ଭୁବନେଶ୍ୱର: କରୋନା ଭାଇରସ୍ଠୁ ଅଧିକ ମାରାତ୍ମକ ଟମାଟୋ ଓରଫ ତ୍ରୀରଙ୍ଗା ଭାଇରସ୍ । ତେବେ ଏ କଥା ଆମେ ନୁହେଁ ବରଂ ହିନ୍ଦୀ ନ୍ୟୁଜ୍ ଚ୍ୟାନେଲ୍ ଟିଭି9 ଭାରତବର୍ଷ ଦାବି କରିଛି । ଦାବି ଅନୁଯାୟୀ ମହାରାଷ୍ଟ୍ରରେ ସାମ୍ନାକୁ ଆସିଛି କରୋନାଭାଇରସ୍ର ନୂଆ ଭର୍ସନ୍ । ଆଉ ତା ପୁଣି ଟମାଟୋ ବା ବିଲାତି ଜରିଆରେ ।
Now Red Virus after Corona? So is this how it all ends? ? #TirangaVirus pic.twitter.com/dKWk4oT46Z
— Ana (@MiishNottyAna) May 15, 2020
ଭିଡିଓରେ ସ୍ପଷ୍ଟ ଭାବେ ଜଣେ ମହିଳା ଆଙ୍କର ଟମାଟୋରେ ଥିବା ଭାଇରସ୍କୁ କରୋନାଭାଇରସ୍ଠୁ ଅଧିକ ମାରାତ୍ମକ ବୋଲି ବିବେଚନା କରିଥିଲେ । ତେବେ ଏହି ଖବର କେତେଦୂର ଯୁକ୍ତିଯୁକ୍ତ ? ସୋସିଆଲ୍ ମିଡିଆରେ ଅନେକ ଲୋକ ଏହି ଖବରର ସତ୍ୟାସତ୍ୟକୁ ନେଇ ପ୍ରଶ୍ନ କରିଥିଲେ ।
ଭିଡିଓଟି ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ହାତରେ ପଡିବା ପରେ ଆରମ୍ଭ ହୋଇଥିଲା ଛାନ୍ଭିନ୍ । ମେ’୧୩ରେ ଏହି ଖବରକୁ ଟିଭି9 ଭାରତବର୍ଷ ପ୍ରସାରଣ କରିଥିଲା । ହାଣ୍ଡିଶାଳରେ ବିପଦ, ବର୍ଷେ ପର୍ଯ୍ୟନ୍ତ ମିଳିବନି ଟମାଟୋ ଓ ଏହି ଭାଇରସ୍ କରୋନାଠୁ ଅଧିକ ଭୟଙ୍କର ବୋଲି ସଂପୃକ୍ତ ଟିଭି ଚ୍ୟାନେଲ ଦୃଢ କଣ୍ଠରେ ଦାବି କରିଥିଲା ।
ଖବରଟି ଭାଇରାଲ୍ ହେବା ପରେ ଭାରତୀୟ ଭାଇରୋଲଜିଷ୍ଟ ଡାକ୍ତର ଟି. ଜାକୋବ୍ ଜନ୍ ଟିଭି ଚ୍ୟାନେଲର ଦାବିକୁ ଖଣ୍ଡନ କରିବା ସହ ମଣିଷ ଶରୀରକୁ ଜୀବଜନ୍ତୁଙ୍କ ଦେହରୁ ଭାଇରସ୍ ସଂକ୍ରମିତ ହୋଇପାରେ ହେଲେ କୌଣସି ପନିପରିବାଠୁ ନୁହେଁ ବୋଲି ପ୍ରକାଶ କରିଥିଲେ । ସେହିଭଳି ଅନ୍ୟ ଜଣେ ଭାଇରୋଲଜିଷ୍ଟ ଡାକ୍ତର ସାହିଦ୍ ଜମିଲ୍ ବି ଏହି ଖବରକୁ ଖଣ୍ଡନ କରିବା ସହ ହାସ୍ୟାସ୍ପଦ ବୋଲି କହିଥିଲେ ।
ଟମାଟୋ କିମ୍ବା ତ୍ରୀରଙ୍ଗା ଭାଇରସ୍ ଖବର ସାମ୍ନାକୁ ଆସିବା ପରେ ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା । ତେବେ ଆସନ୍ତୁ ଜାଣିବା କ’ଣ ଏହି ତ୍ରୀରଙ୍ଗା ଭାଇରସ୍ ?
