Latest Odisha News

ବଡ଼ଦେଉଳକୁ ସପ୍ତପୁରୀ ତାଡ଼ ବିଜେ

ପୁରୀ: ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ଅବସରରେ ମଙ୍ଗଳବାର ଶ୍ରୀମନ୍ଦିରର ସ୍ଵତ୍ତ୍ୱଲିପି ଅନୁଯାୟୀ ଅଠରନଳା ସ୍ଥିତ ମା ଆଲାମଚଣ୍ଡୀ ମନ୍ଦିରରୁ ଶ୍ରୀମନ୍ଦିରକୁ ସପ୍ତପୁରୀ ଅମାବାସ୍ୟା ତାଡ଼ ବିଜେ ହୋଇଯାଇଛି । ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ମଧ୍ୟାହ୍ନ ଧୂପ ସରିବା ପରେ ଶ୍ରୀମନ୍ଦିରରୁ ଘଣ୍ଟ ଛତା କାହାଳୀ ଅଠରନଳା ସ୍ଥିତ ଆଲାମଚଣ୍ଡୀ ମନ୍ଦିରକୁ ଯାଇଥିଲେ । ସେଠାରେ ପୂର୍ବରୁ କୁମ୍ଭକାର ସେବକଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଚାରିଗୋଟି ତାଡ଼ ମାଙ୍କ ନିକଟରେ ରଖାଯାଇଥାଇଥିଲା ।

ମା ଆଲାମଚଣ୍ଡୀ ଙ୍କୁ ଶୀତଳଭୋଗ ମଣୋହୀ କରାଯିବା ପରେ କୁମ୍ଭକାର ସେବକ ମାନେ ମାଙ୍କ ନିକଟରେ ଥିବା ଚାରିଗୋଟି ତାଡ଼କୁ ବନ୍ଦାପନା କରିଥିଲେ । ବନ୍ଦାପନା ସମ୍ପନ୍ନ ହେବା ଉତାରେ ବିଜେ କାହାଳୀ ବାଜି ତାଡ଼ ଗୁଡିକ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା । ବଡ଼ଠାକୁର ବଳଭଦ୍ର , ମା ସୁଭଦ୍ରା ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ନିମନ୍ତେ ଗୋଟିଏ ଲେଖାଏଁ ତାଡ଼ ସହ ଗୋଟିଏ ଅତିରିକ୍ତ ତାଡ଼ ଶ୍ରୀମନ୍ଦିରକୁ ବିଜେ ହୋଇଥିଲା । କୁମ୍ଭକାର ସେବକ ମାନେ ମୁହଁରେ ବାଘତୁଣ୍ଡି ଭିଡି ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିରକୁ ଯାଇଥିଲେ ।

ତାଡ଼ ଗୁଡିକୁ ନେଇ ଶ୍ରୀମନ୍ଦିର ବେଢାରେ ଏକ ଘେରା ବୁଲା ଯାଇ ଶ୍ରୀମନ୍ଦିର ପରିସରରେ ରଖା ଯାଇଥିଲା । ପରେ ଶ୍ରୀଜୀଉଙ୍କ ଅନ୍ୟାନ୍ୟ ନୀତି ବଢି ସନ୍ଦ୍ୟାଧୂପ ସମ୍ପର୍ଣ୍ଣ ହେବା ଉତାରେ ପୂଜାପଣ୍ଡା ସାଆନ୍ତ ରତ୍ନସିଂହାସନ ଉପରକୁ ଉଠି ମହାପ୍ରଭୁଙ୍କ ଅଧର ଚୁମ୍ବିତ ଆଜ୍ଞାମାଳକୁ ନେଇ ଘଣ୍ଟ ଛତା ,କାହାଳୀ ସହ ଶ୍ରୀ ମନ୍ଦିର ଦକ୍ଷିଣରେ ଦିଗରେ ଅଵସ୍ଥାନ କରୁଥିବା ମା ଦକ୍ଷିଣ କାଳୀ ମନ୍ଦିରକୁ ବିଜେ କରିଥିଲେ । ମାଙ୍କୁ ଆଜ୍ଞାମାଳ ପ୍ରଦାନ କରାଯାଇ ଶୀତଳ ଭୋଗ ମଣୋହି କରାଯାଇଥିଲା । ଭୋଗ ସମ୍ପନ୍ନ ହେବା ପରେ ମା ଙ୍କ ସେବକ ମାଙ୍କ ଠାରୁ ଏକ ମାଳ ଆଣି ଶ୍ରୀମନ୍ଦିର ରୋଷଘରେ ପ୍ରଦାନ କରିଥିଲେ ।

ମା ଦକ୍ଷିଣ କାଳୀଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର ରୋଷଘରେ ପହଁଚିବା ପରେ ବୁଧବାର ଅମାବାସ୍ୟା ରେ ମହାପ୍ରଭୁଙ୍କ ସପ୍ତପୁରୀ ନୀତି ନିମନ୍ତେ ପିଠା ଓ ପୁର ପ୍ରସ୍ତୁତ ଆରମ୍ଭ ହୋଇଥିଲା ।

ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ସକାଳ ଧୂପ ସମ୍ପନ୍ନ ହେବା ପରେ ମା ଆଲାମଚଣ୍ଡୀ ମନ୍ଦିରରୁ ଆସିଥିବା ତାଡ଼ ଗୁଡିକରେ ମହାପ୍ରଭୁଙ୍କ ନିକଟରେ ସପ୍ତପୁରୀ ପିଠା ମଣୋହୀ କରାଯିବାର ବିଧି ରହିଛି ।

Comments are closed.