ନୂଆଦିଲ୍ଲୀ:ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କ ମାମଲାରେ ନୂଆ ମୋଡ଼ । ନିଆଁ ଲିଭାଇବା ସମୟରେ ବିଚାରପତିଙ୍କ ଘରୁ ମିଳିନାହିଁ କୌଣସି ଟଙ୍କା । ଏଭଳି କିଛି କହିଛି ଅଗ୍ନିଶମ ବିଭାଗ । ଦିଲ୍ଲୀ ଅଗ୍ନିଶମ ସେବା ମୁଖ୍ୟ ଅତୁଲ ଗର୍ଗ କହିଛନ୍ତି, ନିଆଁ ଲିଭାଇବା ସମୟରେ କୌଣସି କର୍ମଚାରୀ ବିଚାରପତିଙ୍କ ଘରୁ କିଛି ବି ଟଙ୍କା ପାଇନଥିଲେ । ୧୪ ମାର୍ଚ୍ଚ, ରାତି ୧୧ଟା ୩୫ ମିନିଟରେ ବିଚାରପତିଙ୍କ ଘରେ ନିଆଁ ଲାଗିଥିଲା । ଖବର ପାଇ ପହଞ୍ଚିବାର ୧୫ ମିନିଟ ପରେ ନିଆଁ ଆୟତ୍ତ ହୋଇଥିଲା । ତେବେ ଏହି ସମୟରେ କୌଣସି ଟଙ୍କା ମିଳିନଥିଲା । ପୂର୍ବରୁ ନିଆଁ ଲିଭା ସମୟରେ ଟଙ୍କା ମିଳିଥିବା ନେଇ ଖବର ସାମ୍ନାକୁ ଆସିଥିଲା ।
ଏପଟେ ନଗଦ ଟଙ୍କା ମିଳିବା ଘଟଣାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି । ଏ ନେଇ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏକ ରିପୋର୍ଟ ମଗାଯାଇଛି । ସେପଟେ ଦିଲ୍ଲୀ ହାଇକୋର୍ଟର ବିଚାରପତି ଯଶବନ୍ତ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରାଯାଇଛି । ତେବେ ଏହା ସହ ଟଙ୍କା ଜବତ ଘଟଣାର କୌଣସି ସମ୍ପର୍କ ନାହିଁ । ଯାଞ୍ଚ ଓ ଟ୍ରାନ୍ସଫର ଅଲଗା ଅଲଗା ପ୍ରସଙ୍ଗ ବୋଲି ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି ।
ଦିଲ୍ଲୀ ହାଇକୋର୍ଟରେ ବିଚାରପତି ଭାବେ କାମ କରୁଥିବା ଜଷ୍ଟିସ ବର୍ମାଙ୍କ ଘରୁ ପୁଳାପୁଳା ଟଙ୍କା ମିଳିବା ପରେ ଦେଶର ନ୍ୟାୟିକ ବ୍ୟବସ୍ଥାକୁ ମଧ୍ୟ ପ୍ରଭାବିତ କରାଯାଇ ପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ସୁପ୍ରିମକୋର୍ଟ କଲେଜିୟମ ଟଙ୍କା ମିଳିବା ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି । ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହେବା ପୂର୍ବରୁ ଜଷ୍ଟିସ ବର୍ମା ଆହ୍ଲାବାଦ ହାଇକୋର୍ଟରେ କାର୍ଯ୍ୟ କରୁଥିଲେ। ୨୦୨୧ରେ ତାଙ୍କୁ ଦିଲ୍ଲୀ ହାଇକୋର୍ଟକୁ ବଦଳି କରାଯାଇଥିଲା ।