ନୂଆଦିଲ୍ଲୀ: ୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ଆତଙ୍କବାଦୀଙ୍କ ଦ୍ୱାରା ୨୬ ପର୍ଯ୍ୟଟକଙ୍କ ହତ୍ୟା ପରେ ଭାରତ ପାକିସ୍ତାନ ସରକାର ବିରୋଧରେ କଠୋର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି। ଭାରତ ସିନ୍ଧୁ ଜଳ ସନ୍ଧି ନିଲମ୍ବନ କରିଛି, ପାକିସ୍ତାନୀ ନାଗରିକଙ୍କ ପାଇଁ ସାର୍କ ଭିସା ଯୋଜନା ବନ୍ଦ କରିଛି । ଏହା ଶେହବାଜ ଶରିଫ ସରକାରକୁ କଡ଼ା ବାର୍ତ୍ତା ଦେବା ପାଇଁ କରାଯାଇଛି ଯେ ଭାରତ ପହଲଗାମ ହମଲା ପଛରେ ଥିବା ପ୍ରତ୍ୟେକ ଆତଙ୍କବାଦୀ ଓ ସେମାନଙ୍କ ସମର୍ଥକଙ୍କୁ ଚିହ୍ନଟ କରି ଏହାର ଜବାବ ଦେବ। ଅଟାରୀ ଚେକପୋଷ୍ଟ ବନ୍ଦ ହୋଇଛି ଏବଂ ପାକିସ୍ତାନୀଙ୍କୁ ଦେଶ ଛାଡ଼ିବା ପାଇଁ ୧ ମେ ସମୟସୀମା ନିର୍ଦ୍ଧାରଣ କରାଯାଇଛି।
ଭାରତର ଏହି କଠୋର ପଦକ୍ଷେପ ପରେ ପାକିସ୍ତାନରେ ହଟଚମଟ ଲାଗିଛି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ଶୁକ୍ରବାର ବ୍ରିଟିଶ ଖବରକାଗଜ ‘ଦି ସ୍କାଇ’କୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, “ପହଲଗାମ ମାମଲାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଉଭୟ ଦେଶ ମଧ୍ୟରେ ବଡ଼ ଯୁଦ୍ଧରେ ପରିଣତ ହୋଇପାରେ।” ଆସିଫ କହିଛନ୍ତି, ଭାରତ ଯେକୌଣସି ପଦକ୍ଷେପ ନେଲେ ପାକିସ୍ତାନ ତାହାର କଡ଼ା ଜବାବ ଦେବ। ଯଦି ପରିସ୍ଥିତି ଭୁଲ ଦିଗରେ ଗଲା, ତାହାର ପରିଣାମ ବିପଦଜନକ ହୋଇପାରେ। ସେ କହିଛନ୍ତି, ବିଶ୍ୱ ଭୁଲିବ ନାହିଁ ଯେ ଉଭୟ ଦେଶ ପାଖରେ ପରମାଣୁ ଅସ୍ତ୍ର ଅଛି। ତଥାପି, ଆସିଫ ଆଶା ପ୍ରକାଶ କରିଛନ୍ତି ଯେ ଉଭୟ ଦେଶ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ କରିବେ।
ପ୍ରଧାନମନ୍ତ୍ରୀ ନିଅନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
ପହଲଗାମ ଆତଙ୍କୀ ଘଟଣା ପରେ ଉଭୟ ଦେଶ ଉପରେ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଛି । ଏପରି ସମ୍ବେଦନଶୀଳ ପରିସ୍ଥିତିରେ ପାକିସ୍ତାନର ପରମାଣୁ ବୋମାର ନିୟନ୍ତ୍ରଣ କାହା ପାଖରେ ଅଛି ତାହା ଏକ ଗୁରୁତର ପ୍ରଶ୍ନ। ଏହା ଏକ ଦେଶର ଗୁପ୍ତ ମାମଲା ହେଲେ ମଧ୍ୟ, ପରମାଣୁ ଅସ୍ତ୍ରର ରିମୋଟ କଣ୍ଟ୍ରୋଲ କାହା ପାଖରେ ଅଛି ବୋଲି ପ୍ରଶ୍ନ ଉଠିଛି। ପାକିସ୍ତାନରେ ପରମାଣୁ ବଟନର ନିୟନ୍ତ୍ରଣ ଦେଶର ଶୀର୍ଷ ନେତୃତ୍ୱ, ଅର୍ଥାତ୍ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଖରେ ରହିଛି। ଏନସିସିଏସ (ନ୍ୟାସନାଲ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ) ନାମକ ଏକ ଗୁପ୍ତ ସଂସ୍ଥା ମଧ୍ୟ ଏହାର ନିୟନ୍ତ୍ରଣ ରଖିଛି। ପରମାଣୁ ଅସ୍ତ୍ର ବ୍ୟବହାରର ଚୂଡ଼ାନ୍ତ ନିଷ୍ପତ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ ନିଅନ୍ତି। ତଥାପି, ସେନା ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ, ଯିଏ ପରମାଣୁ ଅସ୍ତ୍ରର ସୁରକ୍ଷା ଓ ପ୍ରକ୍ଷେପଣ ଦାୟିତ୍ୱ ନିର୍ବାହ କରେ।
Comments are closed.