Latest Odisha News

BREAKING NEWS

୨୦୨୭ କେମିତି ଦେଖାଯିବ ଜହ୍ନ ? ଜାଣି ଆଶ୍ଚର୍ଯ୍ୟ ହେବେ ! ତିଆରୀ ହେବ କଲୋନୀ, ନାସାର ବଡ଼ ପ୍ଲାନ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ୨୦୭୦ର ଚନ୍ଦ୍ର। ମଣିଷ ଜହ୍ନରେ ଘର କରିବାକୁ ଚିନ୍ତା କଲାଣି। କେବଳ ଗୋଟିଏ ଘର ନୁହେଁ, ଚନ୍ଦ୍ରର ପୃଷ୍ଠରେ କଲୋନୀ ତିଆରି ହୋଇଛି। ୱାଇ-ଫାଇ ଚାଲୁଛି, ମାଇକ୍ରୋୱେଭ୍ରେ ପପକର୍ଣ୍ଣ ଗରମ ହେଉଛି, ଏବଂ ସବୁକିଛି ନ୍ୟୁକ୍ଲିୟର ରିଆକ୍ଟର ଦ୍ୱାରା ଚାଲୁଛି। ଏହା ଏବେ ଆଉ ସାଇନ୍ସ ଫିକ୍ସନ ନୁହେଁ। ଅମେରିକା ଏହାକୁ ବାସ୍ତବ କରିବା ଦିଗରେ ଅଗ୍ରସର ହୋଇଛି।

ଅମେରିକାର କିଛି ପ୍ଲାନ
ଅମେରିକୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ ଶନ୍ ଡଫିଙ୍କୁ ନାସାର ଅସ୍ଥାୟୀ ମୁଖ୍ୟ ଭାବେ ନିଯୁକ୍ତ କରିଛନ୍ତି। ନିଯୁକ୍ତି ପରେ ଶନ୍ ଡଫି ଏକ ଚମକପ୍ରଦ ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୦୩୦ ସୁଦ୍ଧା ଚନ୍ଦ୍ରରେ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କରାଯିବ। ହଁ, ଆପଣ ଠିକ୍ ଶୁଣିଛନ୍ତି। ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ବିଜୁଳିଘର ନିର୍ମାଣ ହେବ, ଯାହା ଭବିଷ୍ୟତର ସ୍ପେସ ଷ୍ଟେସନ, ଅନ୍ତରୀକ୍ଷ ଯାତ୍ରୀ, ଏବଂ ସମ୍ଭବତଃ ଲୁନାର କଲୋନୀକୁ ଆଲୋକିତ କରିବ।

ଯୋଜନାରେ କ’ଣ ରହିଛି?
ଚନ୍ଦ୍ରରେ ଏକ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କରାଯିବ, ଯାହା ୧୦୦ କିଲୋୱାଟ ବିଜଳି ଉତ୍ପାଦନ କରିବ। ଏହା ଅମେରିକାର ୮୦ଟି ଘରକୁ ଏକାସାଙ୍ଗରେ ବିଜୁଳି ଯୋଗାଇବା ସମାନ ଶକ୍ତି ଉତ୍ପାଦନ କରିବ। ୨୦୨୯ ସୁଦ୍ଧା ଲଞ୍ଚ ପାଇଁ ପ୍ରସ୍ତୁତି କରାଯିବ। ୩୦ ଦିନ ମଧ୍ୟରେ ପ୍ରୋଜେକ୍ଟ ମୁଖ୍ୟଙ୍କୁ ନିଯୁକ୍ତ କରାଯିବ ଏବଂ ୬୦ ଦିନ ମଧ୍ୟରେ ବେସରକାରୀ କମ୍ପାନୀମାନଙ୍କଠାରୁ ପ୍ରସ୍ତାବ ମଗାଯିବ। ଶନ୍ ଡଫି କହିଛନ୍ତି, “ଯଦି ଆମେ ଦ୍ରୁତ ଗତିରେ ଆଗେଇ ନ ଯିବୁ, ଚୀନ-ଋଷ ଆମକୁ ପଛରେ ପକାଇ ଚନ୍ଦ୍ରରେ ‘ନୋ ଏଣ୍ଟ୍ରୀ ଜୋନ୍’ ତିଆରି କରିଦେବେ।”

