Latest Odisha News

ଶ୍ରୀକ୍ଷେତ୍ରରେ ଶିବ ବିବାହ ଶୀତଳ ଷଷ୍ଠୀ

ପୁରୀ: ଶିବ ବିବାହ ଶୀତଳ ଷଷ୍ଠୀ ଓଡ଼ିଶାର ପ୍ରମୁଖ ଗଣ ପର୍ବ। ଯଦିଓ ସମ୍ବଲପୁରରେ ଶୀତଳ ଷଷ୍ଠୀ ପ୍ରସିଦ୍ଧ, କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ସ୍ଵତନ୍ତ୍ର ତଥା ଅନନ୍ୟ । ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ କୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି ।

୧ – କନ୍ୟା ଚୋରି ନୀତି, ୨ – ଶିବ ବିବାହ, ୩ – ଗୁଆଲି

ଆମେ ଯଦି ଶିବ ମନ୍ଦିରମାନଙ୍କରେ ପରମ୍ପରାକୁ ଦେଖିବା, ଯୋଉଠି ଚଳନ୍ତି ପ୍ରତିମା ଚନ୍ଦ୍ରଶେଖର ଆଉ ପାର୍ବତୀ ଶିବ ମନ୍ଦିରରେ ଅବସ୍ଥାନ କରନ୍ତି। କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ଅର୍ଥ ମୁଖ୍ୟତଃ ପଞ୍ଚ ପାଣ୍ତବ ବା ପଞ୍ଚ ମହାଦେବ (ଶ୍ରୀ ଜମ୍ବେଶ୍ଵର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ କପାଳମୋଚନ, ଶ୍ରୀ ନୀଳକଣ୍ଠ) ଙ୍କ ଶୀତଳ ଷଷ୍ଠୀ କୁ ବୁଝାଏ। ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନେ ଅନ୍ୟ ଶିବ ମନ୍ଦିର ଭଳି ନିଜ ମନ୍ଦିରରେ ନ ରହି ଶ୍ରୀମନ୍ଦିରର ଦକ୍ଷିଣ ଘର (ଯୋଉଠି ଶ୍ରୀ ମଦନମୋହନ ରହନ୍ତି) ଆଉ ଭଣ୍ଡାର ଘରେ ରହନ୍ତି, କେବଳ ଲୋକନାଥ ଭଣ୍ଡାର ଘରେ ମହାମନ୍ତ୍ରି ପଦରେ ରହନ୍ତି । ଆଉ ବାକି ଚାରି ମହାଦେବଙ୍କ ଚଳନ୍ତି ପ୍ରତିମାମାନେ ଦକ୍ଷିଣ ଘରେ ରହନ୍ତି। ଏ ମହାଦେବଙ୍କ ପାର୍ବତୀଙ୍କ ପ୍ରତିମାମାନେ ନିଜ ନିଜ ସେବକଙ୍କ ଘରେ କୁମାରୀ ଝିଅ ଭାବେ ରହନ୍ତି। ଶିବ ବିବାହର ପୂର୍ବ ଦିନ ଅର୍ଥାତ୍ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀର ସଂଧ୍ୟା ଧୂପ ସରିଲେ, ପଞ୍ଚ ମହାଦେବଙ୍କ ଚଳନ୍ତି ପ୍ରତିମାମାନେ ନିଜ ନିଜ ସେବକ ଘରକୁ ପାଲିଙ୍କିରେ ବିଜେ ହୁଅନ୍ତି। ସେଠାରେ ଭୋଗ ବନ୍ଦାପନା ବଢ଼ିଲା ପରେ ନିଜ ପାର୍ବତୀଙ୍କୁ ସଂଗରେ ନେଇ ନିଜ ମନ୍ଦିରକୁ ବିଜେ କରନ୍ତି। ଏ ନୀତିକୁ କନ୍ୟାଚୋରୀ ନୀତି କୁହାଯାଏ । ଏଠାରେ ପ୍ରଶ୍ନ ଉଠେ ଶିବ କଣ ସତରେ ପାର୍ବତୀଙ୍କୁ ଚୋରି କରି ବିବାହ କରିଥିଲେ । ଉତ୍ତର ହବ \’ ନା’ , ତେବେ ଏପରି ନୀତି ପଛରେ ଏକ କାରଣ ଅଛି, ଯେତେବେଳେ ରୁକ୍ମିଣୀ ହରଣ ଏକାଦଶୀରେ ଶ୍ରୀ ମଦନମୋହନ ରୁକ୍ମିଣୀ ବା ଲକ୍ଷ୍ମୀଠାକୁରାଣୀଙ୍କୁ ହରଣ କରି ବିବାହ କରନ୍ତି, ସେତେବେଳେ ପଞ୍ଚ ମହାଦେବ ସ୍ଵ ସ୍ୱ ପାର୍ବତୀଙ୍କୁ ମଧ୍ୟ ସେବକ ଘରୁ ନେଇ ବିବାହ କରନ୍ତି । ଶ୍ରୀକ୍ଷେତ୍ରରେ ତ ଯାହା ହୁଏ, ସବୁ କଥାରେ ସାଆନ୍ତଙ୍କ ଛାପ ରହି ଥାଏ, ତେଣୁ ପଞ୍ଚ ମହାଦେବଙ୍କ ସେବକଙ୍କ ଘରୁ ପାର୍ବତୀଙ୍କୁ ନେବା ନୀତିକୁ କନ୍ୟା ଚୋରି ଆଖ୍ୟା ଦେବା କିଛି ଆତ୍ୟୁକ୍ତି ହେବନାହିଁ। ଅନନ୍ୟ ଶ୍ରୀକ୍ଷେତ୍ର ଆଉ ଅନନ୍ୟ ଏହାର ପରମ୍ପରା ।

