ନୂଆଦିଲ୍ଲୀ: ଅନେକଙ୍କୁ ଏୟାର ହୋଷ୍ଟେସ୍ର କାମ ବେଶ୍ ସହଜ ଓ ଆକର୍ଷଣୀୟ ଲାଗେ। ସେମାନେ ଭାବନ୍ତି ଯେ ଏକ ସୁନ୍ଦର ୟୁନିଫର୍ମ ପିନ୍ଧି ବିମାନରେ ଉପସ୍ଥିତ ରହିବା ହିଁ ଏହି କାମ। କିନ୍ତୁ ଏହାର ପଛରେ ରହିଥାଏ ଅନେକ ଅଜଣା ଚ୍ୟାଲେଞ୍ଜ। ବିଶ୍ୱର ସବୁଠୁ ଲମ୍ବା ନନ୍ଷ୍ଟପ୍ କମର୍ସିଆଲ ଫ୍ଲାଇଟ୍, ଯାହା ନ୍ୟୁୟର୍କ ସିଟିର ଜନ୍ ଏଫ୍ କେନେଡି ଆନ୍ତର୍ଜାତିକ ବିମାନବନ୍ଦର (JFK)ରୁ ସିଙ୍ଗାପୁରର ଚାଙ୍ଗି ଆନ୍ତର୍ଜାତିକ ବିମାନବନ୍ଦର (SIN) ପର୍ଯ୍ୟନ୍ତ ୧୮ ଘଣ୍ଟା ୪୫ ମିନିଟ୍ର ଯାତ୍ରା କରେ । ସେଥିରେ ଏୟାର ହୋଷ୍ଟେସ୍ର ଭୂମିକା କେତେ କଷ୍ଟସାଧ୍ୟ ତାହା ସିଙ୍ଗାପୁର ଏୟାରଲାଇନ୍ସର ବରିଷ୍ଠ ଫ୍ଲାଇଟ୍ ଅଟେଣ୍ଡାଣ୍ଟ ମେଡେଲିନ ଖାଓ ପ୍ରକାଶ କରିଛନ୍ତି। ଏହି ଦୀର୍ଘ ଯାତ୍ରା ଯାତ୍ରୀଙ୍କ ପାଇଁ ଏକ ଅନନ୍ୟ ଅନୁଭବ ହୋଇପାରେ, କିନ୍ତୁ ଫ୍ଲାଇଟ୍ ଅଟେଣ୍ଡାଣ୍ଟଙ୍କ ପାଇଁ ଏହା ଏକ ସାଧାରଣ “ଅଫିସ ଦିବସ” ସଦୃଶ, ଯେଉଁଥିରେ ସେମାନେ ଅନେକ ଶାରୀରିକ ଓ ମାନସିକ ଚ୍ୟାଲେଞ୍ଜର ସମ୍ମୁଖୀନ ହୁଅନ୍ତି।
ଟାଇମ୍ ଜୋନ୍ ଓ ଥକାପଣ: ଏକ ବଡ଼ ଚ୍ୟାଲେଞ୍ଜ
ମେଡେଲିନ କହିଛନ୍ତି, ଏହି ୧୯ ଘଣ୍ଟାର ଦୀର୍ଘ ଯାତ୍ରାରେ କ୍ରୁ ସଦସ୍ୟଙ୍କୁ ସିଫ୍ଟରେ ବିଭାଜନ କରାଯାଏ। ସମସ୍ତ କ୍ରୁ ସଦସ୍ୟଙ୍କୁ ବିଶ୍ରାମ ପାଇଁ ନିର୍ଦ୍ଦିଷ୍ଟ ସମୟ ଓ କ୍ରୁ ବଙ୍କ୍ (ବିଶେଷ ବିଶ୍ରାମ କ୍ଷେତ୍ର) ପ୍ରଦାନ କରାଯାଏ, ଯାହା ସେମାନଙ୍କୁ ସମ୍ପୂର୍ଣ୍ଣ ଯାତ୍ରା ସମୟରେ ସତର୍କ ଓ କାର୍ଯ୍ୟଦକ୍ଷ ରହିବାରେ ସହାୟକ ହୁଏ। କିନ୍ତୁ ୩୫,୦୦୦ ଫୁଟ ଉଚ୍ଚତାରେ ବିଶ୍ରାମ କରିବା ସହଜ ନୁହେଁ। କେବିନ୍ରେ ଶବ୍ଦ, ବାୟୁମଣ୍ଡଳୀୟ ଅସ୍ଥିରତା (ଟର୍ବୁଲେନ୍ସ), ଓ ଟାଇମ୍ ଜୋନ୍ ପରିବର୍ତ୍ତନ ମିଶି ନିଦ୍ରା ଓ ଶକ୍ତି ଚକ୍ରକୁ ପ୍ରଭାବିତ କରେ।
ଭିନ୍ନ ଜୀବନଶୈଳୀ
ମେଡେଲିନ କହିଛନ୍ତି ଯେ, ଦୀର୍ଘ ଯାତ୍ରାରେ ଥକାପଣ ହେଉଛି ସବୁଠୁ ବଡ଼ ଚ୍ୟାଲେଞ୍ଜ। ଏହାକୁ ମୁକାବିଲା କରିବା ପାଇଁ ସେ ହାଇଡ୍ରେଟିଂ ଫେସିଆଲ ମାସ୍କ ଓ ନିୟମିତ ସ୍କିନ୍ କେୟାର ଅନୁସରଣ କରନ୍ତି। ତଳେ ରହୁଥିବା ସମୟରେ ସେ ଏକ ନିୟମିତ ଓ ସ୍ୱାସ୍ଥ୍ୟକର ନିଦ୍ରା ଓ ଜାଗ୍ରତ ରୁଟିନ୍ ବଜାୟ ରଖିବାକୁ ଚେଷ୍ଟା କରନ୍ତି। ଫ୍ଲାଇଟ୍ ପୂର୍ବରୁ ସେ ପରିବାର ସହ ସମୟ କାଟନ୍ତି, ଘରୋଇ ଖାଦ୍ୟ ଖାଆନ୍ତି ଓ ମାନସିକ ସ୍ଥିରତା ବଜାୟ ରଖନ୍ତି। ସେ ଏକ ଚେକଲିଷ୍ଟ, ଅତିରିକ୍ତ ୟୁନିଫର୍ମ, ସ୍କିନକେୟାର ଉତ୍ପାଦ ଓ ଭିଟାମିନ୍ ଆଦି ନେଇ ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତି।
ମେଡେଲିନ ଏହି କାମକୁ କେବଳ ଏକ ଚାକିରି ନୁହେଁ, ବରଂ ଗର୍ବ ଓ ସଫଳତାର ପ୍ରତୀକ ବୋଲି ମାନନ୍ତି। ସେ କହିଛନ୍ତି, “ଏହି ଦୀର୍ଘ ଯାତ୍ରା ମୋତେ ଏପରି ସ୍ଥାନକୁ ନେଇଛି, ଯାହା ମୁଁ କେବେ କଳ୍ପନା ମଧ୍ୟ କରିନଥିଲି। ନ୍ୟୁୟର୍କ ପରି ଉତ୍ସାହପୂର୍ଣ୍ଣ ସ୍ଥାନରେ ଯାଇ କାମ କରିବା ମୋ ପାଇଁ ଗୌରବର ବିଷୟ। ମୁଁ ଏହା ପାଇଁ କଠିନ ପରିଶ୍ରମ କରିଛି ଓ ଏହା ମୋତେ ଆଜି ସନ୍ତୁଳିତ ଓ ଆତ୍ମବିଶ୍ୱାସୀ ରଖିଛି।”
Comments are closed.