ନୂଆଦିଲ୍ଲୀ : ଛତିଶଗଡ଼ର ଟେଲିଭିଜନ୍ ସାମ୍ବାଦିକ ମୁକେଶ ଚନ୍ଦ୍ରାକରଙ୍କୁ ହତ୍ୟା କରାଯାଇଛି । ବିଜାପୁର ସହରର ସୁରେଶ ଚନ୍ଦ୍ରାକରଙ୍କ ଘରେ ଥିବା ସେପ୍ଟିକ୍ ଟାଙ୍କିରୁ ମୁକେଶଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ମୁଣ୍ଡ ଓ ପିଠିରେ ଏକାଧିକ କ୍ଷତ ଚିହ୍ନ ରହିଛି । ଯାହା ସ୍ପଷ୍ଟ କରି ଦେଉଛି ଯେ, ତାଙ୍କୁ ହତ୍ୟା କରି ସେପ୍ଟିକ୍ ଟାଙ୍କିରେ ପକାଇ ଦିଆ ଯାଇଥିଲା । ସୁରେଶ ଜଣେ ରାସ୍ତା ନିର୍ମାଣ ଠିକାଦାର । ଗତ ଜାନୁଆରି ପହିଲା ନୂଆବର୍ଷରେ ସୁରେଶଙ୍କ ଭାଇ ମୁକେଶଙ୍କୁ ଦେଖା କରିବାକୁ ଡାକିଥିଲେ । ମୁକେଶ ତାଙ୍କର ଜଣେ ସାଥୀଙ୍କୁ ଏ ବାବଦରେ ଜଣାଇବା ପରେ ଦେଖା କରିବାକୁ ଯାଇଥିଲେ । କିନ୍ତୁ ରାତି ସାଢ଼େ ୧୨ଟା ପରେ ତାଙ୍କ ମୋବାଇଲ୍ ଫୋନ୍ ସ୍ବିଚ୍ ଅଫ୍ ହୋଇ ଯାଇଥିଲା । ତା ପରଦିନ ମଧ୍ୟ ମୁକେଶ ଘରକୁ ଫେରି ନଥିଲେ ।
ମୁକେଶଙ୍କ ବାପା-ମାଆ ନଥିବା ବେଳେ ସେ ତାଙ୍କ ବଡ଼ଭାଇ ୟୁକେଶଙ୍କ ସହ ରହୁଥିଲେ । ୟୁକେଶ ମଧ୍ୟ ଜଣେ ସାମ୍ବାଦିକ । ଭାଇ ଘରକୁ ନଫେରିବାରୁ ଥାନାରେ ଏତଲା ଦେଇଥିଲେ ୟୁକେଶ । ପୋଲିସ ତାଙ୍କ ମୋବାଇଲ୍ ଫୋନ୍ ଟ୍ରାକ୍ କରିଥିଲା । ସୁରେଶ ଚନ୍ଦ୍ରାକରଙ୍କ ଘରେ ହିଁ ମୁକେଶଙ୍କ ମୋବାଇଲ୍ ଫୋନ୍ ଶେଷ ଥର ପାଇଁ ଟ୍ରାକ୍ ହୋଇଥିଲା । ପୋଲିସ ସେଠାକୁ ଯାଇ ପଚରା ଉଚରା କରିଥିଲା । ସେପ୍ଟିକ୍ ଟାଙ୍କିରେ ନୂଆକୁ କଂକ୍ରିଟ୍ ଲାଗିଥିବା ଦେଖି ସନ୍ଦେହ କରିଥିଲା ପୋଲିସ । ଆଉ ସତକୁ ସତ ସେହି ସେପଟିକ୍ ଟାଙ୍କିରୁ ହିଁ ମୁକେଶଙ୍କ ମୃତଦେହ ମିଳିଥିଲା ।
ପୋଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଛି । ଠିକାଦାର ସୁରେଶ ଚନ୍ଦ୍ରାକର ମଧ୍ୟ ସେମାନଙ୍କ ମଧ୍ୟରେ ଅଛନ୍ତି । ମୁକେଶ ଜଣେ ଟେଲିଭିଜନ୍ ସାମ୍ବାଦିକ ଥିବା ସହ ନିଜର ଏକ ୟୁ-ଟ୍ୟୁବ୍ ଚ୍ୟାନେଲ୍ ମଧ୍ୟ କରିଥିଲେ । ସେ ୨୦୨୧ରେ ମାଓବାଦୀଙ୍କ କବ୍ଜାରେ ଥିବା CRPF କମାଣ୍ଡୋ ରାକେଶ୍ବର ସିଂହ ମାନହଂସଙ୍କୁ ମୁକୁଳାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ ।
Comments are closed.