Latest Odisha News

BREAKING NEWS

ଏହି ସହରକୁ କାହିଁକି କୁହାଯାଏ ‘ଓ୍ଵାଇନ୍‌ କ୍ୟାପିଟାଲ’, ଏହିଠାରେ ପଡ଼ିଥିଲା ସମୁଦ୍ର ମନ୍ଥନର ସୋମରସ

ନୂଆଦିଲ୍ଲୀ: ଯଦି ଦେଢ଼ରୁ ଦୁଇ ଦଶନ୍ଧି ପୂର୍ବେ କୌଣସି ଭାରତୀୟ ଓ୍ଵାଇନ୍‌ର ସ୍ଵାଦ ନେବାକୁ ଚାହୁଁଥିଲେ, ତାଙ୍କୁ ଇଟାଲୀ, ଫ୍ରାନ୍ସ କିମ୍ବା କାଲିଫୋର୍ନିଆ ଭଳି ସ୍ଥାନକୁ ଯାତ୍ରା କରିବାକୁ ପଡୁଥିଲା। କିନ୍ତୁ ଏବେ କେବଳ ଦେଶୀୟ ନୁହେଁ, ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭାରତରେ ତିଆରି ହେଉଥିବା ଓ୍ଵାଇନ୍‌ର ସ୍ଵାଦ ଉପଭୋଗ କରିପାରୁଛନ୍ତି। ଏହାର ସବୁଠାରୁ ଉତ୍ତମ ଉଦାହରଣ ହେଉଛି ନାସିକ, ଯାହା ଭାରତର ଓ୍ଵାଇନ୍‌ ରାଜଧାନୀ ଭାବେ ଉଭା ହୋଇଛି। ଏହି ସହର ମହାରାଷ୍ଟ୍ରରେ ମୁମ୍ବାଇଠାରୁ ପ୍ରାୟ ୧୦୦ ମାଇଲ ଉତ୍ତର-ପୂର୍ବରେ ଅବସ୍ଥିତ। ପ୍ରକୃତରେ ଏଠାରେ ଓ୍ଵାଇନ୍‌ ତିଆରିର କାମ ବହୁତ ପୂର୍ବରୁ ଚାଲିଆସୁଛି, କିନ୍ତୁ ଗତ ଦେଢ଼ ଦଶକରେ ଏହା ଭାରତର ଓ୍ଵାଇନ୍‌ ରାଜଧାନୀ ଭାବେ ପରିଚିତ ହୋଇଛି।

ନାସିକର ଐତିହାସିକ ଗୌରବ
ନାସିକର ଏକ ସମୃଦ୍ଧ ଇତିହାସ ରହିଛି। ପୌରାଣିକ କାଳରେ ମହାସାଗର ମନ୍ଥନ ଏହି ସହରରେ ହିଁ ହୋଇଥିଲା ବୋଲି ବିଶ୍ଵାସ କରାଯାଏ। ହଜାର ହଜାର ବର୍ଷ ପୂର୍ବେ ଏହି ସ୍ଥାନରେ ସୋମରସ ନାମକ ଅମୃତ ଝରି ପଡ଼ିଥିଲା। ଏହି କାହାଣୀ ଏହି ସହର ସହିତ ଅତ୍ୟନ୍ତ ସମଞ୍ଜସ୍ୟ ରହିଛି, କାରଣ ଆଜି ନାସିକ ଭାରତୀୟ ଓ୍ଵାଇନ୍‌ ଉତ୍ପାଦନର କେନ୍ଦ୍ର ହୋଇଛି। ଏବେ ଏହି ସହରରେ ୫୨ଟି ଓ୍ଵାଇନାରୀ ରହିଛି, ଯାହାକୁ ଚଳାଇବା ପାଇଁ ୮୦୦୦ ଏକର ଜମିରେ ଅଙ୍ଗୁର ଚାଷ କରାଯାଉଛି। ଯଦି ନାସିକ ଓ ତା’ର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଅଙ୍ଗୁର ବଗିଚାର କଥା କହିବା, ତେବେ ଏହାର ମୋଟ କ୍ଷେତ୍ରଫଳ ପ୍ରାୟ ୧୮୦୦୦ ଏକର। ନାସିକର ମାଟିରେ ରହିଛି ବିଶେଷ ଗୁଣ
ନାସିକରେ ଅଙ୍ଗୁର ଚାଷ ବହୁତ ବଡ଼ ପରିମାଣରେ ହେଉଛି, ଯେଉଁଥିପାଇଁ ଏଠାରେ ଥିବା ଓ୍ଵାଇନାରୀଗୁଡ଼ିକୁ ଓ୍ଵାଇନ୍‌ ତିଆରି ପାଇଁ ଅଙ୍ଗୁର ସହଜରେ ମିଳିଯାଏ। ନାସିକର ମାଟିରେ ରେଡ୍‌ ଲାଟେରାଇଟ୍‌ ମିଳୁଛି, ଯାହା ଏକ ଅଲଗା ପ୍ରକାରର ମାଟି। କେବଳ ମାଟି ନୁହେଁ, ଏଠାରେ ପାଣି ବ୍ୟବସ୍ଥା ମଧ୍ୟ ଉନ୍ନତ। ଅଙ୍ଗୁର ଚାଷ ପାଇଁ ପାଣିର ବହୁତ ଆବଶ୍ୟକତା ଥାଏ, କିନ୍ତୁ ଉନ୍ନତ ବ୍ୟବସ୍ଥା ଯୋଗୁ ପାଣି ସହଜରେ ମିଳୁଛି।

