Latest Odisha News

BREAKING NEWS

ଆଜି ବିଶ୍ୱ ନୃତ୍ୟ ଦିବସ, ଡିଜିଟାଲ ପ୍ଲାଟଫର୍ମରେ ହେବ ନୃତ୍ୟ ପରିବେଷଣ

ଭୁବନେଶ୍ୱର : ଆଜି ବିଶ୍ୱ ନୃତ୍ୟ ଦିବସ । ଆମର କଳା ସଂସ୍କୃତି ତଥା ନୃତ୍ୟର ପ୍ରଚାର ପ୍ରସାର କରିବା ଉଦ୍ଦେଶ୍ୟରେ ୧୯୮୨ ମସିହାରୁ ପାଳିତ ହୋଇଆସୁଛି ବିଶ୍ୱ ନୃତ୍ୟ ଦିବସ । ପ୍ରତିବର୍ଷ ଏକ ଥିମ୍‌କୁ ନେଇ ଏହା ପାଳିତ ହୋଇଥାଏ ।

ତେବେ ଚଳିତ ବର୍ଷ କରୋନା ପାଇଁ ବିଶ୍ୱ ନୃତ୍ୟ ଦିବସରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି । ତେବେ ଏଥର ଡିଜିଟାଲ ପ୍ଲାଟଫର୍ମରେ ପାଳନ ହେବ ବିଶ୍ୱ ନୃତ୍ୟ ଉତ୍ସବ । ସୋସିଆଲ ମିଡିଆରେ ଏକାଠି ହେବେ ବିଶ୍ୱର କୋଣ ଅନୁକୋଣର ନୃତ୍ୟ ଶିଳ୍ପୀ । ଦେଖିବାକୁ ମିଳିବ ଏକକ, ଯୁଗଳବନ୍ଦୀ ଓ ବୃନ୍ଦ ନୃତ୍ୟ । ଶିଷ୍ୟମାନଙ୍କ ସହ ଗୁରୁମାନଙ୍କ ନୃତ୍ୟ ଫେସବୁକ୍‌, ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଦେଖିବାକୁ ମିଳିବ ।

ଦିଲ୍ଲୀର ଏକ ନୃତ୍ୟ ସଂସ୍ଥା ପକ୍ଷରୁ ଶାସ୍ତ୍ରୀୟ ନୃତ୍ୟକୁ ନେଇ ଆଜି ଅନୁଷ୍ଠିତ ହେବ ‘ଡ୍ୟାନ୍ସ ଫ୍ରମ ହୋମ’ କାର୍ଯ୍ୟକ୍ରମ । ଏଥିରେ ବିଶ୍ୱର ୭୫ରୁ ଅଧିକ ନୃତ୍ୟଗୁରୁ, କୋରିଓଗ୍ରାଫର ଓ ନୃତ୍ୟଶିଳ୍ପୀ ଘରେ ରହି ଓଡିଶୀ ନୃତ୍ୟ ପରିବେଷଣ କରିବେ ।

ଗୁରୁ କେଳୁଚରଣ ମହାପାତ୍ର ଓ ଗିରିଜା ଦେବୀଙ୍କ ଯୁଗଳବନ୍ଦୀ ଦେଖିବାକୁ ମିଳିବ । ନୃତ୍ୟ ଅନୁଷ୍ଠାନ ସୃଜନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଜି ସନ୍ଧ୍ୟା ୭ଟାରେ ଫେସବୁକ୍ ଓ ଇନଷ୍ଟାଗ୍ରାମରେ ଏହାର ଲାଇଭ କରାଯିବ ।

ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ୫ ଜଣ ବିଶିଷ୍ଟ ନୃତ୍ୟଶିଳ୍ପୀ ଗୁରୁଜୀଙ୍କ ଏକ ପ୍ରସ୍ତୁତି ‘ଶଙ୍କରାଭରଣ ପଲ୍ଲବୀ’ ପରିବେଷଣ କରିବେ । ନୃତ୍ୟପ୍ରେମୀ ଘରେ ରହି ଏହାକୁ ଉପଭୋଗ କରିପାରିବେ ବୋଲି ସୃଜନ ପକ୍ଷରୁ କୁହାଯାଇଛି ।

ସେହିପରି ବିଶିଷ୍ଟ ନୃତ୍ୟଶିଳ୍ପୀ ମୀରା ଦାସ ଓ ତାଙ୍କ ଶିଷ୍ୟଙ୍କ ପକ୍ଷରୁ ମଧ୍ୟ ନୃତ୍ୟ ପରିବେଷଣ କରାଯିବ ।

ପ୍ରତିବର୍ଷ ବିଶ୍ୱ ନୃତ୍ୟ ଦିବସରେ ଗୁଂଜନ ଆମ୍ଫିଥିଏଟରରେ କାର୍ଯ୍ୟକ୍ରମ ହେଉଥିବା ବେଳେ ଏବର୍ଷ କରୋନା ଯୋଗୁଁ ବାତିଲ କରାଯାଇଛି । ଦୂରରେ ରହି ଅର୍ଥାତ ନୃତ୍ୟଶିଳ୍ପୀମାନେ ଘରେ ରହି ଗୋଟିଏ ଗୀତରେ ନିଜ କୋରିଓଗ୍ରାଫିରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ଦର୍ଶକ ସୋସିଆଲ ମିଡିଆରେ ଦେଖିପାରିବେ ।

ବିଶିଷ୍ଟ ନୃତ୍ୟଗୁରୁ ଇଲିଆନା ସୀତାରିଷ୍ଟଙ୍କ ଆର୍ଟ ଭିଜନ ପକ୍ଷରୁ ମଧ୍ୟ ଏକ ନୃତ୍ୟ ପରିବେଷଣ ହେବ । ସେହିପରି ନୃତ୍ୟଗୁରୁ ସୋନାଲି ମିଶ୍ର, ନୃତ୍ୟଗୁରୁ ସୀକତା ଦାସ ଓ ସାଥୀମାନେ ଏଥିରେ ସାମିଲ ହେବେ ।

ପୁରୀରୁ ନୃତ୍ୟଗୁରୁ ନାରାୟଣ ପଣ୍ଡା, କୁମାର ଭୀନସେନ ଓ ସାଥୀମାନେ ନୃତ୍ୟ ପରିବେଷଣ କରିବେ । ବେଙ୍ଗୁଳୁରୁରୁ ନୃତ୍ୟ ଶିଳ୍ପୀ ସରିତା ମିଶ୍ର ଓ ଦେବାଶିଷ ପଟ୍ଟନାୟକ ମଧ୍ୟ ଏହି ସାମୂହିକ ନୃତ୍ୟରେ ସାମିଲ ହେବେ ବୋଲି ଜଣାପଡିଛି ।

ଏମାନଙ୍କ ବ୍ୟତୀତ ଆମେରିକା, ପେରୁ, ପ୍ୟାରିସ୍ ପରି ଦେଶରୁ ନୃତ୍ୟଶିଳ୍ପୀମାନେ ଯୋଡି ହେବ । ଆମ ରାଜ୍ୟ ତଥା ଦେଶର କୋଣ ଅନୁକୋଣରେ ଥିବା ନୃତ୍ୟ ଶିଳ୍ପୀ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.