ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ବଡ଼ ଅଘଟଣ । ମନ୍ଦିରରେ ବୈକୁଣ୍ଠ ଦ୍ବାର ନିକଟରେ ହୋଇଛି ଦଳାଚକଟା । ଏଥିରେ ବର୍ତ୍ତମାନ ସୁଦ୍ଧା ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବୁଧବାର ମନ୍ଦିରରେ ୧୦ ଦିନିଆ ବୈକୁଣ୍ଠ ଦ୍ୱାର ଦର୍ଶନର ଟିକେଟ୍ ପାଇଁ ଏପରି ଦଳାଚକଟାର ହୋଇଛି ବୋଲି ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ, ଏହି ଦଳାଚକଟାରେ ବହୁ ଆହତ ମଧ୍ୟ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବୈକୁଣ୍ଠ ଦ୍ୱାର ଦର୍ଶନ କରିବାକୁ ବୁଧବାର ସକାଳୁ ପ୍ରାୟ ୪ ହଜାର ଲୋକ ଆସିଥିଲେ । ହେଲେ ଟୋକେନ୍ ବଣ୍ଟନ ପାଇଁ ଭକ୍ତମାନଙ୍କୁ ବାଇରାଗୀ ପଟ୍ଟିଦା ପାର୍କରେ ଧାଡ଼ି ଲଗାଇବାକୁ କୁହାଯିବାରୁ ସେଠାରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା । ଏହାପରେ ସେଠାରେ ପ୍ରବଳ ହୋହଲ୍ଲା ହେବା ସହ ଦଳଚକଟା ହୋଇଥିଲା ।
ଦଳାଚକଟା ଘଟଣା ପରେ ତିରୁମାଲା ତିରୁପତି ଦେବସ୍ଥାନମ୍ ବୋର୍ଡର ଚେୟାରମ୍ୟାନ୍ ବି.ଆର ନାଇଡୁ ବର୍ତ୍ତମାନ ଏକ ଜରୁରୀ ବୈଠକ ଡକାଇଛନ୍ତି। ଏହି ବୈଠକ ସରିବା ପରେ ସେ ଗଣମାଧ୍ୟମକୁ ଘଟଣା ସମ୍ପର୍କରେ ସମ୍ବୋଧିତ କରିବେ। ଅନ୍ୟପଟେ ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଆହତଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।