Latest Odisha News

BREAKING NEWS

ସୁପ୍ରୀମ କୋର୍ଟର ଐତିହାସିକ ରାୟ : ଏହା ହେଉଛି ମହିଳାଙ୍କ ମୌଳିକ ଅଧିକାର, କେହି ବଞ୍ଚିତ କରିପାରିବେନି

ନୂଆଦିଲ୍ଲୀ : ସୁପ୍ରୀମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମଦ୍ରାସ ହାଇକୋର୍ଟର ଖଣ୍ଡପୀଠଙ୍କ ନିଷ୍ପତ୍ତିକୁ ଖାରଜ କରିଛନ୍ତି, ଯେଉଁଥିରେ ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ତାଙ୍କ ତୃତୀୟ ସନ୍ତାନ ଜନ୍ମ ପରେ ମାତୃତ୍ୱ ଅବକାଶ ଦେବାକୁ ମନା କରାଯାଇଥିଲା। ସୁପ୍ରୀମ କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମାତୃତ୍ୱ ଅବକାଶ ମହିଳାଙ୍କ ପ୍ରଜନନ ଅଧିକାରର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ମହିଳା କର୍ମଚାରୀଙ୍କ ଅଧିକାର ସୁରକ୍ଷା ସହ ମାତୃତ୍ୱ ଲାଭ ଆଇନର ବ୍ୟାପକ ବ୍ୟାଖ୍ୟାକୁ ମଜବୁତ କରେ।

ନ୍ୟାୟମୂର୍ତି ଅଭୟ ଏସ୍‌. ଓକା ଓ ନ୍ୟାୟମୂର୍ତି ଉଜ୍ଜଲ ଭୁୟାନଙ୍କ ଖଣ୍ଡପୀଠ କହିଛନ୍ତି, “ମାତୃତ୍ୱ ଅବକାଶ କେବଳ ଏକ ବୈଧାନିକ କିମ୍ବା ସେବା ସର୍ତ୍ତ ସହ ଜଡ଼ିତ ଅଧିକାର ନୁହେଁ, ବରଂ ଏହା ଆନ୍ତର୍ଜାତୀୟ ମାନବାଧିକାର ଆଇନ ଅନୁଯାୟୀ ସ୍ୱାସ୍ଥ୍ୟ, ଗୋପନୀୟତା, ସମାନତା, ଅଭେଦଭାବ ଓ ଗୌରବର ଅଧିକାର ସହ ଜଡ଼ିତ ଏକ ମୌଳିକ ପ୍ରଜନନ ଅଧିକାର।” ସୁପ୍ରୀମ କୋର୍ଟ ଦୃଢ଼ ଭାବେ କହିଛନ୍ତି ଯେ ପ୍ରଜନନ ଅଧିକାରର ସୁରକ୍ଷା ବିନା ମହିଳାଙ୍କ ଗୌରବର ରକ୍ଷା ସମ୍ଭବ ନୁହେଁ, ଏବଂ ମାତୃତ୍ୱ ଅବକାଶ ଏହି ଅଧିକାରଗୁଡ଼ିକର ପୂର୍ଣ୍ଣାଙ୍ଗ ପାଳନର ଏକ ମାଧ୍ୟମ।

ଏହି ମାମଲା ଜଣେ ସରକାରୀ ଶିକ୍ଷୟିତ୍ରୀଙ୍କୁ ନେଇ ଉଠିଥିଲା, ଯାହାଙ୍କର ପ୍ରଥମ ବିବାହରୁ ଦୁଇ ସନ୍ତାନ ଥିଲେ। ବିବାହ ବିଚ୍ଛେଦ ପରେ ସେହି ଦୁଇ ସନ୍ତାନ ତାଙ୍କ ପିତାଙ୍କ ସାଙ୍ଗରେ ରହୁଛନ୍ତି। ୨୦୧୮ରେ ମହିଳା ଜଣଙ୍କ ଦ୍ୱିତୀୟ ବିବାହ କରିଥିଲେ ଓ ତୃତୀୟ ସନ୍ତାନ ଜନ୍ମ ପାଇଁ ମାତୃତ୍ୱ ଅବକାଶ ଦାବି କରିଥିଲେ। ରାଜ୍ୟ ସରକାର ନିୟମ ଅନୁସାରେ ଦୁଇ ସନ୍ତାନ ପର୍ଯ୍ୟନ୍ତ ମାତୃତ୍ୱ ଅବକାଶ ସୀମିତ ଥିବା କାରଣ ଦର୍ଶାଇ ତାଙ୍କ ଅନୁରୋଧ ନାକଚ କରିଥିଲେ।

ମହିଳା ଜଣଙ୍କ ମଦ୍ରାସ ହାଇକୋର୍ଟର ଏକକ ଖଣ୍ଡପୀଠରେ ଆବେଦନ କରିଥିଲେ, ଯେଉଁଠାରେ ତାଙ୍କୁ ରିଲିଫ ମିଳିଥିଲା। କିନ୍ତୁ ରାଜ୍ୟ ସରକାର ଏହି ନିଷ୍ପତ୍ତିକୁ ଖଣ୍ଡପୀଠରେ ଚ୍ୟାଲେଞ୍ଜ କରିଥିଲେ, ଯେଉଁଠାରେ ଏକକ ନ୍ୟାୟାଧୀଶଙ୍କ ଆଦେଶକୁ ରଦ୍ଦ କରାଯାଇଥିଲା। ଏବେ ସୁପ୍ରୀମ କୋର୍ଟ ଖଣ୍ଡପୀଠର ନିଷ୍ପତ୍ତିକୁ ପଲଟାଇ ଶିକ୍ଷୟିତ୍ରୀଙ୍କୁ ମାତୃତ୍ୱ ଅବକାଶ ପ୍ରଦାନ କରିବାର ପଥ ପରିଷ୍କାର କରିଛନ୍ତି।

ସୁପ୍ରୀମ କୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ଜଣେ ମହିଳା କର୍ମଚାରୀଙ୍କର ପ୍ରଥମ ଦୁଇ ସନ୍ତାନ ସେବାରେ ଯୋଗଦେବା ପୂର୍ବରୁ ଜନ୍ମ ହୋଇଥାନ୍ତି ଏବଂ ସେମାନଙ୍କ ହେପାଜତ ମହିଳାଙ୍କ ପାଖରେ ନ ଥାଏ, ତେବେ ସେବା କାଳରେ ଜନ୍ମିତ ପ୍ରଥମ ସନ୍ତାନ ପାଇଁ ମାତୃତ୍ୱ ଅବକାଶ ଦେବାକୁ ମନା କରାଯାଇପାରିବ ନାହିଁ। ଏହା ଅନୁଚିତ ଓ ଅସାମ୍ବିଧାନିକ ହେବ। କୋର୍ଟ ଆହୁରି କହିଛନ୍ତି ଯେ, ଦୁଇ ସନ୍ତାନ ନୀତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ଏକ ପ୍ରୟାସ ହୋଇପାରେ, କିନ୍ତୁ ଏହା ମାତୃତ୍ୱ ଅବକାଶର ସାମ୍ବିଧାନିକ ଅଧିକାରକୁ ପ୍ରଭାବିତ କରିପାରିବ ନାହିଁ। ଏହି ଦୁଇ ଉଦ୍ଦେଶ୍ୟକୁ ପରସ୍ପର ବିରୋଧୀ ଭାବେ ନ ରଖି ତାକୁ ଯୁକ୍ତିଯୁକ୍ତ ଭାବେ ସନ୍ତୁଳିତ କରାଯିବା ଆବଶ୍ୟକ।

Comments are closed.