Latest Odisha News

ମୋକିମ୍, ଚିରଞ୍ଜୀବ ଓ କୃଷ୍ଣଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ, ଶ୍ରୀକାନ୍ତଙ୍କ ଉପରେ ଲାଗୁ ହେବ କି ସମାନ ନିୟମ?

ଭୁବନେଶ୍ଵର: କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛି କଂଗ୍ରେସ। ସେହିପରି ଅନ୍ୟତମ ପୂର୍ବତନ ବିଧାୟକ କୃଷ୍ଣ ସଗରିଆଙ୍କ ବିରୋଧରେ ଲାଗୁ ହୋଇଥିବା ବହିଷ୍କାର ଆଦେଶ ମଧ୍ଯ ପ୍ରତ୍ୟାହାର କରିଛି କଂଗ୍ରେସ। ନିର୍ବାଚନ ପୂର୍ବରୁ ତିନି ନେତା ପୁଣିଥରେ ଦଳ ସହ ଯୋଡି ହେବା କଂଗ୍ରେସକୁ ସଂପୃକ୍ତ ଅଞ୍ଚଳରେ ବଳ ଯୋଗାଇବ ବୋଲି କୁହାଯାଉଛି। କିନ୍ତୁ ଏହାରି ଭିତରେ ଆଉ ଏକ ପ୍ରଶ୍ନ ଉଠିଛି ଯେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଉପରେ ଦଳ ଯେଉଁ କାର୍ଯ୍ଯାନୁଷ୍ଠାନ ଲଗାଇଛି ତାହା ଏବେ ପ୍ରତ୍ୟାହାର ହେବ କି?

ଦଳ କାର୍ଯ୍ୟାନୁଷ୍ଠାନ ପ୍ରତ୍ୟାହାର କରିବା ପରେ ତିନି ନେତାଙ୍କୁ ଦଳ ପକ୍ଷରୁ ସ୍ବାଗତ କରାଯାଇଛି। ଶୁଣିବାକୁ ମିଳୁଛି ଏବେ ଖୁବ୍ ଶୀଘ୍ର ଶ୍ରୀକାନ୍ତଙ୍କୁ ହାତ ଦଳକୁ ଫେରେଇ ଆଣିବା ପାଇଁ କରାଯାଉଛି ଯୋଜନା। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ତୁଳନାରେ ପଛୁଆ ହୋଇପଡିଛି କଂଗ୍ରେସ। ଯାହାକୁ ସୁଧାରିବା ପାଇଁ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସଂଗଠନକୁ ମଜଭୁତ କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଯେଉଁ ପୁରୁଖା ନେତାମାନଙ୍କୁ ଦଳ ବାହାରର ରାସ୍ତା ଦେଖାଇଥିଲା ସେମାନଙ୍କୁ ପୁଣି ଦଳରେ ସାମିଲ କରି ନିଜ ଶକ୍ତିକୁ ସୁଦୃଢ କରିବାକୁ ସମସ୍ତ ଚେଷ୍ଟା କରୁଛନ୍ତି ଅଜୟ କୁମାର। ଏହି ସମୀକରଣରେ ଏବେ ଶ୍ରୀକାନ୍ତଙ୍କୁ ନେଇ ହେଉଛି ଚର୍ଚ୍ଚା।

Comments are closed.