Latest Odisha News

BREAKING NEWS

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

‘କର୍ପୂର ତିଳକଂ ଲଲାଟ ପଟଳେ, ବକ୍ଷସ୍ଥଳେ କୌସ୍ଥଭଂ।
ନାସାଗ୍ରେ ବରମୌକ୍ତିକଂ କରତଳେ, ବେଣୁ କରେ କଙ୍କଣମ୍।
ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ, କଣ୍ଠେ ଚ ମୁକ୍ତାବଳି।
ଗୋପସ୍ତ୍ରୀ ପରିବେଷ୍ଟିତେ ବିଜୟତେ, ଶ୍ରୀଗୋପାଳ ଚୂଡ଼ାମଣୀ ।’

ଆମ କାଳିଆ ସାଆନ୍ତ ବଡ଼ ବିଚିତ୍ର ଦିଅଁ ଆଉ ବହୁତ ଲୀଳାମୟ ବି । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଏତେ ଭାବମୟ ଆଉ ରହସ୍ୟମୟ ଯେ, ଜଗତରେ ଏମିତି ପରମ୍ପରା ଆଉ କାହାରି ପାଖରେ ବି ନ ଥିବ ଯାହା ଆମ ଲୀଳାମୟ ଜଗନ୍ନାଥଙ୍କ ଠାରେ ପ୍ରଚଳିତ । ପବିତ୍ର ଜନ୍ମାଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥାଏ । ସ୍ୱୟଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମାତା ଦେବକୀ ରୂପରେ ସପ୍ତମୀର ବିଳମ୍ବିତ ରାତ୍ରରେ ଶ୍ରୀକୃଷ୍ଣଙ୍କୁ ଗର୍ଭରେ ଧାରଣ କରନ୍ତି । ତେଣୁ ପ୍ରସବ ବେଦନାକୁ ଲାଘବ କରିବା ନିମନ୍ତେ ମହାପ୍ରଭୁଙ୍କୁ ଯେଉଟ ଭୋଗ କରାଯିବା ସଙ୍ଗେ ସଙ୍ଗେ ଗର୍ଭଉଦକ ଦିଆଯାଏ । ପୁନଃ ଅଷ୍ଟମୀ ତିଥିରେ ଅର୍ଥାତ୍ ମହାପ୍ରଭୁ ଜଗନ୍ନାଥ ନିଜେ ପୁତ୍ର ହୋଇ ଜନ୍ମ ନିଅନ୍ତି ଜ୍ଝ ଏହାର ଅର୍ଥ ସ୍ୱୟଂ ମହାପ୍ରଭୁ ଶ୍ରୀଜଗନ୍ନାଥ ନିଜେ ମାତା ଦେବକୀ ହୁଅନ୍ତି ଏବଂ ନିଜେ ପୁତ୍ର

‘ଶ୍ରୀକୃଷ୍ଣ ବି ହୁଅନ୍ତି ।
ଶ୍ରୀଜଗନ୍ନାଥ ଷୋଳକଳା
ତହୁଁ ବଳା ଏ ନନ୍ଦ ବଳା ।
ସେ କଳା ଭାଗ ଭାଗ କରି
ଗୋପେ ବିହରେ ନରହରି ।।
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ। ।’

ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି :-

ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପରେ ଜୟବିଜୟ ଦ୍ୱାରା ପଡିବା ପରେ ପୂଜାପଣ୍ଡାଙ୍କ ଦ୍ୱାରା ପଞ୍ଚମୁରୁଜର ମଣ୍ଡଳ କଟାଯାଇ ଜନ୍ମନୀତି ଆରମ୍ଭ କରାଯାଇଥାଏ । ରୂପା ପଦ୍ମପାଖୁଡାରେ ଶ୍ରୀକୃଷ୍ଣଙ୍କ ସୁବର୍ଣ୍ଣପ୍ରତିମା ରଖାଯାଇ ପଞ୍ଚ ଉପଚାରରେ ପୂଜାବିଧି ଅନୁଷ୍ଠିତ ହୋଇଥାଏ । ପରେ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ରତ୍ନସିଂହାସରେ ବିଜେ କରାଯାଇଥାଏ । ସେଠାରେ ମହାପ୍ରଭୁଙ୍କ ବାଡରୁ ଆଜ୍ଞାମାଳ ପାଇଁ ମଦନ ମୋହନ ଜନ୍ମଚକଡାରେ ବିଜେ କରିଥାନ୍ତି । ସେଠାରେ ଦୁଇଜଣ ମହାଜନ ସେବାୟତ ଦେବକୀ ଓ ବସୁଦେବଙ୍କ ରୂପରେ ଶ୍ରୀକୃଷ୍ଣଙ୍କୁ କଣ୍ଡୁସି ଭୋଗ କରିଥାନ୍ତି । ଏହି ସମୟରେ ଶ୍ରୀମନ୍ଦିରକୁ ଅନ୍ଧକାର କରାଯାଇଥାଏ । ସେଠାରୁ ଶ୍ରୀକୃଷ୍ଣଙ୍କୁ ଝୁଲଣ ମଣ୍ଡପ ଦେଇ ସରସ୍ୱତୀ ମନ୍ଦିର ନିକଟକୁ ନିଆଯାଇଥାଏ ।

ବିଭିନ୍ନ ନୀତିକାନ୍ତି ସହ ଶ୍ରୀକୃଷ୍ଣଙ୍କୁ ରୂପା ସାମୁକାରେ କ୍ଷୀର ପାନ ସହ ନାଭିଛେଦନ ନୀତି କରାଯାଇଥାଏ । କୃଷ୍ଣ ଜନ୍ମ ପରେ ମହାଭୋଇ ସେବାୟତମାନେ କ୍ଷୀର, ସର, ଲବଣୀ ଆଦି ପ୍ରସ୍ତୁତ କରି କୃଷ୍ଣଙ୍କୁ ଅର୍ପଣ କରିବାର ନୀତି ରହିଛି । ଶ୍ରୀମନ୍ଦିରରେ କୃଷ୍ଣ ଜନ୍ମନିତୀ ପାରମ୍ପରିକ ରୀତି ନୀତି ଅନୁସାରେ ପାଳନ କରାଯାଇଥାଏ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସମୟ ନିର୍ଘଣ୍ଟ କରାଯାଇଛି । ସେହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

‘ଦୀନବନ୍ଧୋ କୃପାସିନ୍ଧୋ ଧର୍ମପାଳନତତ୍ପର !
ଦାନବାନାଂ ବିନାଶାୟ ଋକ୍ଷଣାୟ ସତ୍ୟଂ ପୁନଃ ॥
ତ୍ୱତ୍ତୋ ଭବନ୍ତି ମତ୍ସାଦ୍ୟା ଅବତାରାସ୍ତବାଜ୍ଞୟା !
ଇଦାନୀଂ କୃଷ୍ଣଚନ୍ଦ୍ରସ୍ୟ ଜନ୍ମନେ ପଦ୍ମଲୋଚନ !
ଆଜ୍ଞାଂ କରୁ ମହାବାହୋ ଦାରୁବ୍ରହ୍ମ ନମୋସ୍ତୁତେ !!’

(ଲେଖକ ଜଣେ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ ସ୍ତମ୍ଭକାର)

ବିଶେଷ ଦ୍ରଷ୍ଟବ୍ୟ: ଏହି ସ୍ତମ୍ଭରେ ପ୍ରକାଶିତ ହୋଇଥିବା ବିଚାର ବା ମତ ସମ୍ପୂର୍ଣ୍ଣ ଭାବେ ଲେଖକଙ୍କର ନିଜସ୍ୱ ଅଟେ । ଏହି ସ୍ତମ୍ଭରେ ପ୍ରକାଶିତ କୌଣସି ଅଂଶ ଲାଗି Odishasambad.in ର ସମ୍ପାଦନା ମଣ୍ଡଳୀ ଦାୟୀ ନୁହଁନ୍ତି ।

Leave A Reply

Your email address will not be published.