ଆମ ରୋଷେଇ ଘରେ ସାଧାରଣତଃ ମସଲା ଭାବେ ବ୍ୟବହୃତ ଲବଙ୍ଗ କେବଳ ଖାଦ୍ୟର ସ୍ୱାଦ ବଢ଼ାଇବାରେ ସୀମିତ ହୋଇରହିଛି। ଏହି ମସଲା ଭିତରେ ଯେ ଅନେକ ଲୁକାୟିତ ଔଷଧୀୟ ଗୁଣର ଭଣ୍ଡାର ଅଛି ତାହା କାହାକୁ ଜଣାନାହିଁ। ଅନେକ ସାଧାରଣ ସ୍ୱାସ୍ଥ୍ୟ ସମସ୍ୟାରୁ ଆରମ୍ଭ କରି ଗମ୍ଭୀର ରୋଗ ପର୍ଯ୍ୟନ୍ତ, ଲବଙ୍ଗ ଏକ ସହଜ ଓ ସୁଲଭ ଉପାୟ ହୋଇପାରେ।
ଦାନ୍ତ ବିନ୍ଧା ସମସ୍ୟାରୁ ମୁକ୍ତି ପାଇଁ ଲବଙ୍ଗ ଏକ ପୁରାତନ ଘରୋଇ ଉପଚାର। ଗୋଟିଏ ଲବଙ୍ଗକୁ ଦାନ୍ତ ମୂଳରେ ଚାପି ରଖିଲେ କିମ୍ବା ଲବଙ୍ଗ ତେଲକୁ ଦିନକୁ ୪-୫ ଥର ଲଗାଇଲେ ବିନ୍ଧାରୁ ତୁରନ୍ତ ଆରାମ ମିଳିଥାଏ। କେବଳ ଏତିକି ନୁହେଁ ଏହା ଲବଙ୍ଗ ଗ୍ୟାସ୍ ଓ ଏସିଡିଟି ଭଳି ପେଟ ଜନିତ ସମସ୍ୟାରେ ମଧ୍ୟ କାମ ଦେଇଥାଏ। କିଛି ଲବଙ୍ଗ ଗୁଣ୍ଡକୁ ପାଣିରେ ଫୁଟାଇ ଉଷୁମ ଅବସ୍ଥାରେ ପିଇଲେ ଏହି ସମସ୍ୟାରୁ ଶୀଘ୍ର ମୁକ୍ତି ମିଳିଥାଏ।
ଏତିକି ନୁହେଁ, ବାରମ୍ବାର ହେକୁଟି ହେଉଥିଲେ ଦୁଇଟି ଲବଙ୍ଗକୁ ପାଟିରେ ରଖି ତା’ର ରସ ଚୁଶିଲେ ଏହା ତୁରନ୍ତ କମିଯାଏ। ଏହା ପାଟିର ଦୁର୍ଗନ୍ଧ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ। ତାଛଡ଼ା ଡାଇବେଟିସ୍ ରୋଗୀଙ୍କ ପାଇଁ ମଧ୍ୟ ଲବଙ୍ଗ ଏକ ବରଦାନ ସାବ୍ୟସ୍ତ ହୋଇଥାଏ। ଏହା ରକ୍ତରେ ସୁଗାର୍ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିଥାଏ ବୋଲି ବିଶେଷଜ୍ଞମାନେ କହିଛନ୍ତି।
ଆଣ୍ଠୁଗଣ୍ଠି ବିନ୍ଧା ଭଳି ସମସ୍ୟାରେ ମଧ୍ୟ ଲବଙ୍ଗର ଚମତ୍କାର ଉପକାର ରହିଛି। ପ୍ରତିଦିନ ଗୋଟିଏ ଲବଙ୍ଗ ଖାଇଲେ କିମ୍ବା ଲବଙ୍ଗ ଗୁଣ୍ଡକୁ କପଡ଼ାରେ ଗୁଡ଼ାଇ ବିନ୍ଧୁଥିବା ସ୍ଥାନରେ ରଖିଲେ ଏହାରୁ ଆରାମ ମିଳିଥାଏ। ଏହି ଛୋଟ ଲବଙ୍ଗରେ ଏତେ ଗୁଣ ଲୁଚି ରହିଥିବା ଜାଣି ଅନେକେ ଆଶ୍ଚର୍ଯ୍ୟ ହେଉଛନ୍ତି। ତେବେ ଏହାର ଅତ୍ୟଧିକ ବ୍ୟବହାର ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ।
Comments are closed.