Latest Odisha News

BREAKING NEWS

ଗୁଗୁଲ ବିଜ୍ଞାପନ ଦେଖୁଛନ୍ତି କି ? ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ : ଗୁଗୁଲରୁ ବିଜ୍ଞାପନ ଦେଖି କିଣନ୍ତୁନି ସାମଗ୍ରୀ । ନ ହେଲେ ହୋଇଯିବେ ସାଇବର ଲୁଟର ଶିକାର । ଏମିତିକି ଗୁଗୁଲରେ କିଛି ସର୍ଚ୍ଚ କରୁଥିଲେ ବି ସତର୍କ ହୁଅନ୍ତୁ । ନିକଟରେ ଏମିତି ଏକ ସାଇବର ଅପରାଧ ଆସିଛି ଯାହାକୁ ଶୁଣିଲେ ଆପଣ ତାଜୁବ ହୋଇଯିବେ । ଏପରି ସାଇବର କ୍ରାଇମ ଗୁରୁଗ୍ରାମରେ ଘଟିଛି । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟିଛି । ଗୁଗୁଲରେ ଆସୁଥିବା ଅନେକ ବିଜ୍ଞାପନ ନକଲି ଏବଂ ମୋବାଇଲ ନମ୍ୱର ମଧ୍ୟ ନକଲି। ଏଗୁଡ଼ିକ ସାଇବର ଠକଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି ଜଣାପଡ଼ିଛି । ଗୁରୁଗ୍ରାମ ପୋଲିସର ସାଇବର କ୍ରାଇମ ୟୁନିଟ୍ ସାଇବର ଠକଙ୍କ ଦ୍ବାରା ଗୁଗୁଲରେ ଚାଲୁଥିବା ପ୍ରାୟ ୧୮ଟି ପ୍ରାୟୋଜିତ ବିଜ୍ଞାପନ ସମ୍ପର୍କରେ ଗୁଗୁଲକୁ ନୋଟିସ ଜାରି କରିଛି।

ସୂଚନା ଅନୁସାରେ, ସାଇବର ପୋଲିସ ଏମିତି ୬ ଟି ପ୍ରାୟୋଜିତ ବିଜ୍ଞାପନ କମ୍ପାନୀର ତଥ୍ୟକୁ ଗୁଗୁଲକୁ ସେୟାର କରିଛି। ସାଇବର ଜାଲିଆତି ପାଇଁ ସେମାନଙ୍କ ମୋବାଇଲ ନମ୍ବର ବ୍ୟବହାର କରାଯାଉଥିବା ସୂଚନା ଦେଇଛି। ସାଇବର କ୍ରାଇମ ଥାନାର ଏସିପି ପ୍ରିୟାନସୁ ଦିୱାନଙ୍କ ଅନୁଯାୟୀ, ଗୁଗୁଲ କିମ୍ବା ଗୁଗୁଲ ପ୍ଲେରେ ଜାରି କରାଯାଇଥିବା କୈଣସି ସୂଚନା କିମ୍ବା ମୋବାଇଲ ନମ୍ବର ବ୍ୟବହାର କରିବା ପୂର୍ବରୁ ସତର୍କ ରହିବାର ଆବଶ୍ୟକତା ରହିଛି। ଦିଲ୍ଲୀରୁ ଆନ୍ଧ୍ରପ୍ରଦେଶ ଏବଂ ଗୁଜୁରାଟରୁ ଆସାମ ପର୍ଯ୍ୟନ୍ତ ଦେଶର ୯ ଟି ରାଜ୍ୟରେ ୩୬ରୁ ଅଧିକ ଗାଁ ଏବଂ ସହର ଅଛି ଯାହା ସାଇବର ଅପରାଧର କେନ୍ଦ୍ରସ୍ଥଳ ପାଲଟିଛି। ବର୍ତ୍ତମାନ ଯାଏଁ କେବଳ ଝାଡଖଣ୍ଡର ଜାମତାରା ଅଞ୍ଚଳ ସାଇବର ଅପରାଧର କେନ୍ଦ୍ର ଭାବରେ ପରିଗଣିତ ହେଉଥିଲା।

ବର୍ତ୍ତମାନ ପ୍ରୟାଗରାଜରେ ହେଉଥିବା ମହାକୁମ୍ଭ ମେଳା ନାଁରେ ସାଇବର ଠକମାନେ ସକ୍ରିୟ ଅଛନ୍ତି ବୋଲି ସାଇବର ଥାନା ପୋଲିସ ସୂଚନା ଦେଇଛନ୍ତି। ମହାକୁମ୍ଭ ମେଳାରେ ଯାତ୍ରୀ ଅଥବା ପର୍ଯ୍ୟଟକମାନଙ୍କୁ ଟେଣ୍ଟ କିମ୍ବା ହୋଟେଲ ବୁକ୍ ଆଳରେ ଲୁଟୁଛନ୍ତି ସାଇବର ଅପରାଧୀ। ତେବେ ଏହାପୂର୍ବରୁ ହୋଟେଲ ବୁକିଂ ପାଇଁ ସାଇବର ଠକମାନେ ସାଇବର ଆଟାକ କରିବା ଆରମ୍ଭ କରିଦେଇଛନ୍ତି। ଏପରି ପରିସ୍ଥିତିରେ, ଆପଣ ଯେକୈଣସି ବିଜ୍ଞାପନରେ କ୍ଲିକ୍ କରନ୍ତୁ ନାହିଁ। ଯଦି ଆପଣଙ୍କୁ କେଉଁ ବିଜ୍ଞାପନ ପସନ୍ଦ ଆସୁଛି, ତେବେ ପ୍ରଥମେ ତାର ୱେବସାଇଟ୍ ଯାଆନ୍ତୁ ଏବଂ ଏହାର ସଂପୂର୍ଣ୍ଣ ଯାଞ୍ଚ କରନ୍ତୁ।

Comments are closed.