ନୂଆଦିଲ୍ଲୀ : ଭାବନ୍ତୁ ଯେ ଆପଣ କିଛି ବନ୍ଧୁଙ୍କ ସହ ଏକ ରେଷ୍ଟୁରାଣ୍ଟକୁ ଯାଇଛନ୍ତି। ରେଷ୍ଟୁରାଣ୍ଟରେ ଖାଇବା ବେଳେ ଆପଣଙ୍କ ଖାଇବା ଥାଳିରୁ ମୃତ ମୂଷା ବାହାରିବ। ଏହି କଥା ଭାବିବା ବେଳକୁ ଆପଣଙ୍କ ମନ ଭିତରେ କ’ଣ ହୋଇଯାଉଥିବ। ଏମିତିକି କିଛି ଦିନ ଯାଏ ଖାଇବାକୁ ମଧ୍ୟ ଇଚ୍ଛା ହେଉନଥିବ। ନେଭି ମୁମ୍ୱାଇୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ମହିଳା ଦିବସ ଅବସରରେ କିଛି ମହିଳା ଖାଇବା ପାଇଁ ପର୍ପଲ ବଟରଫ୍ଲାଇ ହୋଟେଲ ଯାଇଥିଲେ। ଏହି ସମୟରେ ସେମାନେ କିଛି ଡିସେସ୍ ଅର୍ଡର କରିଥିଲେ।
ଯେତେବେଳେ ଏହି ମହିଳାମାନେ ମଞ୍ଚୁରିଆନ୍ ଖାଇବା ଆରମ୍ଭ କଲେ, ମଞ୍ଚୁରିଆନ ଭିତରୁ ଏକ ମୃତ ଶିଶୁ ମୂଷା ବାହାରିଥିଲା। ଖାଇବା ଥାଳିରେ ମୃତ ମୂଷା ଦେଖିବା ମାତ୍ରେ ସେମାନେ ଭୟଭୀତ ହୋଇଥିଲେ। ଏହି ମହିଳାମାନେ ତୁରନ୍ତ ହୋଟେଲ ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ମ୍ୟାନେଜର ଏହି ମହିଳାମାନଙ୍କୁ କ୍ଷମା ମାଗିଥିଲେ। ତେବେ ଏହି ମହିଳାମାନେ ମାମଲାକୁ ଗୁରୁତର ସହ ନେଇ ପୋଲିସ ନିକଟରେ ମାମଲା ଦାୟର କରିଥିଲେ।
ମାମଲା ପଞ୍ଜୀକୃତ ହେବା ପରେ ରେଷ୍ଟୁରାଣ୍ଟର ମାଲିକ, ପରିଚାଳକ ଏବଂ କର୍ମଚାରୀଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର ହୋଇଛି। ଏହି ମାମଲାକୁ ନେଇ ପୋଲିସ କହିଛି ଯେ ନଅ ଜଣ ମହିଳା, ମହିଳା ଦିବସ ପାଳନ କରିବା ପାଇଁ ଏୟାରୋଲିର ସେକ୍ଟର 4, ପର୍ପଲ ବଟରଫ୍ଲାଇ ହୋଟେଲରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ। ଖାଦ୍ୟ ଖାଇବା ସମୟରେ ଜଣେ ମହିଳା ଗ୍ରେଭିରେ ଏକ ମୂଷା ଦେଖିଲେ। ଯାହା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା।
ମହିଳାମାନେ ମୃତ ମୂଷାର ଫଟୋ ଏବଂ ଭିଡିଓ ଉଠାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ରେଷ୍ଟୁରାଣ୍ଟ ମାଲିକ ଏବଂ କର୍ମଚାରୀଙ୍କ ବିରୋଧରେ ବିଏନ୍ଏସ୍ ଏବଂ ଖାଦ୍ୟ ନିରାପତ୍ତା ଏବଂ ମାନକ ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି।
Comments are closed.