ନୂଆଦିଲ୍ଲୀ : ପାକିସ୍ତାନର ଘନ ଘନ ଆକ୍ରମଣରେ ଥରି ଉଠିଛି ଆଫଗାନିସ୍ତାନ ମାଟି । ପାକିସ୍ତାନୀ ବାୟୁସେନାର ଯୁଦ୍ଧ ବିମାନ ଆଫଗାନିସ୍ତାନର ପକ୍ତିକା ପ୍ରଦେଶରେ ଭୟଙ୍କର ଏୟାର ଷ୍ଟ୍ରାଇକ କରିଛି । ଏଥିରେ ୪୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ବହୁ ଆହତ ହୋଇଛନ୍ତି । ତେହରିକ ତାଲିବାନ ପାକିସ୍ତାନ ବା ଟିଟିପିର ତାଲିମ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଥିବା କୁହାଯାଇଛି । ତେବେ ଏହାର ପରିଣାମ ଭୟଙ୍କର ହେବ ବୋଲି ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରାଳୟ ଚେତାଇ ଦେଇଛି ।
ପାକିସ୍ତାନୀ ଅଧିକାରୀମାନେ ତେହରିକ ତାଲିବାନ ପାକିସ୍ତାନ(ଟିଟିପି)ର ଏକ ତାଲିମ ଶିବିରକୁ ଟାର୍ଗେଟ୍ କରିଥିବାବେଳେ ଏଥିରେ ବହୁ ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି । ପକ୍ତିକା ପାକିସ୍ତାନ ସୀମାକୁ ଲାଗି ରହିଥିବାବେଳେ ଏହାକୁ ଟାର୍ଗେଟ୍ କରିଥିଲେ ପାକିସ୍ତାନ ସେନା । ଆଉ ପୂର୍ବ ଯୋଜନା ଅନୁସାରେ ଏକ ତାଲିମ କେନ୍ଦ୍ର ଉପରକୁ ଆକ୍ରମଣ କରାଯାଇଥିବା କୁହାଯାଇଛି । ପାକିସ୍ତାନ ସେନା ଏୟାର ଷ୍ଟ୍ରାଇକ କରି ଠିକଠାକ ଭାବେ ନିଜ ଦେଶକୁ ଫେରି ଆସିଥିଲେ, ଯାହାର ଟେର୍ ପାଇନଥିଲା ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରାଳୟ । ପାକିସ୍ତାନ ସେନା ବଜିରସ୍ତାନ ଶରଣାର୍ଥୀଙ୍କୁ ଟାର୍ଗେଟ କରିଥିଲା । ଏଥିରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି ଆଫଗାନିସ୍ତାନ । ଆଫଗାନିସ୍ତାନର ଇସଲାମିକ୍ ଏମିରେଟ୍ ଏହାକୁ ନିନ୍ଦା କରିବା ସହ ପାକିସ୍ତାନ ବିରୋଧରେ କଡ଼ା ଆକସନ୍ ନେବ ବୋଲି କହିଛି । ସେହିଭଳି ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ପ୍ରତିଶୋଧ ନେବା ପାଇଁ ଧମକ ଦେଇଛି । ମନ୍ତ୍ରାଳୟ କହିଛି, ପାକିସ୍ତାନର ଏକପାଖିଆ ପଦକ୍ଷେପ କୌଣସି ସମସ୍ୟାର ସମାଧାନ ନୁହେଁ। ଆଫଗାନିସ୍ତାନ ଏହାର ଉତ୍ତର ଦେବ । ଗତ କିଛି ଦିନ ଧରି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ବିବାଦ ଲାଗି ରହିଛି । ଏବେ ପାକିସ୍ତାନର ଆକ୍ରମଣ, ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ବଢାଇ ଦେଇଛି ।
ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ପରେ ଉଭୟ ଦେଶର ସୀମାରେ ଅଶାନ୍ତି ଲାଗି ରହିଛି । ତେହରିକ ତାଲିବାନ ପାକିସ୍ତାନ ବା ଟିଟିପି, ଅନେକ ସମୟରେ ସୀମାନ୍ତରେ ହିଂସା ଆପଣାଇବା ସହ ଆକ୍ରମଣ କରୁଥିବା ଅଭିଯୋଗ କରି ଆସୁଛି ପାକିସ୍ତାନ । ଏଥି ପାଇଁ ଏବେ ପାକ୍ ସେନାର ଟାର୍ଗେଟରେ ରହିଛି ଟିଟିପି । ଆଫଗାନିସ୍ତାନ କହି ଆସୁଛି, ପାକିସ୍ତାନ ଆତଙ୍କବାଦୀର ଚରାଭୁଇଁ ପାଲଟିଛି । ପାକ୍ ସରକାର ଓ ସେଠାକାର ସେନା ଯେଉଁ ଆତଙ୍କବାଦୀ ପାଳି ପୋଶି ବଡ଼ କରୁଛନ୍ତି, ସେମାନେ ପାକିସ୍ତାନ ପାଇଁ ବିପଦ ସୃଷ୍ଟି କରୁଛନ୍ତି ।