Latest Odisha News

ରୁଷିଆ-ୟୁକ୍ରେନ ଯୁଦ୍ଧ ଭିତରେ ଆସିଲା ଖୁସି ଖବର, ଜାଣନ୍ତୁ କ’ଣ ହେଲା

ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଭୟଙ୍କର ଯୁଦ୍ଧ ଭିତରେ ଆଶାର ଆଲୋକ ସଂଞ୍ଚାର ହୋଇଛି । ୨୦୨୪ର ଶେଷ ଦିନରେ ଆସିଛି ଖୁସିର ଖବର । ଦୀର୍ଘ ଦିନ ଧରି ଯୁଦ୍ଧ ବନ୍ଦୀ ଥିବା ୩୦୦ରୁ ଅଧିକ ନାଗରିକ ହୋଇଛନ୍ତି ମୁକ୍ତ । ଏହି ଯୁଦ୍ଧ ବନ୍ଦୀମାନଙ୍କୁ ମୁକୁଳାଇବାରେ ୟୁଏଇ ସାଜିଥିଲା ମଧ୍ୟସ୍ଥି । ରୁଷିଆ ବନ୍ଦୀ କରିଥିବା ୟୁକ୍ରେନର ସୈନିକ ଓ କିଛି ନାଗରିକଙ୍କୁ ମୁକ୍ତ କରିଥିବା ବେଳେ ୟୁକ୍ରେନ ବନ୍ଦୀ କରି ରଖିଥିବା ରୁଷିଆର ସୈନିକ ଓ ନାଗରିକଙ୍କୁ ମୁକ୍ତ କରିଛି । ଯେଉଁଠି ପ୍ରତି କ୍ଷଣରେ ଥିଲା ମୃତ୍ୟୁର ଭୟ, ସେଠାରୁ ଫେରିବାର ଆଶା ଥିଲା ସ୍ବପ୍ନ । ସେଭଳି ସ୍ଥାନରୁ ମୁକୁଳି ନୂଆ ଜୀବନ ପାଇଛନ୍ତି ବନ୍ଦୀ ଥିବା ୩୦୦ରୁ ଅଧିକ ନାଗରିକ । ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି, ଦୁଇଜଣ ସାଧାରଣ ନାଗରିକଙ୍କ ସହ ସାମରିକ କର୍ମଚାରୀ, ସୀମା ସୁରକ୍ଷା କର୍ମୀଙ୍କ ସମେତ ୧୮୯ ଜଣ ବନ୍ଦୀଙ୍କୁ ରୁଷିଆ ମୁକ୍ତ କରିଛି । ଆଉ ଏହି ବିନିମୟ ବୁଝାମଣା କରିବାରେ ସହାୟତା କରିଥିବା ୟୁଏଇକୁ ଧନ୍ୟବାଦ ଦେଇଛନ୍ତି ଜେଲେନସ୍କି । ସେପଟେ ରୁଷିଆ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି, ୟୁକ୍ରେନରେ ଯୁଦ୍ଧ ବନ୍ଦୀ ଥିବା ୧୫୦ ଜଣ ସେନା କର୍ମଚାରୀ ଓ ନାଗରିକ ମୁକ୍ତ ହୋଇ ରୁଷିଆକୁ ଫେରିଛନ୍ତି ।

ଦୀର୍ଘ ଦିନ ଧରି ଯୁଦ୍ଧ ବନ୍ଦୀ ଥିବା ୩୦୦ ନଗରିକ ମୁକ୍ତି ତ ପାଇଗରେ ହେଲେ ଯୁଦ୍ଧ ଥମିନି । ଗୋଟିଏ ପଟେ ଯୁଦ୍ଧ ଅନ୍ୟପଟେ ବନ୍ଦୀ ହେଉଥିଲେ ମୁକ୍ତ । ଆକାଶମାର୍ଗରୁ ରୁଷିଆ ଜାରି ରଖିଛି ମିସାଇଲ ମାଡ଼ । ୟୁକ୍ରେନର ଡୋନସ୍କ ଅଞ୍ଚଳରେ ଥିବା ନୋଭୋଲେନିକୁ ନିଜ କବ୍‌ଜାକୁ ନେଇଛି ରୁଷିଆ । ୟୁକ୍ରେନ କହିଛି, ଦେଶର ୬ଟି ଅଞ୍ଚଳକୁ ଟାର୍ଗେଟ କରି ରୁଷିଆ ଆକ୍ରମଣ ଜାରି ରଖିଛି । ସୋମବାର ରାତିରେ ରୁଷିଆର ୪୧ଟି ଡ୍ରୋନ ଯୋଗେ ଆକ୍ରମଣ କରିଥିବା ବେଳେ ସେଥିରୁ ୨୧ଟିକୁ ଖସାଇ ଦେବାରେ ଏୟାର ଡିଫେନ୍ସ ସିଷ୍ଟମ ସଫଳ ହୋଇଛି ।

ସେପଟେ ୟୁକ୍ରେନକୁ ସୁରକ୍ଷା ସହୟତା ପ୍ରଦାନ କରିଛି ଆମେରିକା । ସୋମବାର ୟୁକ୍ରେନକୁ ଆମେରିକା ୨.୫ ବିଲିଅନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିଛି । ଏଥିସହ ୟୁକ୍ରେନରେ ଥିବା ଆମେରିକାର ଯୁଦ୍ଧାସ୍ତ୍ର ବ୍ୟବହାର କରିବାକୁ ପେଣ୍ଟାଗନ ଅନୁମତି ଦେଇଛି । ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ହଜାରେ ଦିନ ପାର୍‌ ହେଲାଣି । ଏଥିରେ ଉଭୟ ପକ୍ଷରୁ ଲକ୍ଷ ଲକ୍ଷ ସେନାଙ୍କ ମୃତ୍ୟୁ ହୋଇଥିବା ବେଳେ ରୁଷିଆର ଘନ ଘନ ମିସାଇଲ ଆଟାକ୍‌ରେ ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଧ୍ବସ୍ତ ବିଧ୍ବସ୍ତ ହୋଇଯାଇଛି । ୟୁକ୍ରେନର ରାଜଧାନୀ କିଭ୍‌ ବି ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି । ଡୋନାସ୍କ, ଜାପୋରିଝିଆ, ଲୋହାନ୍ସ, ଓଡେଶା ସମେତ ବହୁ ସହର ଧ୍ବଂସସ୍ତୂପରେ ପରିଣତ ହୋଇଛି । ଏହାରି ଭିତରେ ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିଛନ୍ତି, ଖୁବଶୀଘ୍ର ବନ୍ଦ ହେବ ଯୁଦ୍ଧ ।
*

Comments are closed.