ଲେଖକ: ଦୟାନିଧି ତ୍ରିପାଠୀ
ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ପ୍ରେମ ପ୍ରଧାନ ଓ ଭକ୍ତି ମାର୍ଗର ଗ୍ରନ୍ଥ। କିନ୍ତୁ ଏହା ଏପରି ସରଳ ଯେ ଏଠାରେ ନବଧା ଭକ୍ତିର ମାର୍ଗ ଅନୁସରଣ କରିବା ଦରକାର ନାହିଁ। କେବଳ ସମର୍ପଣ ହିଁ ଏହାର ଆଧାର। ଏଠାରେ ସମର୍ପଣର ଠିକ ଅର୍ଥ ହେଲା ଆତ୍ମସମର୍ପଣ ଯଥା-“କାୟେନ ବାଚା ମନସା ଇନ୍ଦ୍ରିୟେ ବା ବୁଦ୍ଧ୍ୟା ଆତ୍ମନା ବାନୃସୃତ ସ୍ଵଭାବାତ, କରୋତି ଯତ ଯତ ସକଳଂ ପରସ୍ମେ ନାରାୟଣାୟେତି ସମର୍ପୟେତ ତତ।” ଅର୍ଥାତ କାୟ- ମନୋବାକ୍ୟରେ ଇନ୍ଦ୍ରିୟ ବା ନିଜ ବୁଦ୍ଧି ବା ସ୍ଵଭାଵ ଅନୁସାରେ ଯାହା କିଛି କରିବ, ସେ ସମସ୍ତ ନାରାୟଣଙ୍କୁ ହିଁ ସମର୍ପଣ କରିବ। ଏହା କିପରି ସମ୍ଭବ ହେବ? ଏହାର ଉତ୍ତରରେ କେବଳ ଏତିକି କହି ପରିବା ଯେ ଭାଗବତ ଓ ଭଗବାନଙ୍କ ଉପରେ ଦୃଢ ଓ ଶଙ୍କା ରହିତ ବିଶ୍ୱାସ ହିଁ ଏହାର ଏକମାତ୍ର ପଥ।
ଭାଗବତର ଧ୍ରୁବ ଉପାଖ୍ୟାନ ଏହାର ପ୍ରକୃଷ୍ଠ ଉଦାହରଣ (ପରେ ବିଷଦ ଆଲୋଚନା କରିବା) ଏଠାରେ ଦୃଢ଼ ଓ ଶଙ୍କା ରହିତ ବିଶ୍ୱାସ କଥା କହିବାର ମୂଳ ଉଦ୍ୟେଶ ହେଲା ଭକ୍ତି ମାର୍ଗରେ ମନ ବିଚଳିତ ବା ଶଙ୍କା ଗ୍ରସ୍ତ ହେବା ଉଚିତ ନୁହେଁ। କେବଳ ସେତିକି ନୁହେଁ ମନରେ ସାମାନ୍ୟ ଅଭିମାନ ତଥା ଅହଂକାର ଆପଣଙ୍କୁ ପୂର୍ଣ୍ଣ ସମର୍ପିତ ହେବାକୁ ଦେବ ନାହିଁ।
ଏହାମଧ୍ୟ ପଢ଼ନ୍ତୁ: https://odishasambad.in/shrimad-bhagwat-katha-6-srimad-bhagavatam-is-the-simplest-path-of-love-and-devotion/
ଆପଣଙ୍କ କଥା ତ ପଛରେ ଆସିବ ସୃଷ୍ଟିର ଆରମ୍ଭରେ ସ୍ୱୟଂ ବ୍ରହ୍ମା ମଧ୍ୟ ସମ୍ପୂର୍ଣ୍ଣ ସମର୍ପିତ ନହେବା ଯାଏଁ ସୃଷ୍ଟିର ରହସ୍ୟ ଓ ସୃଷ୍ଟିକର୍ତ୍ତାଙ୍କ ଉଦେଶ୍ୟ ବୁଝି ପାରିନଥିଲେ। ନାରାୟଣଙ୍କ ନାଭି କମଳର ନାଡ଼ ମଧ୍ୟରେ ପଶି ଘୋର ତପସ୍ୟା କରିବା ପରେ ସ୍ୱୟଂ ନାରାୟଣ ନିଜର ତେଜମୟ ରୂପରେ ପ୍ରକଟ ହୋଇ ବ୍ରହ୍ମାଙ୍କୁ ଯେଉଁ ତତ୍ୱ ଉପଦେଶ ଦେଲେ, ସେଥିରୁ ଚତୃଶ୍ଳୋକୀ ଭାଗବତର ଜନ୍ମ ହେଲା।
ଆଗକୁ ଜାଣିବା ବ୍ରହ୍ମା ପୁତ୍ର ନାରଦଙ୍କ ଦ୍ୱାରା ଏହି ଭଗବତ ବିଭୁତି କିପରି ପରିବର୍ଦ୍ଧିତ ଓ ପ୍ରସାରିତ ହେଲା। ଏଵେ ଭଗବାନଙ୍କ ବିଭୁତିରେ ପରିପୁଷ୍ଟ ଶ୍ରୀମଦ ଭାଗବତଙ୍କୁ କରିବା ଭକ୍ତିପୂତ ପ୍ରଣାମ ଭଗବାନ ଜ୍ଞାନରେ।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.