ନାସିକ ଏକ ପ୍ରାଚୀନ ସହର ହେଲେ ମଧ୍ୟ ଓ୍ଵାଇନ୍‌ ଉତ୍ପାଦନ ଏହି ଅଞ୍ଚଳ ପାଇଁ ଏକ ନୂଆ ଜିନିଷ। ସୁଲା ଓ୍ଵାଇନ୍‌ୟାର୍ଡସ୍‌ର ପ୍ରତିଷ୍ଠାତା ତଥା ସିଇଓ ରାଜୀବ ସୁରେଶ ସାମନ୍ତ ଏକ ସାକ୍ଷାତକାରରେ ସିଏନ୍‌ଏନ୍‌କୁ କହିଥିଲେ ଯେ, ୧୯୯୦ ଦଶକରେ ସେ କାଲିଫୋର୍ନିଆରୁ ଭାରତରେ ନିଜ ପରିବାର ଘରକୁ ଫେରିବା ପରେ ଦେଖିଥିଲେ ଯେ ଦେଶରେ ସ୍ଥାନୀୟ ଓ୍ଵାଇନ୍‌ର ଅଭାବ ରହିଛି। ଏହି ଅଞ୍ଚଳର ମଧ୍ୟମ ବର୍ଗ ଓ ବୃଦ୍ଧି ପାଉଥିବା ଜନସଂଖ୍ୟାକୁ ଦେଖି ସାମନ୍ତଙ୍କୁ ଏଥିରେ ଏକ ସୁଯୋଗ ଦେଖାଗଲା। ୧୯୯୯ରେ ସେ ସୁଲା ଓ୍ଵାଇନ୍‌ୟାର୍ଡସ୍‌ ପ୍ରତିଷ୍ଠା କଲେ, ଯାହା ନାସିକର ପ୍ରଥମ ଓ୍ଵାଇନାରୀ ଥିଲା।

କିଛି ବର୍ଷ ପୂର୍ବେ ଦେଶର ପ୍ରଥମ ଓ୍ଵାଇନ୍‌ ମାଷ୍ଟର ସୋନାଲ ହଲାଣ୍ଡ ଭାରତରେ ଓ୍ଵାଇନ୍‌ ସମ୍ବନ୍ଧୀୟ ଏକ ଅଧ୍ୟୟନ କରିଥିଲେ। ତାଙ୍କ ଅଧ୍ୟୟନରେ କୁହାଯାଇଛି ଯେ ଭାରତରେ ଓ୍ଵାଇନ୍‌ ପର୍ଯ୍ୟଟନ ଏବେ ପ୍ରାଥମିକ ଅବସ୍ଥାରେ ଅଛି। ୧୪୦ କୋଟି ଜନସଂଖ୍ୟା ଥିବା ଦେଶରେ ମାତ୍ର ୪୦-୫୦ ଲକ୍ଷ ଓ୍ଵାଇନ୍‌ ଉପଭୋକ୍ତା ଅଛନ୍ତି। ମୋଟ ମଦ୍ୟପାନ ବଜାରରେ ଓ୍ଵାଇନ୍‌ର ଅଂଶ ୧ ପ୍ରତିଶତରୁ ମଧ୍ୟ କମ। ଜଣେ ବ୍ୟକ୍ତିଙ୍କ ଦ୍ଵାରା ଓ୍ଵାଇନ୍‌ ଉପଭୋଗ ବିଶ୍ଵ ହାରାହାରି (୫.୫ ଲିଟର) ତୁଳନାରେ ୫୦ ମିଲିଲିଟରରୁ ମଧ୍ୟ କମ। ତଥାପି, ଭାରତୀୟ ଓ୍ଵାଇନ୍‌ ବଜାରରେ ୨୦୨୩-୨୦୨୮ ମଧ୍ୟରେ ୧୫ ପ୍ରତିଶତ ବାର୍ଷିକ ବୃଦ୍ଧି ହାର (CAGR) ହେବ ବୋଲି ଆକଳନ କରାଯାଇଛି।ଓ୍ଵାଇନ୍‌ ପ୍ରେମୀଙ୍କ ସଂଖ୍ୟା ବୃଦ୍ଧି
ରିପୋର୍ଟ ଅନୁସାରେ, ମଧ୍ୟମ ବର୍ଗ ଓ ସହରାଞ୍ଚଳର ଉପଭୋକ୍ତାଙ୍କ ମଧ୍ୟରେ ଓ୍ଵାଇନ୍‌ର ଲୋକପ୍ରିୟତା ବଢୁଛି।

 

Comments are closed.