ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଲିପିକା ମିଶ୍ର । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଅଧ୍ୟାପିକା ଭାବରେ ଛାତ୍ର ଛାତ୍ରୀଙ୍କ ଯେତିକି ପ୍ରିୟ ଜଣେ ସାଙ୍ଗଠିକା ଭାବରେ ମଧ୍ୟ ସେତିକି ଜନପ୍ରିୟ । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ଲିପିକା ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ।
ସାହିତ୍ୟ ସର୍ଜନା ପ୍ରତି କେମିତି ଆଗ୍ରହୀ ହେଲେ ?
ମୁଁ ମାଟ୍ରିକ ପଢିଲା ବେଳେ ମୋର ଗଣିତ ଶିକ୍ଷକ ମତେ କହିଥିଲେ କବିତାଟେ ଲେଖି ଆଣିବା ପାଇଁ। ମୁଁ କବିତା ଲେଖିକି ସାରଙ୍କୁ ଦେଖାଇଥିଲି । ସେ ମତେ ନୂଆ ପାଞ୍ଚ ଟଙ୍କା ନୋଟଟିଏ ଧରାଇ ଦେଇ କହିଥିଲେ ଖୁବ ସୁନ୍ଦର କବିତା ହୃଦୟସ୍ପର୍ଶୀ। ସେ ଦିନ ମୋ ମନରେ ଯେଉଁ ପୁଲକ ତାହା ଆଜି ମଧ୍ୟ ସତେଜ ଅଛି। ତା’ପରେ ମୁଁ ନିଶ୍ଚିତ କଲି ସାହିତ୍ୟର ଛାତ୍ରୀ ହେଲି। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢିଲା ବେଳେ ଅନେକ ଗୁରୁଙ୍କ ସଂସ୍ପର୍ଶରେ ଆସିଲି। ଯାହାଙ୍କଠାରୁ ବହୁତ କିଛି ଶିକ୍ଷାଲାଭ କଲି। ଆଧୁନିକ କବିତା ଉପରେ ପ୍ରଫେସର ପ୍ରଭାତି ରଥଙ୍କ ଅଗାଢ ପାଣ୍ଡିତ୍ୟ ମୋତେ ବିହ୍ଵଳିତ କଲା । ତାଙ୍କଠାରୁ ପାଇଥିବା ଉତ୍ସାହ ମନ ଭିତରେ ଏବେ ବି ଉଜ୍ଜୀବିତ। ଏଇଠୁ ହିଁ ମୋ ସାହିତ୍ୟ ସର୍ଜନାର ଆରମ୍ଭ ।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ବୈଶାଖ ମାସର ଧୁ ଧୁ ଖରାରେ ପରିବାର ଲୋକଙ୍କ ସହ ସିରିଡ଼ି ଦର୍ଶନ ପାଇଁ ଜିନିଷ ପତ୍ର ଯୋଗାଡ଼ ଚାଲିଥାଏ। ହଠାତ ପୋଷ୍ଟମ୍ୟାନ ଆସି ଗୋଟେ ଚିଠି ଦେଲେ ଚିଠିଟି ଥିଲା ପ୍ରଜାତନ୍ତ୍ର ପ୍ରଚାର ସମିତି କଟକରୁ। ସେଥିରେ ଲେଖା ଥିଲା, ଶ୍ରୀମତୀ ଲିପିକା ମିଶ୍ର ଆପଣଙ୍କୁ କଟକ ପ୍ରଜାତନ୍ତ୍ର ଭବନରେ ବିଷୁବ ମିଳନ ଅବସରରେ ସମ୍ମାନିତ କରାଯିବାକୁ ସ୍ଥିର କରାଯାଇଛି। ଏହା ଦେଖି ମୁଁ କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲି । ଏମଫିଲ ପଢିଲା ବେଳେ ମୁଁ କନ୍ନଡ଼ ସାହିତ୍ୟର ଜଣେ ବିଶିଷ୍ଟ ଗାଳ୍ପିକ ସୁଧା ମୂର୍ତ୍ତିଙ୍କ ଗଳ୍ପକୁ ଅନୁବାଦ କରିଥିଲି ଏବଂ ପ୍ରଥମ କରି