ନୂଆଦିଲ୍ଲୀ: ବିଶ୍ୱରେ ଯେତେବେଳେ ମଧ୍ୟ ବିପଜ୍ଜନକ ଅସ୍ତ୍ରଶସ୍ତ୍ରର କଥା ଉଠେ, ପରମାଣୁ ବୋମାର ନାମ ସବୁଠାରୁ ଆଗରେ ଆସିଥାଏ। ପରମାଣୁ ବୋମା ଏପରି ଅସ୍ତ୍ର ଯାହା ମାନବ ସଭ୍ୟତା ପାଇଁ ସବୁଠାରୁ ବଡ଼ ବିପଦ ସୃଷ୍ଟି କରିପାରେ। ଏହାର ଭୟଙ୍କରତା ବିଶ୍ୱ ପ୍ରଥମେ ଦେଖିଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ, ଯେତେବେଳେ ଆମେରିକା ଜାପାନର ହିରୋଶିମା ଓ ନାଗାସାକି ଉପରେ ପରମାଣୁ ବୋମା ପକାଇଥିଲା। ଏହି ଆକ୍ରମଣରେ ଉଭୟ ସହରର ପ୍ରାୟ ୧.୫ ଲକ୍ଷରୁ ଅଧିକ ଜନସଂଖ୍ୟା ଧ୍ୱଂସ ହୋଇଯାଇଥିଲା। ଏତିକି ନୁହେଁ, ପରମାଣୁ ବୋମାରୁ ନିର୍ଗତ ବିକିରଣର ପ୍ରଭାବ ବର୍ଷ ବର୍ଷ ଧରି ରହିଥିଲା।
ବର୍ତ୍ତମାନ ବିଶ୍ୱରେ ୯ଟି ଦେଶ ପରମାଣୁ ଅସ୍ତ୍ର ନିଜ ପାଖରେ ରଖିଛନ୍ତି। ଏହି ଦେଶଗୁଡ଼ିକ ହେଉଛି ଆମେରିକା, ରୁଷିଆ, ଚୀନ, ବ୍ରିଟେନ, ଫ୍ରାନ୍ସ, ଭାରତ, ପାକିସ୍ତାନ, ଇଜରାଏଲ ଓ ଉତ୍ତର କୋରିଆ। ବିଶ୍ୱରେ ଥିବା ମୋଟ ପରମାଣୁ ଅସ୍ତ୍ରର ୯୦ ପ୍ରତିଶତ କେବଳ ଆମେରିକା ଓ ରୁଷିଆ ପାଖରେ ରହିଛି। ବିଶ୍ୱରେ ଅନ୍ୟ କୌଣସି ଦେଶକୁ ପରମାଣୁ ଅସ୍ତ୍ର ବିକଶିତ କରିବାର ଅନୁମତି ନାହିଁ। କିନ୍ତୁ ଆପଣ କେବେ ଜାଣିଛନ୍ତି କି, ଏକ ଦେଶ ନିଜର ପରମାଣୁ ଅସ୍ତ୍ର ନିଜେ ନଷ୍ଟ କରିଦେଇଥିଲା?
ବର୍ତ୍ତମାନ ବିଶ୍ୱରେ ୯ଟି ଦେଶ ପରମାଣୁ ଅସ୍ତ୍ର ରଖିଛନ୍ତି, କିନ୍ତୁ କେବଳ ୫ଟି ଦେଶକୁ ଏହା ଅଧିକାରିକ ଭାବେ ରଖିବାର ଅଧିକାର ରହିଛି। ଏହି ଦେଶଗୁଡ଼ିକ ହେଉଛି ଆମେରିକା, ରୁଷିଆ, ଫ୍ରାନ୍ସ, ଚୀନ ଓ ବ୍ରିଟେନ, ଯେଉଁମାନେ ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଟ୍ରିଟି ଆସିବା ପୂର୍ବରୁ ପରମାଣୁ ଅସ୍ତ୍ର ବିକଶିତ କରିସାରିଥିଲେ। ଏହା ବ୍ୟତୀତ, ଭାରତ, ପାକିସ୍ତାନ, ଇଜରାଏଲ ଓ ଉତ୍ତର କୋରିଆ ଏହି ସନ୍ଧିକୁ ମାନୁ ନାହାନ୍ତି। ଏହି ଦେଶଗୁଡ଼ିକ ବ୍ୟତୀତ ଆଉ ଏକ ଦେଶ ଥିଲା, ଯାହା ପରମାଣୁ ଅସ୍ତ୍ର ବିକଶିତ କରିଥିଲା। ସେହି ଦେଶ ହେଉଛି ଦକ୍ଷିଣ ଆଫ୍ରିକା।
ବିଶ୍ୱର ୯ଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକା ହେଉଛି ଏକମାତ୍ର ଦେଶ, ଯାହା ୧୦ମ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ହୋଇଥାନ୍ତା। ଏହାର ଖୁଲାସା କରିଥିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଫ୍ରେଡେରିକ ବିଲିୟମ ଡି କ୍ଲାର୍କ। ସେ ସଂସଦରେ ଦେଇଥିବା ଏକ ଭାଷଣରେ କହିଥିଲେ ଯେ, ଦକ୍ଷିଣ ଆଫ୍ରିକା ୬ଟି ପରମାଣୁ ବୋମା ନିର୍ମାଣ କରିସାରିଥିଲା। କିନ୍ତୁ ନ୍ୟୁକ୍ଲିୟର ନନ୍-ପ୍ରୋଲିଫେରେସନ ଟ୍ରିଟିରେ ସାମିଲ ହେବା ପୂର୍ବରୁ ଏହି ଦେଶ ନିଜର ସମସ୍ତ ପରମାଣୁ ଅସ୍ତ୍ରକୁ ନଷ୍ଟ କରିଦେଇଥିଲା। ୧୯୯୩ରେ ରାଷ୍ଟ୍ରପତି କ୍ଲାର୍କ ଏହାର ଖୁଲାସା କରିଥିଲେ। ସେ କହିଥିଲେ ଯେ, ସାମରିକ ଆବଶ୍ୟକତା ପାଇଁ ଦେଶର ପରମାଣୁ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଇଛି।
Comments are closed.