ନୂଆଦିଲ୍ଲୀ: ଆମେରିକାରେ ଏକ ଗମ୍ଭୀର ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି । ଟ୍ରମ୍ପ ସିକ୍ରେଟ୍ ଭାବେ ପ୍ଲାନ କରିଥିଲେ । କିନ୍ତୁ ଟ୍ରମ୍ପଙ୍କ ସରକାରର ଅଧିକାରୀ ଏହାକୁ ଲିକ୍ କରିଦେଇଛନ୍ତି । ଯାହାକୁ ନେଇ ହଟଚମଟ ଚାଲିଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ଶୀର୍ଷ ଅଧିକାରୀମାନେ ଇୟେମେନର ହୁତି ବିଦ୍ରୋହୀଙ୍କ ଉପରେ ଆକ୍ରମଣର ଯୋଜନାକୁ ଭୁଲ୍ବଶତଃ ଜଣେ ସାମ୍ବାଦିକଙ୍କ ସହ ସେୟାର କରି ଦେଇଛନ୍ତି। ଏହି ଘଟଣା ଆମେରିକାର ଜାତୀୟ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଉଠାଇଛି । ଏବଂ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ପ୍ଲାନ୍ ଲିକ୍ ହେବା ପରେ ସଂପୃକ୍ତ ସାମ୍ବାଦିକ ଆଟଲାଣ୍ଟିକ ପତ୍ରିକାର ସମ୍ପାଦକ ଜେଫ୍ରି ଗୋଲ୍ଡବର୍ଗ ଖୁଲାସା କରିଛନ୍ତି ଯେ ତାଙ୍କୁ ହୁତି ଠିକଣା ଉପରେ ଆମେରିକୀୟ ଆକ୍ରମଣର ସୂଚନା ଦୁଇ ଘଣ୍ଟା ପୂର୍ବରୁ ମିଳିଥିଲା। ଏହି ସୂଚନା ଏକ ସିଗ୍ନାଲ ଗ୍ରୁପ୍ ଚାଟ୍ ମାଧ୍ୟମରେ ଭୁଲ୍ବଶତଃ ସେୟାର କରାଯାଇଥିଲା । ଯେଉଁଥିରେ ଅନେକ ବରିଷ୍ଠ ଆମେରିକାର ଅଧିକାରୀ ସାମିଲ ଥିଲେ।ଗୋଲ୍ଡବର୍ଗ କହିଛନ୍ତି ଯେ ତାଙ୍କୁ ହଠାତ୍ ଏକ ଗ୍ରୁପ୍ ଚାଟ୍ର ଇନଭିଟେସନ ମିଳିଥିଲା, ଯାହାକୁ ସେ ପ୍ରଥମେ ଅଣଦେଖା କରିଥିଲେ। କିନ୍ତୁ ପରେ ଯେତେବେଳେ ସେ ଏଥିରେ ଚାଲିଥିବା କଥାବାର୍ତ୍ତା ଉପରେ ଧ୍ୟାନ ଦେଲେ, ଜାଣିବାକୁ ପାଇଲେ ଯେ ଏଥିରେ ରକ୍ଷା ମନ୍ତ୍ରୀ ପିଟ୍ ହେଗସେଥ୍, ଉପରାଷ୍ଟ୍ରପତି ଜେଡି ଭାନ୍ସ, ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକ ତୁଲସୀ ଗବାର୍ଡ ପ୍ରମୁଖ ସାମିଲ ଅଛନ୍ତି।
ଗୋଲ୍ଡବର୍ଗଙ୍କ ଅନୁସାରେ, ଚାଟ୍ ଗ୍ରୁପ୍ର ନାମ ଥିଲା “ହୁତି ପିସି ସ୍ମଲ୍ ଗ୍ରୁପ୍”, ଯେଉଁଠାରେ ଯୁଦ୍ଧ ରଣନୀତି ଏବଂ ଆକ୍ରମଣର ସମ୍ଭାବ୍ୟ ସମୟ ନେଇ ଆଲୋଚନା ଚାଲିଥିଲା। ଚାଟ୍ରେ ଉପସ୍ଥିତ ଲୋକମାନଙ୍କୁ ଏହାର କୌଣସି ଧାରଣା ନଥିଲା ଯେ ଜଣେ ସାମ୍ବାଦିକ ମଧ୍ୟ ଏହାକୁ ପଢୁଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସ୍ଥାନୀୟ ସମୟ ଅନୁସାରେ ମଧ୍ୟାହ୍ନ ଗୋଟାଏ ୪୫ରେ ଆକ୍ରମଣର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଯେତେବେଳେ ସେ ଏହାର ସତ୍ୟତା ଯାଞ୍ଚ ପାଇଁ ସୋସିଆଲ ମିଡିଆ ଦେଖିଲେ, ତେବେ ଜାଣିପାରିଲେ ଯେ ୧୦ ମିନିଟ୍ ପରେ ହିଁ ଇୟେମେନର ରାଜଧାନୀ ସାନାରେ ବିସ୍ଫୋରଣର ଖବର ଆସିବା ଆରମ୍ଭ ହୋଇଗଲା। ଏହି ଅସାବଧାନତା ଉପରେ ଡେମୋକ୍ରାଟିକ୍ ପାର୍ଟିର ନେତାମାନେ କଡା ପ୍ରତିକ୍ରିୟା ଦେଇଛନ୍ତି। ସାଂସଦ ଟିମ୍ ଓ୍ଵାଲ୍ଜ ଏହା ଉପରେ ଟ୍ଵିଟ୍ କରି କହିଛନ୍ତି, “ରକ୍ଷା ମନ୍ତ୍ରୀ ଯୁଦ୍ଧ ରଣନୀତିକୁ କୌଣସି ପାର୍ଟିର ନିମନ୍ତ୍ରଣ ପରି ପଠାଉଛନ୍ତି। ଏହା ଆମେରିକାର ଜାତୀୟ ସୁରକ୍ଷା ପାଇଁ ଏକ ଗମ୍ଭୀର ବିପଦ।”
କଂଗ୍ରେସରେ ଏହି ମାମଲାର ତଦନ୍ତର ଦାବି ଉଠିବା ଆରମ୍ଭ ହୋଇଛି। ଅନେକ ଅଧିକାରୀଙ୍କ ଉପରେ ଗୋପନୀୟ ସୂଚନା ଲିକ୍ କରିବାର ଅଭିଯୋଗ ଲାଗିପାରେ। ଗୋଲ୍ଡବର୍ଗ ପ୍ରଥମେ ଏହା ଉପରେ ସନ୍ଦେହ ପ୍ରକାଶ କରିଥିଲେ ଯେ ଏହା କୌଣସି ପ୍ରୋପାଗାଣ୍ଡା କିମ୍ବା ସାଇବର ଆକ୍ରମଣ ହୋଇପାରେ। କିନ୍ତୁ ଯେତେବେଳେ ସେ ଗ୍ରୁପ୍ ଚାଟ୍ରେ ସାମିଲ ଅଧିକାରୀଙ୍କ ସହ ଯୋଗାଯୋଗ କଲେ ଏବଂ ଜାତୀୟ ସୁରକ୍ଷା ପରିଷଦର ମୁଖପାତ୍ର ବ୍ରାୟାନ ହ୍ୟୁଜେସ୍ ଏବାବଦରେ ଜାଣିଲେ ସ୍ପଷ୍ଟ ହେଲା ଯେ ଏହା ପ୍ରକୃତରେ ଏକ ପ୍ରଶାସନିକ ଭୁଲ୍ ଥିଲା।
Comments are closed.