ଭୁବନେଶ୍ୱର: ଆକାଶରେ ବୁଲୁଛି ଅଜଣା ହେଲିକପ୍ଟର । ଆଉ ଏହାର ପଛରେ ଲାଗିଛି ଇଲେକ୍ଟ୍ରୋ ମାଗନେଟିକ ମିଟର । ଏହା କେଉଁଥିପାଇଁ ବୁଲୁଛି, ଉଦ୍ଦେଶ୍ୟ କ’ଣ ତାହା ଏଯାଁଏ ଜଣାପଡି ନାହିଁ । ଦେବଗଡ ଜିଲ୍ଲା ସୁନାଖଣି ଓ ଆଖପାଖ ଅଞ୍ଚଳରେ ହେଲିକପ୍ଟ ବୁଲୁଥିବାର ଭିଡିଓ ଏବେ ସାମ୍ନାକୁ ଆସିଛି । କୁହାଯାଉଛି ହେଲିକପ୍ଟର ପଛଲେ ଲାଗିଥିବା ଯନ୍ତ୍ରଟି ଦ୍ୱାରା ବିଭିନ୍ନ ଖଣିଜଦ୍ରବ୍ୟର ଅନୁସନ୍ଧାନ କରାଯାଇଥାଏ । ତେଣୁ ଏହା ସୁନାର ସନ୍ଧାନ ନେଉଥାଇ ପାରେ ବୋଲି ଅନୁମାନ କରାଯାଉଛି ।
ସୁଚନା ଅନୁସାରେ ଗତକାଲି ଠାରୁ ଦେବଗଡର ବିଭିନ୍ନ ଅଂଚଳରେ ଏହି ହେଲିକେପ୍ଟର ଚକର କାଟୁଥିବାର ଦେଖିବାକୁ ମିଳିଛି । ସବୁଠାରୁ ବଡ଼ କଥା ହେଲା ଅତି ନିକଟରେ ହେଲିକେପ୍ଟର ବୁଲୁଥିବାରୁ ସ୍ଥାନୀୟ ଲୋକ ବିଭିନ୍ନ ଆଶାଙ୍କାରେ ଅଛନ୍ତି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଏନେଇ କୌଣସି ସୂଚନା ନଥିବା ଜଣାପଡିଛି । ଗତକାଲି ଟିଙ୍କବୀର, କୁଳବସା, ଗୁଣ୍ଡିଆପାଲି, ଲୁଲଙ୍ଗ ଆଦି ପଂଚାୟତର ବିଭିନ୍ନ ଗାଁ ଉପରେ ଅନେକ ସମୟ ଧରି ହେଲିକେପ୍ଟର ରାଉଣ୍ଡ ପରେ ରାଉଣ୍ଡ ବୁଲିଥିଲା । ଆଜି ସକାଳ ପ୍ରାୟ ୧୦ ଟାରୁ ଦେବଗଡ ଜିଲ୍ଲା ଆଡସ ପଂଚାୟତରେ ଚିହ୍ନଟ ହୋଇଥିବା ସୁନାଖଣି ଏବଂ କଂସର ପଂଚାୟତର ଖଜୁରୀଖମଣ, ତେଲଭାଙ୍ଗୁଣି, ଭଙ୍ଗାମୁଣ୍ଡା ଗାଁ ଉପରେ ହେଲିକେପ୍ଟର ବୁଲୁଥିବା ଜଣାପଡିଛି । ହେଲିକେପ୍ଟର କେଉଁଠୁ ଆସୁଛି, କଣ ପାଇଁ ବୁଲୁଛି ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକ ବିଭିନ୍ନ ଆଶଙ୍କାରେ ଅଛନ୍ତି ।