍ତି, ଏବଂ ଏହା ଦେଶର ପରମ୍ପରା ହୋଇଆସିଛି, କିନ୍ତୁ ଆଜିକାଲି ଏପରି ହେଉଛି ଯେ ଯେତେବେଳେ ବିଦେଶୀ ବିଶିଷ୍ଟ ବ୍ୟକ୍ତିମାନେ ଏଠାକୁ ଆସୁଛନ୍ତି ଆମକୁ ଭେଟିବାକୁ ଦିଆଯାଉନାହିଁ । ଏହା ହେଉଛି ଏ ସରକାରର ନୂଆ ରାଜନୀତି । ବିଦେଶୀ ନେତାଙ୍କ ସହ ଦେଶ ଆଗକୁ ନେବାର ବିଷୟରେ ଆଲୋଚନା କରିବାର ଅଧିକାର ଆମର ଅଛି । କିନ୍ତୁ ଆମଠୁ ଆମର ଅଧିକାର ଛଡ଼େଇ ନିଆଯାଉଛି’ । ଏପରି କିଛି କହି ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ ।
ସେ ଆହୁରି କହିଛନ୍ତି, ‘ସେମାନେ ସବୁବେଳେ ଏହା କରନ୍ତି। ଆମର ସମସ୍ତଙ୍କ ସହିତ ସମ୍ପର୍କ ଅଛି। ଆମେ ଦେଶକୁ ମଧ୍ୟ ପ୍ରତିନିଧିତ୍ୱ କରୁ; ଏହା କେବଳ ସରକାରର ଏକା କାମ ନୁହେଁ। ସରକାର ଚାହୁଁନାହିଁ ଯେ ବିରୋଧୀ ସଦସ୍ୟମାନେ ବାହାର ଲୋକଙ୍କ ସହିତ ସାକ୍ଷାତ କରନ୍ତୁ।’ବିରୋଧୀ ଦଳ ନେତାଙ୍କ ବିଦେଶୀ ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ସମ୍ପର୍କରେ ଉଲ୍ଲେଖ କରି ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାରଙ୍କ ସାଧାରଣ ନୀତି ହେଉଛି ସେ ବିରୋଧୀ ଦଳ ନେତାଙ୍କ ସହ ବିଦେଶରୁ ଆସୁଥିବା ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ କରାଇବା । ପୂର୍ବରୁ ମଧ୍ୟ ବିରୋଧୀ ଦଳ ନେତାଙ୍କ ସହ ସାକ୍ଷାତ ସ୍ଥିର କରାଯାଇଥିଲା। ଏହି ପରମ୍ପରା ଅଟଳ ବିହାରୀ ବାଜପେୟୀ ଏବଂ ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ପ୍ରଚଳିତ ଥିଲା। କିନ୍ତୁ ଏବେ କ’ଣ ହେଉଛି? ସରକାର ବିରୋଧୀ ଦଳ ନେତାଙ୍କୁ ନ ଭେଟିବାକୁ ପରାମର୍ଶ ଦେଉଛନ୍ତି। ଏ ସରକାର ସବୁ ଆଇନକୁ ଉଲଙ୍ଘନ କରିଆସୁଛି । ଏପରି କିଛି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ରାହୁଲ ଗାନ୍ଧୀ ।