Latest Odisha News

BREAKING NEWS

ରୋଚକ ହେଉଛି ବିଚାରପତିଙ୍କ ଘରୁ ବିପୁଳ ଟଙ୍କା ଜବତ ମାମଲା, ହାଇକୋର୍ଟ ଦେଲେ ରିପୋର୍ଟ

ନୂଆଦିଲ୍ଲୀ: ରୋଚକ ହେଉଛି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଜଶୱନ୍ତ ବର୍ମାଙ୍କ ସରକାରୀ ବାସଭବନରୁ ବିପୁଳ ଟଙ୍କା ଜବତ ମାମଲା । ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦେବେନ୍ଦ୍ର ଉପାଧ୍ୟାୟ। ଏହି ରିପୋର୍ଟ ଆଧାରରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଆଗାମୀ କାର୍ଯ୍ୟାନୁଷ୍ଠାନ ନେବେ। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ବର୍ମା ସେତେବେଳେ ଚର୍ଚ୍ଚାକୁ ଆସିଲେ, ଯେତେବେଳେ ତାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣରେ ନଗଦ ଟଙ୍କା ଜବତ ହେଲା।ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ୍‌ ବର୍ମାଙ୍କ ଲଟିଏନ୍ସ ଦିଲ୍ଲୀ ସ୍ଥିତ ବାସଭବନରେ ନିଆଁ ଲାଗିଥିଲା। ସେତେବେଳେ ଜଷ୍ଟିସ୍‌ ବର୍ମା ଘରେ ନଥିଲେ। କୌଣସି କାମରେ ବାହାରକୁ ଯାଇଥିଲେ। ତେଣୁ, ପରିବାର ଲୋକେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ଡାକିଥିଲେ।

ଏହାପରେ ଜଷ୍ଟିସ୍‌ ବର୍ମାଙ୍କ ଘରେ ନିଆଁ ଲିଭାଇବା ସମୟରେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ନେଇ ଖବର ଆସିଥିଲା। ମାର୍ଚ୍ଚ ୨୦ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା କଲେଜିୟମର ବୈଠକ ଡାକିଥିଲେ। ଆଉ ଜଷ୍ଟିଲ୍‌ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ନେଇ ପ୍ରସ୍ତାବ ରଖିଥିଲେ। ଏହାସହ ଦିଲ୍ଲୀ ହାଇକୋର୍ଟଙ୍କୁ ଏହି ମାମଲାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ ବିଚାରପତି।

ସେପଟେ ଆହ୍ଲାବାଦ ହାଇକୋର୍ଟର ବାର୍‌ ଆସୋସିଏସନ ଏହି ବଦଳିକୁ ବିରୋଧ କରିଛି।ଏହାରି ଭିତରେ ଜଷ୍ଟିସ୍‌ ବର୍ମାଙ୍କ ୨୦୧୮ ସିବିଆଇ ମାମଲା ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ତାଙ୍କର ପୂର୍ବ ଆର୍ଥିକ କାରବାର ଉପରୁ ପରଦା ହଟାଇଛି। ବିଶେଷ କରି କୋଟି କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇରେ ଫସିଥିବା ସିମ୍ଭାଓଲି ସୁଗାର୍ସ ଲିମିଟେଡ୍ ସହ ତାଙ୍କର ସମ୍ପର୍କ ଥିବା ଜଣାପଡ଼ିଛି। ମାମଲାଟି ୨୦୧୮ ମସିହା ଫେବ୍ରୁଆରି ମାସର। ସେତେବେଳେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସର ଅଭିଯୋଗ ପରେ ସିବିଆଇ ସିମ୍ଭାଓଲି ସୁଗାର୍ସର ତଦନ୍ତ ଆରମ୍ଭ କରିଥିଲା।

Comments are closed.