ରାବଣକୃତ ଶ୍ରୀଶିବତାଣ୍ଡବ ସ୍ତୋତ୍ରମ୍ –

“ ଜଟାଭୁଜଙ୍ଗପିଙ୍ଗଳ-ସ୍ଫୁରତ୍-ଫଣାମଣିପ୍ରଭା
କଦମ୍ବକୁଙ୍କୁମଦ୍ରବ-ପ୍ରଲିପ୍ତଦିଗ୍ ବଧୂମୁଖେ ।
ମଦାନ୍ଧ-ସିନ୍ଧୂର-ସ୍ଫୁରତ୍ତ୍ଵଗୁତ୍ତରୀୟ-ମେଦୁରେ
ମନୋ ଵିନୋଦମଦ୍ଭୁତଂ ବିଭର୍ତ୍ତୁ ଭୂତଭର୍ତ୍ତରି “

ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା’ ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳ ଷଷ୍ଠୀ ଯାତ୍ରା । କିଛି ଭକ୍ତ ମା’ ପାର୍ବତୀଙ୍କ ମା’ ବାପା ହୁଅନ୍ତି ଓ ଆଉ କିଛି ଭକ୍ତ ପ୍ରଭୁ ଶଙ୍କରଙ୍କର ମା’ ବାପା ହୋଇ ଉଭୟଙ୍କର ବିବାହ କାର‌୍ୟ୍ୟ ସମାପନ କରନ୍ତି । ସାଧାରଣ ବାହାଘର ପରି ପାରମ୍ପରିକ ରୀତିରେ ପ୍ରଭୁ ଶଙ୍କରଙ୍କୁ ବରଯାତ୍ରୀଙ୍କ ସହିତ ବଡ଼ ଧୂମ୍ଧାମ୍ରେ ମା’ ପାର୍ବତୀଙ୍କ ଘରକୁ ନେଇ ବୈଦିକ ରୀତିରେ ବିବାହ କରାଯାଏ । ରଙ୍ଗ ବେରଙ୍ଗ ଚିତ୍ରରେ ସୁଶୋଭିତ ରଥରେ ଶିବ ଓ ମା’ ପାର୍ବତୀଙ୍କୁ ଅଣାଯାଏ । ମଧ୍ୟରାତ୍ରୀରୁ ଏଇ ପଟୁଆର ଆରମ୍ଭ ହୋଇ ପରଦିନ ଦିପହର ବେଳକୁ ଶିବପାର୍ବତୀଙ୍କ ପୂଜାରେ ଶେଷହୁଏ ।

ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପୌରାଣିକ କଥାବସ୍ତୁ ଉପରେ ପର‌୍ୟ୍ୟବେସିତ । ଶିବ ପୁରାଣ ଅନୁସାରେ ବ୍ରହ୍ମାଙ୍କୁ କଠୋର ତପସ୍ୟା କରି ଦକ୍ଷ ପ୍ରଜାପତି ମାତା ସତୀଙ୍କୁ ପୁତ୍ରୀ ରୂପେ ପ୍ରାପ୍ତ ହୁଅନ୍ତି । ସତୀ ବିବାହ ବୟସ ହେବା ଉତ୍ତାରୁ ପିତାଙ୍କ ଅନିଚ୍ଛାରେ ସତ୍ତ୍ଵେ ଶ୍ମଶାନଚାରୀ ଶିବଙ୍କୁ ବିବାହ କରନ୍ତି । ଏଥିରେ କ୍ଷୁବ୍ଧ ହୋଇ ଦକ୍ଷ ପ୍ରଜାପତି ଝିଅ ଜ୍ଵାଇଁଙ୍କୁ ଆମନ୍ତ୍ରଣ କରନ୍ତି ନାହିଁ । ମହାଦେବଙ୍କ ଅନିଚ୍ଛା ସତ୍ତ୍ଵେ ପିତ୍ରାଳୟ ଗଲେ । ଯଜ୍ଞସ୍ଥଳରେ ଦକ୍ଷ ପ୍ରଜାପତି ଶିବଙ୍କର ଅପମାନ କଲେ ଏହାକୁ ସହି ନପାରି ସତୀ ଯଜ୍ଞକୁଣ୍ଡରେ ଝାସ ଦେଲେ । ସତୀଙ୍କ ଯଜ୍ଞକୁଣ୍ଡରେ ଝାସ ଦେବା ଶୁଣି ମହାଦେବ ଯଜ୍ଞସ୍ଥଳକୁ ଧ୍ଵଂସକରି ଦେଲେ । ସେଠାରୁ ସତୀଙ୍କ ଶବକୁ କାନ୍ଧରେ ପକାଇ ଚାରିଆଡେ ଘୁରି ବୁଲିଲେ । ବିଷ୍ଣୁ ଚକ୍ର ଦ୍ଵାରା ସତୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଶିବଙ୍କ ଠାରୁ ଅଲଗା କରିଦେଲେ । ପରବର୍ତ୍ତୀ ସମୟରେ ବ୍ରହ୍ମାଙ୍କ ବରରେ ବଳିୟାନ ହୋଇ ତାରକାସୁର ଅତ୍ୟାଚାର କଲା । ତାରକାସୁରର ଅତ୍ୟାଚାରରେ ଦେବତାମାନେ ଆତଙ୍କିତ ହୋଇ ବ୍ରହ୍ମାଙ୍କ ଶରଣ ପଶିଲେ । ମାତ୍ର ବ୍ରହ୍ମା ଶିବଙ୍କ ଔରସରୁ ଜନ୍ମିତ ସନ୍ତାନ ତାରକାସୁରକୁ ବଧ କରିବ ବୋଲି ପ୍ରକାଶ ପରେ ଦେବତାମାନେ ଆଦିଶକ୍ତି ମାତା ପାର୍ବତୀଙ୍କୁ ତପସ୍ୟା କରନ୍ତି । ଦେବଗଣଙ୍କ କଠୋର ତପସ୍ୟା ଯୋଗୁଁ ମାତା ପାର୍ବତୀ ଗିରିରାଜ ହିମାଳୟଙ୍କ ଘରେ ଆବିର୍ଭାବ ହୁଅନ୍ତି । ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ଦିନ ଶିବ ଓ ମାତା ପାର୍ବତୀଙ୍କ ପୁନଃମିଳନ ହୁଏ । ମହାଦେବ ମାତା ପାର୍ବତୀଙ୍କୁ ପାଇବା ପରେ ରୁଦ୍ର ରୂପ ତ୍ୟାଗ କରି ହୋଇଯାନ୍ତି ଶାନ୍ତ ଶୀତଳ । ଦେବଦମ୍ପତିଙ୍କ ଏହି ମହାମିଳନକୁ ଲୋକାଚାରରେ ଶୀତଳ ଷଷ୍ଠୀ ଭାବେ ପାଳନ କରାଯାଏ ।

ଅଧିକ ପଢନ୍ତୁ: ମଧ୍ୟରାତ୍ରିରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା ପହଣ୍ଡି

ଶିବ ରୁଦ୍ର ଓ ପାର୍ବତୀ ଶାନ୍ତିର ବାର୍ତ୍ତା ବହନ କରେ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର‌୍ୟ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ ।

 

Comments are closed.