Latest Odisha News

BREAKING NEWS

ଡାକ୍ତରଖାନାରେ ଅଧଘଣ୍ଟା ଧରି ଲିଫ୍ଟ ଅଚଳ, ଲିଫ୍ଟ ଭିତରେ ମୃତ୍ୟୁ ସହ ଲଢୁଥିଲେ ରୋଗୀ

ପୁରୀ:ହାତରେ ଲାଗିଛି ସାଲାଇନ । ଡାକ୍ତର କହିଲେ ଅବସ୍ଥା ଗୁରୁତର । ରେଫର କଲେ କଟକ ନେବାକୁ  । ଷ୍ଟ୍ରେଚରରେ ରୋଗୀଙ୍କୁ ପକାଇ ଲିଫ୍ଟରେ ଆଣିଲେ । ହେଲେ ଏ କ’ଣ ? ଅଧାବାଟରେ ଅଟକି ଗଲା ଲିଫ୍ଟ । ଏଣେ  ମରଣ ସହ ଲଢୁଛନ୍ତି ମହିଳା । ଗୋଟିଏ ମୁହୂର୍ତ୍ତ ବି ତାଙ୍କ ପାଇଁ ଥିଲା ମୂଲ୍ୟବାନ । ହେଲେ ସମୟ ତାଙ୍କ ପାଇଁ ଯେମିତି ଏଇ ଲିପ୍ଟରେ ଅଟକି ଯାଇଥିଲା ।  ଏ ଦୃଶ୍ୟ ଥିଲା ପୁରୀ ବଡ ମେଡିକାଲର ।

ଅଲିଶା ମିଶ୍ର ନାମ୍ନୀ ରୋଗୀ ଜଣକ ପୁରୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ନେବା ପାଇଁ ପରିବାର ଲୋକେ ବାହାରିଥିବାବେଳେ ଏମିତି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ପୁରା ଅଧଘଣ୍ଟା ଲିଫ୍ଟରେ ଅଟକି ରହିଲେ ରୋଗୀ । ସବୁଠାରୁ ବିଡମ୍ବନାର ବିଷୟ ଥିଲା ଉପସ୍ଥିତ କର୍ମଚାରୀ କହୁଥିଲେ, ଲିଫ୍ଟ ଚାବି ରଖିଥିବା ସିକ୍ୟୁରିଟି ଫୋନ ଉଠାଉ ନାହାନ୍ତି ।   ଭଗବାନଙ୍କ ଦୟାରୁ ଅଧଘଣ୍ଟା ପରେ ଲିଫ୍ଟ କାମ କଲା ଏବଂ ରୋଗୀଙ୍କୁ କଟକ ନିଆଯାଇଥିଲା ।

ହୁଏତ ଟିକିଏ ଡେରି ହୋଇଥିଲେ କିଛି ବି ଘଟି ଯାଇଥାନ୍ତା । ତେବେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଏ ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ଘଟୁଛି ।  ଏହି ଘଟଣାକୁ ନିନ୍ଦା କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଆଜି ଜିଲ୍ଲା ପରିଷଦ ବୈଠକରେ ପୁରୀ ଚିକିତ୍ସାଳୟର ଘୋର ଅବ୍ୟବସ୍ଥାକୁ ନେଇ ସିଡିଏମଓଙ୍କ ଉପରେ ବର୍ଷିଛନ୍ତି ପୁରୀ ବିଧାୟକ।

ସିଡିଏମଓ ଲୋକଙ୍କ ପାଇଁ କାମ କରନ୍ତି ନାହିଁ ବୋଲି ସେ ସିଧାସଳଖ ଅଭିଯୋଗ ଆଣିଛନ୍ତି ।ଅନ୍ୟପଟରେ ସିଡିଏମଓଙ୍କ ଖାମାଖିଆଲ ଉତ୍ତର ଚିନ୍ତା ବଢ଼ାଇଛି । ଲିଫ୍ଟ ସମସ୍ୟା ଦୀର୍ଘଦିନ ଧରି ରହିଥିବା ବେଳେ ଘଟଣାକୁ ଗୁରୁତର ସହ ନେବା ପରିବର୍ତ୍ତେ  ମାତ୍ର ୬ ସେକେଣ୍ଡର ପ୍ରତିକ୍ରିୟା ଦେଇ ପ୍ରସଙ୍ଗକୁ ଏଡାଇଛନ୍ତି ପୁରୀ ସିଡିଏମଓ ।

ଅନ୍ୟପଟରେ ଜିଲ୍ଲା ପରିଷଦ ବୈଠକରେ ପୁରୀ ମେଡିକାଲରେ ଅନେକ ଉପରେ ଆଲୋଚନା ହୋଇଛି ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଚିରାଚରିତ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସମୀର ଦାସ ।

Leave A Reply

Your email address will not be published.