ନ୍ୟୁକ୍ଲିୟର ରିଆକ୍ଟର କାହିଁକି?
ଚନ୍ଦ୍ରର ପାଣିପାଗ ଅତ୍ୟନ୍ତ ଅସ୍ଥିର। ୨ ସପ୍ତାହ ସୂର୍ଯ୍ୟକିରଣ ରହୁଛି, ତା’ପରେ ୨ ସପ୍ତାହ ଅନ୍ଧକାର। ସୌର ପ୍ୟାନେଲ ଆବଶ୍ୟକ ବିଜୁଳି ଉତ୍ପାଦନ କରିପାରୁ ନାହିଁ। ବ୍ୟାଟେରୀ ଶୀଘ୍ର ଖାଲି ହୋଇଯାଉଛି। ନାସା ଜାଣିଛି, ମଣିଷକୁ ଚନ୍ଦ୍ରରେ ରହିବାକୁ ହେଲେ ପ୍ରଚୁର ବିଜଳି ଆବଶ୍ୟକ। ନ୍ୟୁକ୍ଲିୟର ରିଆକ୍ଟର ଏହି ସମସ୍ୟାର ସ୍ଥାୟୀ ସମାଧାନ ଦେଇପାରିବ।

କେଉଁମାନେ ରେସ୍‌ରେ?
ଚନ୍ଦ୍ର ମିଶନରେ ଅମେରିକା, ରୁଷ, ଚୀନ ସହିତ ଭାରତ ମଧ୍ୟ ରହିଛି।

  • ନାସାର ଆର୍ଟେମିସ ମିଶନ ୨୦୨୭ରେ ଚନ୍ଦ୍ରରେ ମଣିଷ ପଠାଇବାକୁ ପ୍ରସ୍ତୁତ। ଏହାର ପରବର୍ତ୍ତୀ ଲକ୍ଷ୍ୟ ହେଉଛି ନ୍ୟୁକ୍ଲିୟର ପାୱାର ପ୍ଲାଣ୍ଟ ନିର୍ମାଣ।
  • ଚୀନ ଓ ରୁଷ ୨୦୩୫ ସୁଦ୍ଧା ଚନ୍ଦ୍ରରେ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ ପାଇଁ ଯୋଜନା କରୁଛନ୍ତି। ରୁଷର ସ୍ପେସ ଏଜେନ୍ସି ରସକୋସମୋସ ଓ ଚୀନର ସିଏନଏସଏ ଏକ ଏମଓୟୁ ସ୍ୱାକ୍ଷର କରିଛନ୍ତି।
  • ଇସରୋ (ISRO) ଏହି ରେସ୍‌ରେ ଧୀରେ ଧୀରେ ଅଗ୍ରସର ହେଉଛି, କିନ୍ତୁ ଅମେରିକା ଓ ଚୀନ ତୁଳନାରେ ପଛରେ ରହିଛି।

ଖର୍ଚ୍ଚ କେତେ?
ନାସା ୨୦୨୬ରେ ଏହା ପାଇଁ ୩୫୦ ମିଲିୟନ ଡଲାର ଏବଂ ୨୦୨୭ରୁ ପ୍ରତିବର୍ଷ ୫୦୦ ମିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରିଛି। ପ୍ରକୃତ ଖର୍ଚ୍ଚ ଏବେ ନିର୍ଦ୍ଧାରିତ ହୋଇନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ଚନ୍ଦ୍ରରେ ନ୍ୟୁକ୍ଲିୟର ରିଆକ୍ଟର ସ୍ଥାପନ କୌଣସି ଶସ୍ତା ପ୍ରୋଜେକ୍ଟ ନୁହେଁ।

 

Comments are closed.