ଏହି ଖବରକୁ ପ୍ରଥମେ ଦ ଇଣ୍ଡିଆନ୍ ଏକ୍ସପ୍ରେସ୍ ମେ’୨ରେ ଲୋକଲୋଚନକୁ ଆଣିଥିଲା । ପରବର୍ତ୍ତୀ ସମୟରେ ବି ଏହି ଖବର କାଗଜ ଏ ନେଇ ଏକାଧିକ ତଥ୍ୟ ଦେଇଥିଲା । ହେଲେ କେଉଁଥିରେ ବି ତ୍ରୀରଙ୍ଗା ଭାଇରସ୍କୁ କରୋନା ସହ ତୁଳନା କିମ୍ବା ଅଧିକ ଭୟଙ୍କର ବୋଲି ଦାବି କରିନଥିଲା ।
ତଦନ୍ତରୁ ଜଣାପଡିଥିଲା ମହାରାଷ୍ଟ୍ରର ସତାରା ଜିଲ୍ଲାରେ ପ୍ରଥମେ ଏହି ଭାଇରସ୍ ପରିଲକ୍ଷିତ ହୋଇଥିଲା । ସମୟ ପୂର୍ବରୁ ଟମାଟୋ କିମ୍ବା ବିଲାତିଗୁଡିକ ପାଚିଯାଉଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଥିଲା । ଏପରିକି କୌଣସି ପ୍ରକାର କେମିକାଲ ସ୍ପ୍ରେ ବି ଏହି ସମସ୍ୟାର ସମାଧାନ କରିପାରିନଥିଲା ।
ଶେଷରେ ମହାରାଷ୍ଟ୍ର କୃଷି ବିଶ୍ୱବିଦ୍ୟାଳୟ ଟମାଟୋର ନମୁନାକୁ ପରୀକ୍ଷଣ କରିବା ପରେ ଏକ ଭାଇରସ୍କୁ ଠାବ କରିଥିଲା । ଯାହାକୁ ତ୍ରୀରଙ୍ଗା ଭାଇରସ୍ ଭାବେ ନାମିତ କରାଯାଇଥିଲା । ଏହି ଭାଇରସ୍କୁ ଦମନ କରିବା ନେଇ ଅନୁସନ୍ଧାନ ଚାଲୁ ରହିଥିଲାବେଳେ ମିଥ୍ୟା ଗୁଜିବ ସୃଷ୍ଟି ହୋଇଥିଲା ।
ସର୍ବପ୍ରଥମେ ଏହି ଖବରକୁ ଟିଭି9 ଭାରତବର୍ଷ ବିଭ୍ରାନ୍ତିକର ଭାବେ ଦର୍ଶାଇ ଅଗଣିତ ଲୋକଙ୍କ ମନରେ ଭୟ ସଂଚାର କରିଥିଲା । ତେବେ ସତ୍ୟାସତ୍ୟ ସାମ୍ନାକୁ ଆସିବା ପରେ ମେ’୧୫ ତାରିଖରେ ସଂପୃକ୍ତ ଟିଭି ଚ୍ୟାନେଲ ଆଉ ଏକ ରିପୋର୍ଟ ପ୍ରସାରଣ କରିଥିଲା । ଯେଉଁଥିରେ ସଫେଇ ଦିଆଯାଇଥିଲା ଯେ କରୋନା ସହ ତୁଳନା କରି ଚ୍ୟାନେଲରେ କୌଣସି ପ୍ରକାର ଖବର ପ୍ରସାରଣ କରାଯାଇନଥିଲା ।
Comments are closed.