ତାକୁ ପୋଷ୍ଟ କରି ଝଙ୍କାର ପତ୍ରିକା ନିମନ୍ତେ ପଠାଇଥିଲି, ତାହା ପ୍ରକାଶିତ ମୋର ପ୍ରଥମ ଅନୁବାଦ ଗଳ୍ପ ଯାହା ପାଇଁ ମୁଁ କଟକ ପ୍ରଜାତନ୍ତ୍ର ପଚାର ସମିତି ଆନୁକୂଲ୍ୟରେ ବିଷୁବ ମିଳନ ଅବସରରେ ସମ୍ମାନିତ ହୋଇଥିଲି। ଓଡ଼ିଶାର ଜଣେ ଚର୍ଚ୍ଚିତ ନାରୀ ଲେଖିକା ପ୍ରତିଭା ରାୟ ମହାଶୟାଙ୍କ ହାତରେ ସମ୍ମାନିତ ହେବାର ଗୌରବ ଲାଭ କରିଥିଲି। ସେଠାରେ ଓଡ଼ିଶାର ତଥା ଓଡ଼ିଶା ବାହାରର ବହୁ ବିଶିଷ୍ଟ ଗାଳ୍ପିକ, କବି, ଔପନ୍ୟାସିକ, ସମାଲୋଚକମାନଙ୍କ ସହ ଦେଖା ହେବା ସହ ଆଳାପ କରିବାର ସୁଯୋଗ ପାଇଲି। ସେଠାରେ ଜଣେ ବୟୋଜ୍ୟେଷ୍ଠ ସାମ୍ବାଦିକ ମତେ କହିଥିଲେ ତୁମେ ସିଂହ ଦ୍ୱାରରେ ପାଦ ଦେଇସାରିଛ। ଆଉ ଲକ୍ଷ୍ୟସ୍ଥଳରୁ ତୁମେ ଦୂରରେ ନାହିଁ। ସତରେ ତାହା ହିଁ ଥିଲା ମୋ ସାହିତ୍ୟିକ ଜୀବନର ସିଂହଦ୍ୱାର ।
ଆପଣ କବିତା, ଗଳ୍ପ, ନାଟକ, ଅନୁବାଦ, ସମାଲୋଚନା ଓ ସମ୍ପାଦନା କ୍ଷେତ୍ରରେ ସକ୍ରିୟ। ତେବେ ଉପନ୍ୟାସ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ନାହିଁ ?
ଉତ୍ତର – ଉପନ୍ୟାସ ଲେଖିବା ପାଇଁ ମୁଁ ଆଗ୍ରହୀ ନୁହେଁ। ଏପରି କୁହାଯାଇ ପାରେନା। ମୋର ସୌଭାଗ୍ୟ ମୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ପର୍ଶୁରାମ ମିଶ୍ରଙ୍କ କୁଳବଧୂ। ମୋ ବାହାଘର ପରେ ମୁଁ ଘରେ ଥିବା କିଛି ପୁରୁଣା ବହି ପଢିଲା ବେଳେ ଦୟାନିଧି ମିଶ୍ରଙ୍କ ଚର୍ଚ୍ଚିତ ଉପନ୍ୟାସ ନୟନ ତାରା ପଢିବାର ସୁଯୋଗ ପାଇଲି। ଯାହା ତାଙ୍କ ପୁତ୍ର ଅମୁଲ୍ୟ କୃଷ୍ଣ ମିଶ୍ରଙ୍କ ପ୍ରୀତି ଉପହାର ଥିଲା। ମୁଁ ସେ ଉପନ୍ୟାସ ପଢିବାରେ ଯେତେ ମଜ୍ଜିକି ଥିଲି ତାଠାରୁ ଅଧିକ ଖୁସି ଲାଗୁଥିଲା ଶାଶୁ ଶଶୁରଙ୍କଠାରୁ ପର୍ଶୁରାମ ମିଶ୍ର ଓ ବଡ଼ ଭାଇ ଦୟାନିଧି ମିଶ୍ରଙ୍କ ଜୀବନୀ ସମ୍ପର୍କିତ ବହୁତ ମୂଲ୍ୟବାନ ତଥ୍ୟ ପାଇଲି। ଯାହାଙ୍କ ସମ୍ପର୍କରେ ମୁଁ ଏମଏ ପଢିଲା ବେଳେ ଅଳ୍ପ କିଛି ଶୁଣିଥିଲି । ତାଙ୍କ ଘର ବୋହୂ ହୋଇ ବହୁତ କିଛି ଜାଣି ମୋ ମନ ରୋମାଞ୍ଚିତ ହେଲା। ଆଉ ମୁଁ ସ୍ଥିର କଲି ନୟନ ତାରାକୁ ନୂଆକରି ଥରେ ସମୀକ୍ଷା କରିବା ପାଇଁ। ଶେଷରେ ଏହା ଏକ ସମାଲୋଚନା ପୁସ୍ତକ ଭାବରେ ପ୍ରକାଶିତ ହେଲା ।
ସମାଲୋଚନା ପୁସ୍ତକ ପାଇଁ କାହିଁକି ଆଗ୍ରହୀ ହେଲେ ?
