ଗଜପତି:ଅଙ୍ଗଦାନ କରି ଚର୍ଚ୍ଚାରେ ଜଣେ ଚାଷୀ । ମୃତ୍ୟୁ ପରେ ମହତ ଦାନ କରି ଅମର ହୋଇଯାଇଛନ୍ତି ରମେଶ ରଣସିଂ । ଗଜପତି ଜିଲ୍ଲା ମୋହନା ଥାନା ଜାଲିବାଡି ଗାଁର ରମେଶ ରଣସିଂ ଅଙ୍ଗଦାନ କରିଛନ୍ତି । ଜଣେ ପରୋପକାରୀ ସମାଜସେବୀ ଭାବେ ପରିଚିତ ରମେଶଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ପକ୍ଷରୁ ଅଙ୍ଗଦାନ କରାଯାଇ ମାନବିକତାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରାଯାଇଛି। ଏହି ମହତ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ‘ଗାର୍ଡ ଅଫ ଅନର’ ପ୍ରଦାନ କରାଯାଇଛି।
ଗତ ୩୧ ରେ ନିଜ ସମ୍ପର୍କୀୟଙ୍କ ସହ ବାଇକରେ ଯାଉଥିଲେ ରମେଶ । ବଡସିନ୍ଧବା ନିକଟରେ ଅନ୍ୟ ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଓ ପରେ ଶ୍ରୀକାକୁଲମର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଗତ ବୁଧବାର ଡାକ୍ତର ତାଙ୍କୁ ‘ବ୍ରେନ୍ ଡେଡ୍’ ବୋଲି ଘୋଷଣା କରିଥିଲେ।
ବାପାଙ୍କ ମୃତ୍ୟୁ ପରେ ମଧ୍ୟ ସେ ଅନ୍ୟମାନଙ୍କ ମଧ୍ୟରେ ଜୀବିତ ରୁହନ୍ତୁ, ଏହି ଉଦ୍ଦେଶ୍ୟ ରଖି ପରିବାର ପକ୍ଷରୁ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରମେଶଙ୍କ ଲିଭର, କିଡନୀ ଓ ହାର୍ଟ ଦାନ କରାଯାଇଛି, ଯାହା ଅନ୍ୟ ରୋଗୀଙ୍କୁ ନୂତନ ଜୀବନ ଦେବାରେ ସହାୟକ ହେବ। ଏନେଇ ପୁଅ ବସନ୍ତ କୁମାର ରଣସିଂ କହିଛନ୍ତି ଯେ, “ବାପା ଆମକୁ ଛାଡି ଚାଲିଯାଇଥିଲେ ମଧ୍ୟ ତାଙ୍କ ଅଙ୍ଗଦାନ ପାଇଁ ଆମେ ଗର୍ବିତ।”
ତାଙ୍କର ଏହି ମହତ ଦାନ ପାଇଁ ମୋହନା ଥାନା ପୋଲିସ ପକ୍ଷରୁ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି ।
Comments are closed.