ସୃଷ୍ଟିର ଆରମ୍ଭ ଆମ ମହିଳାଙ୍କୁ ନେଇ । ମହିଳା ଯଦି ନ ରହିବେ ତା’ହେଲେ ସଂସାର ଛାରଖାର, ଏକଥା ସମସ୍ତେ ହୃଦୟଙ୍ଗମ କରିଛନ୍ତି । ହେଲେ ବି ଆଜି ଆମେ କେଉଁଠି ନା କେଉଁଠି ମହିଳାମାନଙ୍କ ଅଭାବ ଦେଖୁଛେ । ସବୁ କ୍ଷେତ୍ରରେ ଆମେ ଯେତେ ସଶକ୍ତ ମହିଳାଙ୍କୁ କରୁଛେ ବୋଲି ଯେତେ ଉଦାହରଣ ଭାଷଣବାଜିରେ ଦେଲେ ମଧ୍ୟ କିନ୍ତୁ ସବୁ କ୍ଷେତ୍ରରେ ଆମେ କ’ଣ ସେମାନଙ୍କୁ ଉଚିତ୍ ସମ୍ମାନ ଦେଇପାରୁଛେ ? ଉତ୍ତର ହେଉଛି ଜମା ନୁହେଁ ।
ସବୁ କ୍ଷେତ୍ରରେ ମହିଳା ଆଗଭର ଯେତେ ହେଉଥିଲେ ମଧ୍ୟ ଆମ ପୁରୁଷ ପ୍ରାଧାନ୍ୟ ସମାଜ ତାକୁ ଚାପି ଦେବାରେ ବ୍ୟସ୍ତ । ଅହରହ ଖାଲି ମିଛ ପ୍ରୟାସ ଚାଲିଛି କ’ଣ ନା ଆମେ ମହିଳାଙ୍କୁ ସଶକ୍ତୀକରଣ କରୁଛୁ । ଏଇଠି ସମସ୍ତଙ୍କୁ ମନେ ରଖିବାକୁ ପଡ଼ିବ ଯେ ମହିଳା ସଶକ୍ତୀକରଣ ଶବ୍ଦଟା ଗୋଟିଏ ଟନିକ୍ କିମ୍ବା ଭିଟାମିନ୍ କ୍ୟାପ୍ସୁଲ୍ ନୁହଁ ଯେ ଆମେ ତାକୁ ପିଇବାକୁ କିମ୍ବା ମହିଳାଙ୍କୁ ଖାଇବାକୁ ଦେଇଦେଲେ ମହିଳାମାନେ ସଶକ୍ତ ହୋଇଉଠିବେ । ମହିଳା ତ ମୂଳରୁ ସଶକ୍ତ ସେମାନଙ୍କୁ ଲୋଡା କେବଳ ସବୁ କ୍ଷେତ୍ରରେ ଶ୍ରଦ୍ଧା ଓ ସମ୍ମାନ । ଯାହାକି ଘୋର ଅଭାବ ପରିଲକ୍ଷିତ ହେଉଛି ଆମର ଆଜିର ସମାଜରେ । ସବୁ କ୍ଷେତ୍ର ଛାଡ଼ିଦେଇ ଆମେ ଆଜି କେବଳ ଆଲୋଚନା କରିବା ଆମ ଓଡ଼ିଶା ରାଜନୀତିରେ ମହିଳାମାନଙ୍କ ସ୍ଥିତି କଥା ।
ବର୍ତ୍ତମାନର ସ୍ଥିତି ମହିଳାମାନଙ୍କର ଆମ ରାଜ୍ୟ ରାଜନୀତିରେ ଦେଖିବାକୁ ଗଲେ ମହିଳାମାନଙ୍କର ଅଭାବ ନା ସେମାନଙ୍କୁ ଅବହେଳା କରାଯାଏ ସେଇଟା ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ । କଥା କହିବା ଶୈଳୀ, ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତି ଓ ବୁଦ୍ଧିର ପରିଚୟ ଦେଇ ଅନେକ ମହିଳା ନେତ୍ରୀ ନିଜକୁ ଦକ୍ଷ ପ୍ରମାଣ କରିଛନ୍ତି । ତଥାପି କାହିଁକି ଲାଗେ ଯେ ସଂରକ୍ଷଣର ଦ୍ୱାହି ଦେଇ ଏଇ ପୁରୁଷ ପ୍ରଧାନ୍ୟ ସମାଜ ଅନେକ କଥାରେ ଅବିଚାର କରୁଛି