Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୪: ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ ଶ୍ରୀମଦ୍ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥ ଶ୍ରୀକୃଷ୍ଣ ଭକ୍ତିରେ ରଶାଣିତ ହୋଇ ମଣିଷକୁ ଶୁଦ୍ଧ ଭକ୍ତି ତତ୍ତ୍ୱର ସନ୍ଧାନ ଦେଇଥାଏ। ଏହି ଶୁଦ୍ଧ ଭକ୍ତିର ସ୍ୱରୂପ କଣ?

ବିଭିନ୍ନ ଯୋଗୀ, ଋଷି, ଜ୍ଞାନୀ, ମୁନିଙ୍କ ମତ ଅନୁସାରେ ଏହାର ସଂଜ୍ଞା ଖୋଜିଲେ ଭିନ୍ନ ଭିନ୍ନ ତତ୍ୱ ଆସିବ, କିନ୍ତୁ ସବୁର ମୂଳ ମନ୍ତ୍ର ହେଉଛି ନିର୍ମଳ ଚିତ୍ତ, ନିର୍ମଳ ଭକ୍ତି। ମହର୍ଷି ପାଣିନିଙ୍କ ମତରେ “ଭଜ୍ୟତେ ସେବ୍ୟତେ ଇତି ଭକ୍ତି” ଏହାକୁ ଆମେ କହିପାରିବା ଈଶ୍ୱରଙ୍କ ଠାରେ ପ୍ରେମ ଭାବ ବା ପ୍ରୀତି ହିଁ ଭକ୍ତି। ମହର୍ଷି ଶାଣ୍ଡିଲ୍ୟ ଭାଷାରେ “ସାପରାନୁରକ୍ତିରୀଶ୍ୱରେ” ଅର୍ଥାତ ଈଶ୍ୱର ବା ଭଗବାନଙ୍କ ଠାରେ ପରମ ଅନୁରାଗ ଓ ପ୍ରେମ ହିଁ ଭକ୍ତି ଶ୍ରୀମଦ ଭାଗବତ। ଗ୍ରନ୍ଥରେ ବର୍ଣ୍ଣିତ ଚରିତ୍ର ଯଥା ଭୀଷ୍ମ, ପ୍ରହ୍ଲାଦ, ଉଦ୍ଧବ ଓ ନାରଦଙ୍କ ପ୍ରୀତି ପୂର୍ଣ୍ଣ ଅନୁରାଗ ଯାହା ପରମେଶ୍ୱରଙ୍କ ପାଖରେ ଅର୍ପିତ ହୋଇଥାଏ ତାହା ହିଁ ପ୍ରକୃତ ଭକ୍ତି ଅଟେ।

ଏହା ମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-3-while-tradition-attributes-the-srimad-bhagavatam-to-vyasa/

ନାରଦ ପଞ୍ଚରାତ୍ର କହେ “ଅନନ୍ୟ ମମତା ବିଷ୍ଣୋ ମମତା ପ୍ରେମସଙ୍ଗତା, ଭକ୍ତିରିତ୍ୟୁଚ୍ୟତେ ଭୀଷ୍ମ ପ୍ରହ୍ଲାଦ ଉଦ୍ଧବ ନାରଦୈଃ”। ଯୁଗେ ଯୁଗେ ଭଗବାନ ଏହି ଭକ୍ତି ରସରେ ମଜ୍ଜି ବିଭିନ୍ନ ଲୀଳା କରିବା ପାଇଁ ଅବତାର ନେଇଥାନ୍ତି। ଏହାର ଏପରି ଅର୍ଥ ମଧ୍ୟ କରାଯାଇ ପାରେ ପରମେଶ୍ୱର ଶ୍ରୀକୃଷ୍ଣ ଏହି ଦୁନିଆରେ ସବୁଠାରୁ ଉତ୍କୃଷ୍ଟ ସତ୍ତା ହୋଇ ମଧ୍ୟ ଭକ୍ତର ଭକ୍ତିରେ ଆକୃଷ୍ଟ ହୋଇ ଗୋଟିଏ ସାମାନ୍ୟ ସତ୍ତା ଭଳି ଅବତାର ନେଇଥାନ୍ତି। ଏଠାରେ ଈଶ୍ୱରଙ୍କର ଭକ୍ତ ପ୍ରତି ଥିବା ଚରମ ଅନୁରାଗ ବ୍ୟକ୍ତ ହୋଇଥାଏ। ଏହି ଅନୁରାଗ ତିନି ପ୍ରକାର ଭାବରେ ନିଆଯାଇଛି। ଯଥା ମୈତ୍ରି, ସ୍ନେହ ଓ ଭକ୍ତି।

ନିଜ ସହିତ ସମାନ ସତ୍ତା ପ୍ରତି ଅନୁରାଗକୁ ମୈତ୍ରି କୁହାଯାଏ, ନିଜ ଠାରୁ ଉତ୍କୃଷ୍ଟ ସତ୍ତା ପ୍ରତି ଅନୁରାଗକୁ ଭକ୍ତି କୁହାଯାଏ। ସେହିପରି ନିଜଠାରୁ ନିକୃଷ୍ଟ ସତ୍ତା ପ୍ରତି ଅନୁରାଗକୁ ସ୍ନେହ କୁହାଯାଏ। ଯେତେବେଳେ ଭଗବାନ ଆମକୁ ସ୍ନେହ କରନ୍ତି ସେତେବେଳେ ଆମ ପାଖରେ ଜ୍ଞାନ ଓ ବୈରାଗ ଜାତ ହୁଏ। ଶ୍ରୀମଦ ଭାଗବତର ଛତ୍ରେ ଛତ୍ରେ ଏଭଳି ବର୍ଣ୍ଣନା ଦେଖିବା
ସ୍ଵଭାବେ ଧର୍ମ ଆଚରଣେ ।
ଭକ୍ତି ଉପୁଜେ ନାରାୟଣେ ।।
ବାସୁଦେବଙ୍କ ଠାରେ ଯେବେ ।
ଭକ୍ତି ଉଦୟ ହୁଏ ତେବେ ।।
ଜ୍ଞାନ ବୈରାଗ୍ୟ ଜାତ ହୁଏ ।
ଶୁଷ୍କ ତର୍କlଦି ନାଶ ଯାଏ ।।
ଭକତି କରି କୃଷ୍ଣ ପାଦେ ।
ନପଡେ ଲୋକ ମୋହ ବାଦେ ।।
ଆସନ୍ତୁ ତେବେ ଶ୍ରୀକୃଷ୍ଣଙ୍କ ସ୍ନେହରେ ବାନ୍ଧି ହୋଇ ଶ୍ରୀମଦ ଭାଗବତଙ୍କୁ ଅନୁରାଗ ଡୋରିରେ ବାନ୍ଧିବା।

ଜୟ ଜଗନ୍ନାଥ
(ଦ. ତ୍ରି. ଉବାଚ)

Comments are closed.