Latest Odisha News

BREAKING NEWS

କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ବିଚାରପତି ବିଶ୍ୱନାଥନ, ଏଥିପାଇଁ ନେଲେ ନିଷ୍ପତ୍ତି

ନୂଆଦିଲ୍ଲୀ: କୋଇଲା ଦୁର୍ନୀତି ମାମଲାର ଶୁଣାଣିରେ ନିଜକୁ ଦୂରେଇ ରଖିଲେ ସୁପ୍ରିମକୋର୍ଟ ବିଚାରପତି ବିଶ୍ୱନାଥନ। ସେ କହିଛନ୍ତି ଏହା ପୂର୍ବରୁ ଓକିଲ ଭାବେ ଏହି ମାମଲାରେ କୋର୍ଟରେ ହାଜର ହୋଇଥିଲି, ଏଥିପାଇଁ ଏହି ମାମଲାର ଶୁଣାଣିରେ ମୁଁ ଭାଗ ନେଇ ପାରିବି ନାହିଁ। ଅବୈଧ କୋଇଲା ବ୍ଲକ ଆବଣ୍ଟନ ସହ ଜଡ଼ିତ ମାମଲରେ ଟ୍ରାଇଲ କୋର୍ଟଙ୍କ ରାୟ ବିରୋଧରେ ସୁପ୍ରମକୋର୍ଟରେ ଚ୍ୟାଲେଞ୍ଚ ହୋଇଥିଲା। ଏହାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜିବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଓ ଜଷ୍ଟିସ ବିଶ୍ୱନାଥନଙ୍କୁ ନେଇ ଏକ ଖଣ୍ଡପୀଠ ଗଠନ ହୋଇଥିଲା। ଶୁଣାଣି ଆରମ୍ଭ ହେବା ବେଳେ ଜଷ୍ଟିସ ବିଶ୍ୱାନଥ କହିଥିଲେ ଯେ ଏହି ମାମଲାର ତଦନ୍ତ ଇଡି କରୁଥିଲା । ଏଥିରେ ମୁଁ ମଧ୍ୟ କୋର୍ଟରେ ଓକିଲ ଭାବେ ହାଜର ହୋଇଥିଲି, ଏଥିପାଇଁ ଏହି ଶୁଣାଣିରୁ ମୁଁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। ଏହାପରେ ପ୍ରଧାନ ବିଚାରପତି କହିଥିଲେ ଯେ 10 ଫେବୃଆରୀରେ ପୁଣି ଏକ ନୂଆ ପୀଠ ଗଠନ ହେବ।

ସୁପ୍ରିମକୋର୍ଟ 2014 ଓ 2017ରେ ଦୁଇଟି ନିର୍ଦ୍ଦେଶ ପାରିତ କରି ଅଭିଯୁକ୍ତଙ୍କୁ ହାଇକୋର୍ଟ ଯିବା ଉପରେ ରୋକ ଲଗାଇଥିଲେ। ନିର୍ଦ୍ଦେଶରେ କୁହାଯାଇଥିଲା ଯେ କୋଇଲା ଦୁର୍ନୀତି ମାମଲାରେ ଟ୍ରାଇଲ କୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଚ କେବଳ ସୁପ୍ରିମକୋର୍ଟରେ କରାଯାଇ ପାରିବ। ତେବେ ଏହି ନିର୍ଦ୍ଦେଶ ପଛର ଉଦ୍ଦେଶ୍ୟ ରହିଥିଲା ଯେ ମାମଲାର ଶୁଣାଣି ବିଳମ୍ୱ ନ ହୋଇ ଶୀଘ୍ର ହେଉ। ଏଥିପାଇଁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ଅଭିଯୁକ୍ତଙ୍କୁ ସିଧା ସୁପ୍ରିମକୋର୍ଟ ଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଗୁରୁବାର ଶୁଣାଣି ସମୟରେ ଖଣ୍ଡପୀଠ ରେଜିଷ୍ଟ୍ରିକୁ 2014 ଓ 2017 ସବୁ ଶୁଣାଣି ସହ ଜଡ଼ିତ ଯାଚିକାକୁ ଏକାଠି କରିବାକୁ କହିଛନ୍ତି। ଏହାସହ କୁହାଯାଇଛି ଯେ ଅନ୍ତରୀଣ ଅପିଲ ଉପରେ ହାଇକୋର୍ଟଙ୍କୁ ମନା କରାଯାଇଥିବା ନିର୍ଦ୍ଦେଶ ମଧ୍ୟ ଏଥିରେ ରଖାଯିବ।

Leave A Reply

Your email address will not be published.