Latest Odisha News

BREAKING NEWS

OTT ପ୍ଲାଟଫର୍ମରେ ସୃଜନଶୀଳତା ନାଁରେ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ : ଅନୁରାଗ

ନାଗପୁର : ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି । ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।

ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି । ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ । କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା ପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଇନାହିଁ । ଅନୁରାଗ କହିଛନ୍ତି, ସୀମା ଉଲ୍ଲଙ୍ଘନ କଲେ ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅସଭ୍ୟତାକୁ ଆଦୌ ସ୍ୱୀକାର କରାଯିବ ନାହିଁ । ଏହା ଉପରେ ଯାହାକିଛି ଜରୁରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେବ ସେଥିରେ ସରକାର ପଛଘୁଞ୍ଚା ଦେବେ ନାହିଁ ।

ଅନୁରାଗ କହିଛନ୍ତି, ବର୍ତ୍ତମାନ ରହିଥିବା ବ୍ୟବସ୍ଥା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ପ୍ରଯୋଜକମାନେ ଏଭଳି ଅଭିଯୋଗର ସମାଧାନ କରିବେ । ୯୦ରୁ ୯୨% ଅଭିଯୋଗ କ୍ଷେତ୍ରରେ ପ୍ରଯୋଜକମାନେ ନିଜଆଡ଼ୁ ପରିବର୍ତ୍ତନ କରି ସେଗୁଡ଼ିକର ସମାଧାନ କରୁଛନ୍ତି । ଏହାପରେ ସେମାନଙ୍କର ଆସୋସିଏସନସ୍ତରରେ ଅଭିଯୋଗ ସମାଧାନ କରାଯାଇଥାଏ। ଅଧିକାଂଶ ଅଭିଯୋଗ ଏହି ସ୍ତରରେ ମଧ୍ୟ ସମାଧାନ କରାଯାଉଛି । ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ନିକଟରେ ଅଭିଯୋଗ କରାଗଲେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ବିଭାଗୀୟ କମିଟି ସେ ଦିଗରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଏ ଦିଗରେ ଆମକୁ କିଛି ପରିବର୍ତ୍ତନ ଆଣିବାକୁ ପଡ଼ିବ ଏବଂ ଏ ବିଷୟରେ ଆମେ ଗମ୍ଭୀରତାର ସହିତ ବିଚାର କରୁଛୁ ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

Comments are closed.