ଲସ୍ ଭେଗାସ୍: ଆମେରିକାର ଲସ୍ ଭେଗାସ୍ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ ହୋଟେଲ ବାହାରେ ଏକ ଟେସଲା ସାଇବରଟ୍ରକରେ ବିସ୍ଫୋରଣ ଘଟିଛି।
ଏହି ବିସ୍ଫୋରଣ ଯୋଗୁ ଟେସଲା ମଧ୍ୟ ଆଲୋଚନାର କେନ୍ଦ୍ରକୁ ଆସିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି। ତେବେ ବିସ୍ଫୋରଣର କାରଣ ଟେସଲା ସାଇବରଟ୍ରକରେ ରଖାଯାଇଥିବା ଆତସବାଜି, ଗ୍ୟାସ ସିଲିଣ୍ଡର ଏବଂ ଇନ୍ଧନ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ଏହି ବିସ୍ଫୋରଣ ଏକ ଯୋଜନାବଦ୍ଧ ଆକ୍ରମଣ ପରି ମନେହେଉଥିବା ଚର୍ଚ୍ଚା ହେଉଛି।
ଏହି ଅଘଟଣ ଗତ ବୁଧବାର ଦିନ ଘଟିଛି। ବିସ୍ଫୋରଣର କାରଣ ନେଇ ପୋଲିସ ଛାନଭିନ ଚଳାଇଛି। ଅପରପକ୍ଷରେ ଭାଇରାଲ ଭିଡିଓରେ ହୋଟେଲ ବାହାରେ ଥିବା ଟେସଲା ସାଇବରଟ୍ରକ୍ ରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳୁଥିବା ଦେଖାଯାଇଛି। କ୍ଲାର୍କ କାଉଣ୍ଟି ମୁଖପାତ୍ର କହିଛନ୍ତି ଯେ ରାତି ପ୍ରାୟ ୮ଟା ୪୦ମି.ସମୟରେ ଭାଲେଟ୍ ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥଲା।
ଟେସଲା ମୁଖ୍ୟ ଏଲନ୍ ମସ୍କ ମଧ୍ୟ ଏହି ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇଛନ୍ତି। ଟେସଲା ସିଇଓ ଏଲନ୍ ମସ୍କ କହିଛନ୍ତି ଯେ ଲସ୍ ଭେଗାସ ସ୍ଥିତ ଟ୍ରମ୍ପ ଇଣ୍ଟରନ୍ୟାସନାଲ୍ ହୋଟେଲ ବାହାରେ ଥିବା ଟେସଲା ସାଇବରଟ୍ରକରେ ହୋଇଥିବା ବିସ୍ଫୋରଣ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଇଲେକ୍ଟ୍ରିକ୍ ଭେହିକିଲର ଡିଜାଇନ୍ ବିସ୍ଫୋରଣର ପ୍ରଭାବକୁ ହ୍ରାସ କରିବାରେ ସକ୍ଷମ। ଯାହାଫଳରେ ହୋଟେଲରେ କୌଣସି ବିଶେଷ କ୍ଷତି ହୋଇନାହିଁ।
Comments are closed.