ନୂଆଦିଲ୍ଲୀ: ୨୦୨୫ ବର୍ଷରେ ମଧ୍ୟ ବାଲ୍ୟ ବିବାହ ବିଶ୍ୱବ୍ୟାପୀ ମାନବାଧିକାରର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଭାବେ ରହିଛି। ଅନେକ ଦେଶ ଏହି ପ୍ରଥାକୁ ଉଚ୍ଛେଦ କରିବା ପାଇଁ କଡ଼ା ଆଇନଗତ ଏବଂ ସାମାଜିକ ପଦକ୍ଷେପ ନେଇଛନ୍ତି, ତଥାପି ଲକ୍ଷ ଲକ୍ଷ ପିଲାଙ୍କର ବିବାହ ୧୮ ବର୍ଷ ବୟସ ପୂର୍ବରୁ ହୋଇଯାଉଛି। ଆସନ୍ତୁ ଜାଣିବା ବିଶ୍ୱରେ ସବୁଠାରୁ ଅଧିକ ବାଲ୍ୟ ବିବାହ କେଉଁ ଦେଶରେ ହୋଇଛି।
୨୦୨୫ର ନୂଆ ତଥ୍ୟ ଅନୁଯାୟୀ, ନାଇଜରରେ ସବୁଠାରୁ ଅଧିକ ବାଲ୍ୟ ବିବାହ ହୋଇଛି। ନାଇଜରରେ ପ୍ରାୟ ୭୬% ଝିଅଙ୍କର ବିବାହ ୧୮ ବର୍ଷ ପୂର୍ବରୁ ହୋଇଯାଏ ଏବଂ ପ୍ରାୟ ୨୮% ଝିଅଙ୍କର ବିବାହ ୧୫ ବର୍ଷ ପୂର୍ବରୁ ହୋଇଯାଏ। ମାରାଡି ଭଳି କିଛି ଅଞ୍ଚଳରେ ସ୍ଥିତି ଆହୁରି ଚିନ୍ତାଜନକ, ଯେଉଁଠାରେ ବାଲ୍ୟ ବିବାହର ହାର ୮୯% ପର୍ଯ୍ୟନ୍ତ ପହଞ୍ଚିଛି। ଏହି ସଙ୍କଟର ପଛରେ ଦେଶର ଆଇନ୍ ଢାଞ୍ଚା ରହିଛି। ନାଇଜରରେ ପୁଅଙ୍କ ପାଇଁ ବିବାହର ନ୍ୟୂନତମ ବୟସ ୧୮ ବର୍ଷ ହୋଇଥିବା ବେଳେ ଝିଅଙ୍କ ପାଇଁ ଆଇନ ଭାବେ କେବଳ ୧୫ ବର୍ଷ।
ଅତ୍ୟଧିକ ଦାରିଦ୍ର୍ୟ ନାଇଜର ଏବଂ ଅନ୍ୟ ଆଫ୍ରିକୀୟ ଦେଶମାନଙ୍କରେ ବାଲ୍ୟ ବିବାହକୁ ବଢ଼ାଇବାରେ ବଡ଼ ଭୂମିକା ନିର୍ବାହ କରୁଛି। ଜୀବିକା ନିର୍ବାହ ପାଇଁ ସଂଘର୍ଷ କରୁଥିବା ପରିବାରମାନେ ପ୍ରାୟତଃ ଶୀଘ୍ର ବିବାହ କରାଉଛନ୍ତି । କମ୍ ଶିକ୍ଷା ଏହି ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ଯେଉଁ ଝିଅମାନେ ସ୍କୁଲ୍ ଛାଡ଼ି ଦିଅନ୍ତି, ସେମାନଙ୍କର ଶୀଘ୍ର ବିବାହ ହେବାର ସମ୍ଭାବନା ବହୁତ ଅଧିକ।
ନାଇଜର ପରେ ସେଣ୍ଟ୍ରାଲ୍ ଆଫ୍ରିକାନ୍ ରିପବ୍ଲିକ୍, ଚାଡ୍ ଏବଂ ମାଲି ଭଳି ଦେଶମାନଙ୍କରେ ବିଶ୍ୱର ସବୁଠାରୁ ଉଚ୍ଚ ବାଲ୍ୟ ବିବାହ ହାର ଦେଖାଯାଇଛି। ସେଣ୍ଟ୍ରାଲ୍ ଆଫ୍ରିକାନ୍ ରିପବ୍ଲିକ୍ରେ ପ୍ରାୟ ୬୮%, ଚାଡ୍ରେ ୬୭% ଏବଂ ମାଲିରେ ୫୪% ହାର ରିପୋର୍ଟ ହୋଇଛି।
ନାଇଜର ପ୍ରତିଶତ ହିସାବରେ ସବୁଠାରୁ ଆଗରେ ଥିବା ବେଳେ ଭାରତର ଏକ ଭିନ୍ନ ଏବଂ ସମାନ ଚିନ୍ତାଜନକ ରେକର୍ଡ ରହିଛି। ବିଶାଳ ଜନସଂଖ୍ୟା ଯୋଗୁ ଭାରତରେ ବିଶ୍ୱର ସବୁଠାରୁ ଅଧିକ ବାଲ୍ୟ ବଧୂ ରହିଛନ୍ତି। ୨୦୨୫ ପର୍ଯ୍ୟନ୍ତ ଭାରତରେ ଆନୁମାନିକ ୨୨.୨୪ କୋଟି ମହିଳାଙ୍କର ବିବାହ ୧୮ ବର୍ଷ ପୂର୍ବରୁ ହୋଇଥିଲା। ସରଳ ଭାଷାରେ କହିଲେ, ବିଶ୍ୱର ପ୍ରତି ତିନି ଜଣ ବାଲ୍ୟ ବଧୂଙ୍କ ମଧ୍ୟରୁ ଜଣେ ଭାରତରେ ରହୁଛନ୍ତି।