Latest Odisha News

ରୋଚକ ହେଉଛି ଦିଲ୍ଲୀ ରାଜନୀତି, ପଞ୍ଜାବ ଗାଡ଼ି ଦେଖି ବିଜେପି ଆଣିଲା ସାଂଘାତିକ ଅଭିଯୋଗ

ନୂଆଦିଲ୍ଲୀ : ନିର୍ବାଚନ ପାଖେଇ ଆସୁଥିବା ବେଳେ ଦିଲ୍ଲୀରେ ଜୋରଦାର ହେଉଛି ବିଜେପି-ଆପ୍ ଟଣା ଓଟରା । ପ୍ରଚାର ଜୋରଦାର ଚାଲିଥିବା ବେଳେ ପାଖେଇ ଆସିଲାଣି ସାଧାରଣତନ୍ତ୍ର ଦିବସ । ଆଉ ଏଭଳି ସ୍ଥିତିରେ ପଞ୍ଜାବ ସରକାରଙ୍କ ନେତା, ମନ୍ତ୍ରୀ, ସେମାନଙ୍କ ଗାଡ଼ି ଏବଂ ସେମାନଙ୍କ ସୁରକ୍ଷାକର୍ମୀଙ୍କୁ ନେଇ ବିଜେପି ବହୁତ ବଡ଼ ଅଭିଯୋଗ ଆଣିଛି । ବିଜେପି ନେତା ପରଭେଶ ବର୍ମା, କେବଳ ପଞ୍ଜାବୀଙ୍କୁ ନେଇ ଏଭଳି ଅଭିଯୋଗ କରି ନାହାନ୍ତି, ବରଂ ଏହି ଘଟଣାକୁ ନେଇ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନଙ୍କ ବିରୋଧରେ ଶହେ କୋଟି ଟଙ୍କାର ମାନହାନି ମୋକଦମା ଦାଏର କରିବେ ବୋଲି କହିଛନ୍ତି । ସେହି ଟଙ୍କା ମିଳିଲେ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ବିକାଶମୂଳକ କାମ କରାଇବେ ବୋଲି କହିଛନ୍ତି ପରଭେଶ ବର୍ମା ।

ଅନ୍ୟପଟେ କଂଗ୍ରେସ କହିଛି ଦିଲ୍ଲୀରେ ଆପ୍ ପାଇଁ ପଞ୍ଜାବରୁ ନେତା ଓ ମନ୍ତ୍ରୀ ଆସି ପ୍ରଚାର କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ପଞ୍ଜାବ ସରକାରଙ୍କ ଗାଡ଼ି ଦିଲ୍ଲୀ ନିର୍ବାଚନରେ ବ୍ୟବହାର ହେବା କଥା ନୁହେଁ । ବିଜେପି ପଞ୍ଜାବ ସରକାରଙ୍କ ନେତା ଓ ମନ୍ତ୍ରୀଙ୍କୁ ନେଇ ଆପତ୍ତି ଉଠାଇଥିବା ବେଳେ କଂଗ୍ରେସ କହୁଛି ଦିଲ୍ଲୀ ନିର୍ବାଚନରେ ପଞ୍ଜାବ ସରକାରଙ୍କ ଗାଡ଼ି ବ୍ୟବହାର, ସରକାରୀ କଳର ଅପବ୍ୟହାର । ଦିଲ୍ଲୀରେ ଏଥର ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ ତିନି ହେଁ ପରସ୍ପରର ଛାଇକୁ ଦେଖିଲେ ଡରିବା ଆରମ୍ଭ କଲେଣି ।

ସୂଚନାଥାଉକି, ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଫେବୃଆରୀ ୫ରେ ଏକା ଥରକେ ସରିବ ସମସ୍ତ ୭୦ ବିଧାନସଭା ଆସନରେ ଭୋଟିଂ । ସେହିପରି ୮ ତାରିଖରେ ଗଣତି ସହ ସ୍ପଷ୍ଟ ହୋଇଯିବ, ଆଗାମୀ ୫ ବର୍ଷ ପାଇଁ ଦିଲ୍ଲୀ କାହାର ହେବ । ୧୭ ତାରିଖ ନାମାଙ୍କନ ଦାଖଲର ଶେଷ ତାରିଖ ସରିଥିବା ବେଳେ ୧୮ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ମଧ୍ୟ ସରିଛି । ୨୦ ତାରିଖ ଥିଲା ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ।

Comments are closed.