ରାଜନୀତିରେ ମହିଳାମାନଙ୍କ ଭାଗିଦାରିତାକୁ । ୨୦୧୬ରେ ‘କୋର୍ନ ଫେରି ହୋ’ ଗ୍ରୁପ୍ ଗୋଟିଏ ସର୍ଭେ କରିଥିଲା । ସେହି ସର୍ଭେର ତଥ୍ୟ ଥିଲା ଯେ ମହିଳାଙ୍କର ରାଜନୀତିରେ ବେଶୀ ଧୈର୍ଯ୍ୟଥାଏ, ଯାହାକି ପୁରୁଷମାନଙ୍କ ଅପେକ୍ଷା ବହୁତ ଅଧିକ । ଆମ ଓଡ଼ିଶାର ୨୧ ଲୋକସଭା ଆସନରୁ ମାତ୍ର ୫ଟିରୁ ପ୍ରତିନିଧିତ୍ୱ କରୁଛନ୍ତି ମହିଳା ପ୍ରତିନିଧି । ସେହିଭଳି ବିଧାନସଭାର ୧୪୭ଟି ଆସନରୁ ମାତ୍ର ୧୫ଟିରେ ମହିଳାମାନେ ପ୍ରତିନିଧିତ୍ୱ କରୁଛନ୍ତି । ମନରେ ପ୍ରଶ୍ନଉଠେ ସଶକ୍ତିକରଣର ଏତେ ଭାଷଣ ଆଉ ତଥ୍ୟ ପରେ ମଧ୍ୟ ଏତେ କମ୍ ଭାଗିଦାରିତା ମହିଳାମାନଙ୍କର ରାଜନୀତି କ୍ଷେତ୍ରରେ କାହିଁକି ? ପଞ୍ଚାୟତ ସ୍ତରରେ ୫୦ ପ୍ରତିଶତ ମହିଳା ସଂରକ୍ଷଣ ଥିଲେ ମଧ୍ୟ ଆଜି ବି ସ୍ୱାମୀ ସରପଞ୍ଚମାନଙ୍କର ଦର୍ଶନ ସବୁ ଯାଗାରେ ଦେଖାଯାଇଥାଏ । ମହିଳାଟିଏ ପ୍ରତିଦ୍ୱନ୍ଦ୍ୱିତା କରି ଜିତି ସରପଞ୍ଚ ହୋଇଥିଲେ ମଧ୍ୟ ମହିଳାଟି ଘରେ ରହି ଛୁଆ ପିଲାଙ୍କ କଥା ଓ ଶାଶୁ, ଶ୍ୱଶୁରଙ୍କ କଥା ବୁଝେ । ଆଉ ବାହାରେ ସ୍ୱାମୀ ସରପଞ୍ଚ ଜଣଙ୍କ ସବୁ କାର୍ଯ୍ୟର ମୂଳଦୁଆ ପକେଇଥାଆନ୍ତି । ଏଇଠି ଲାଗେ ସତରେ ମହିଳାଙ୍କ ନେତୃତ୍ୱର ଅଭାବ ନା ମହିଳାଙ୍କ ନେତୃତ୍ୱକୁ ଅବହେଳା କରାଯାଏ ।
୧୪୭ଟି ଆସନରୁ ୧୦ଟି ଜିଲ୍ଲାର ୧୫ଜଣ ବିଧାୟିକା ସମସ୍ତେ ସଶକ୍ତ କିନ୍ତୁ କୌଣସି ଗୋଟିଏ ଆଲୋଚନାର ନୀତି ନିର୍ଦ୍ଧାରକ ସ୍ଥାନରେ ଏମାନଙ୍କୁ ବସିବାକୁ ଅନୁମତି ଦିଆଯାଏ ନାହିଁ । ମହିଳା ସାଂସଦ ଅବସ୍ଥା ମଧ୍ୟ ସେହିଭଳି । ଖାଲି ଜିତାଇଦେଲେ ହେବନାହିଁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗର ମଧ୍ୟ ହାତ ବଢେଇବା ଦରକାର । ନିର୍ବାଚନ ପୂର୍ବରୁ ବହୁତ ଆଲୋଚନା ଓ ପର୍ଯ୍ୟାଲୋଚନା ହୁଏ । ସବୁ ଦଳରେ ମହିଳାଙ୍କ ମୁହଁ ଖୋଜାଯାଏ । ବହୁତ ଦଳଙ୍କର ମଧ୍ୟ ଆଲୋଚନା ହୁଏ ଯେ ଆମ ପାଖରେ ରାଜନୀତି ପ୍ରତି ଇଚ୍ଛା ଥିବା ମହିଳାଙ୍କର ବହୁତ ଅଭାବ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ମହିଳାଟିଏ ଯଦି କେଉଁ ଜାଗାରୁ ପ୍ରତିଦ୍ୱନ୍ଦ୍ୱିତା କରିଥାଏ ତାହେଲେ ସେଇ ଜାଗାରୁ ସେଇ ମହିଳାଙ୍କୁ ପରାଜିତ କରେଇବା ପାଇଁ ଦଳର ତୁଙ୍ଗ ନେତାମାନେ ମଧ୍ୟ ଲାଗିପଡ଼ିଥାନ୍ତି । ଯାହାର ବହୁତ ଗୁଡ଼େ ଉଦାହରଣ ଆମେ ମଧ୍ୟ ଆଗରୁ ଦେଖିସାରିଛେ । ପୁରୁଷ ବିଧାୟକଟିଏ ଯେତିକି କାମ କରିପାରୁଛି ମହିଳା ବିଧାୟିକାଟି ମଧ୍ୟ ସେତିକି କାମ କରିପାରୁଛି । ତା’ହେଲେ ସବୁବେଳେ ନିର୍ବାଚନ ପୂର୍ବରୁ ଟିକେଟ୍ ଦେଲାବେଳେ ଏତେ ପାତର ଅନ୍ତର କାହିଁକି ଥାଏ । ମହିଳାଟି ଯଦି ଟିକେଟ୍ ନେଇ ନିର୍ବାଚନରେ ଅବତୀର୍ଣ୍ଣ ହୁଏ ତା’ହେଲେ ତାକୁ କାହିଁକି ପ୍ରଥମେ ନିଜ ଦଳର ଲୋକଙ୍କ ସାଙ୍ଗରେ ଲଢିବାକୁ ପଡ଼େ ? ବଡ଼ ପ୍ରଶ୍ନ ଅନେକଙ୍କ ମନରେ ।
ଏବେ ଯଦି ବିଧାନସଭାର କଥା କହିବା ତା’ହେଲେ ୧୦.୨ ପ୍ରତିଶତ ମହିଳା ଆମ ରାଜ୍ୟରେ ପ୍ରତିନିଧିତ୍ୱ କରୁଛନ୍ତି, ଯାହାକି ଅତ୍ୟନ୍ତ ଗୌଣ ସବୁ ରାଜନୈତିକ ଦଳର ଏଥିପ୍ରତି ଦୃଷ୍ଟିଦେବା ନିହାତି ଦରକାର । ମହିଳାମାନଙ୍କର ଥଇଥାନ କମିଶନ ଆଉ ଏବେ ଲୋଡ଼ା ନାହିଁ । ପ୍ରତ୍ୟକ୍ଷ ଭାବରେ ରାଜନୀତିରେ ଭାଗିଦାରିତା ହେଉଛି ସେମାନଙ୍କର ଗୋଟିଏ ଅଧିକାର । ମହିଳାମାନଙ୍କୁ ରାଜନୀତିରେ ଅଗ୍ରାଧିକାର ଯଦି ଦିଆଯାଏ ତା’ହେଲେ ଉନ୍ନତ ରାଜ୍ୟର ପରିକଳ୍ପନା ମଧ୍ୟ ସୁନିଶ୍ଚିତ । ଆମର ରାଜ୍ୟର ସବୁ ରାଜନୈତିକ ଦଳର ଏବେ ଗୋଟିଏ ଗୁରୁଦାୟୀତ୍ୱ ମହିଳାମାନଙ୍କୁ ମଧ୍ୟ ରାଜନୀତି କ୍ଷେତ୍ରରେ ସମାନ ସହଯୋଗ କରିବା । ରାଜନୈତିକ ଦଳମାନଙ୍କ ସାଙ୍ଗରେ ସମାଜ ଓ ପରିବାରର ମଧ୍ୟ ଏଇଟା ଏବେ ଗୋଟିଏ ଗୁରୁଦାୟିତ୍ୱ ମହିଳାମାନଙ୍କୁ ମଧ୍ୟ ରାଜନୀତି କ୍ଷେତ୍ରରେ ସମାନ ସହଯୋଗ କରିବା । ଯଦି ସମସ୍ତେ ଏ ଦାୟୀତ୍ୱଟି ନେଇପାରିବେ ତା’ହେଲେ ଆମେ ଏଇ ‘ଅଭାବ ନା ଅବହେଳା’ ଏଇ ଦ୍ୱନ୍ଦରୁ ମୁକ୍ତ ହୋଇ ଗୋଟିଏ ସୁନ୍ଦର ରାଜ୍ୟର ସ୍ୱପ୍ନ ଦେଖିପାରିବା ।
(ଲେଖିକା ଜଣେ ସମାଜସେବୀ)
Comments are closed.