ଅଧ୍ୟାପନା ମୋର ନିଶା। ମୁଁ ଯେତେବେଳେ କଲେଜରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ପଢ଼ାଏ, ସମୀକ୍ଷାତ୍ମକ ପୁସ୍ତକର ଆବଶ୍ୟକତା ବିଷୟରେ ଉପଲବ୍ଧି କରେ । ମୁଁ ଏମଏ ପଢିଲାବେଳେ ଅନେକ ସମାଲୋଚନାତ୍ମକ ପ୍ରବନ୍ଧ ଲେଖୁଥିଲି। ତେଣୁ ମୁଁ ସ୍ଥିର କଲି ପୁସ୍ତକର ରୂପ ଦେବା ପାଇଁ।
ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ନିଶ୍ଚୟ ମୁଁ ବେଳେ ବେଳେ ନିଜ ରଚନାର ସମୀକ୍ଷା କରେ,ମଝିରେ ମଝିରେ ଅନୁଭବ କରିହୁଏ । ସୁନ୍ଦର ସର୍ଜନା ପାଇଁ ଆଉ କିଛି ବ୍ୟବସ୍ଥିତ ଶବ୍ଦ ସଂଯୋଜନା କାରାଯାଇପାରନ୍ତା। ମୁଁ ମୋ ନିଜର ଲେଖାରେ ସନ୍ତୁଷ୍ଟ ନଥାଏ ମୋତେ ଲାଗେ ବହୁତକିଛି କହିବାରଥିଲା କହିହେଲା ନାହିଁ।
ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?
ପୁରସ୍କାର ଓ ପରିଚିତି ସାହିତ୍ୟିକକୁ ଅଧିକ ଆଗକୁ ଯିବା ପାଇଁ ଖୋରାକ ଯୋଗାଏ। ଜଣେ ନାଟ୍ୟକାର ଯେତେବେଳେ ମଞ୍ଚରେ ନାଟକ ଉପସ୍ଥାପନା କରେ ତଳେ ବସିଥିବା ଦର୍ଶକ ଯଦି ନାଟକଦେଖି ତାଳି ବଜେଇବେ ନାହିଁ ତେବେ ମଞ୍ଚରେ ଥିବା କଳାକାର ହୁଅନ୍ତୁ ବା ନାଟ୍ୟକାର ମନରେ ଆସିବ ଆମେ ଯାହା ଦେଖାଇଲୁ ତାହା ବୋଧେ ଲୋକଙ୍କୁ ପସନ୍ଦ ଆସିଲା ନାହିଁ। ଠିକ ସେହିପରି ସମାଜକୁ ଆମ ସର୍ଜନାର ପ୍ରତିବଦଳରେ ଯଦି ଆମକୁ ଉତ୍ସାହ ମିଳେ ତାହେଲେ କ୍ଷତି କଣ !
କଳାକାର ହୁଅନ୍ତୁ ବା ଲେଖକ ହୁଅନ୍ତୁ ସମସ୍ତେ ଆଗକୁ ଆହୁରି ଅଧିକ ସୁନାମ ଅର୍ଜନ କରିପାରିବେ। ବର୍ତ୍ତମାନ କିନ୍ତୁ କିଛି ବିଶୃଙ୍ଖଳିତ ବ୍ୟକ୍ତିତ୍ବଙ୍କ ପାଇଁ ପୁରସ୍କାରର ମାନ ହ୍ରାସ ପାଇବାକୁ ଲାଗୁଛି।
ସମ୍ପ୍ରତି ସାହିତ୍ୟ ସହ ସାମାଜିକ ଗଣମାଧ୍ୟମ ଓତଃପ୍ରୋତ ଭାବରେ ଜଡି଼ତ। ତେବେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?
ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ଗୋଟେ ବଡ ପ୍ଲାଟଫର୍ମ ; ଯେଉଁଠି ବିଶ୍ୱର କୋଣ ଅନୁକୋଣର ଲୋକ ନିଜର ମତ ପ୍ରକାଶ କରୁଛନ୍ତି। ସାହିତ୍ୟିକ ଏଠୁ ବାଦ ପଡିବେ କିପରି? କିଛିଟା ତର୍କ ସମିଚୀନ ଗ୍ରହଣୀୟ କିନ୍ତୁ ଥରେ ଥରେ ଏହାର ଅପବ୍ୟବହାର କରିବା ମନୋବୃତ୍ତି ଏବଂ ସଂଯମହୀନ ଶବ୍ଦ ବ୍ୟବହାରକାରୀ ବ୍ୟକ୍ତି ପରିବେଶକୁ ଖରାପ କରିଦିଅନ୍ତି।
ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ମୋ ଦୃଷ୍ଟିରେ ପାଠକ ପାଠିକାଙ୍କ ପୁସ୍ତକ ପ୍ରତି ଆଗ୍ରହ ରହିବା ଦରକାର। ପୁସ୍ତକପ୍ରେମୀ ବଦଳରେ ଏବର ଛାତ୍ରଛାତ୍ରୀ ମୋବାଇଲପ୍ରେମୀ ହେଉଛନ୍ତି। ସେମାନଙ୍କ ପାଖରେ ଆଉ ବହି ପଢ଼ିବାର ରୁଚି ନାହିଁ କି ସମୀକ୍ଷା କରିବା ଆଗ୍ରହ ନାହିଁ । ତଥାପି, ସାହିତ୍ୟର ଅଗ୍ରଗତି ହେଉଛି, ଆଗକୁ ମଧ୍ୟ ହେବ । କିନ୍ତୁ ପ୍ରଥମେ ଶିକ୍ଷକ, ଅବିଭାବକ ଓ ଛାତ୍ରଛାତ୍ରୀ ଏବାବଦରେ ସଚେତନ ହେବା ଜରୁରୀ ।
ଯଦିଓ ନାଟକ ସାହିତ୍ୟର ଏକ ବଡ଼ ଅଂଶ ଏବେ ଯୁବପୀଢ଼ି ନାଟକ ଲେଖିବା ପାଇଁ ଆଗ୍ରହୀ ହେଉ ନାହାଁନ୍ତି ।
ପ୍ରଥମ କଥା ସାହିତ୍ୟର ପ୍ରତ୍ୟକ ବିଭାଗଠାରୁ ନାଟକ ନିଆରା। ନାଟକ ଲେଖିବା ଗୋଟେ କଷ୍ଟକର ବ୍ୟାପାର। ଯାହାର ମଞ୍ଚ ସହିତ ଅଭିଜ୍ଞତା ଥିବ ସେ ହିଁ ଗୋଟେ ଭଲ ନାଟ୍ୟକାର ହୋଇପାରିବ। ନାଟକକୁ ଦୃଶ୍ୟକାବ୍ୟ କୁହାଯାଏ। ସ୍ୱତଃସ୍ପୁତ ଭାବରେ ହୃଦୟରୁ କବିତା ବାହାରିବ। ଗଳ୍ପ ଉପନ୍ୟାସ ଲେଖି ହେବ ।କିନ୍ତୁ ନାଟକ ରଚନା ପାଇଁ ଜଣକର ମଞ୍ଚ ଉପରେ ଜ୍ଞାନ ନିହାତି ଆବଶ୍ୟକ ତେଣୁ ସହଜରେ ନାଟକ ଲେଖାଯାଇ ପାରେନା ।
ଜଣେ ନାଟ୍ୟକାରର ସମାଜ ପ୍ରତି ଅଙ୍ଗୀକାରବଦ୍ଧତା ରହିବା ଆବଶ୍ୟକ କି ?
ନାଟକ ସମାଜର ପ୍ରତିଛବି ବହନ କରେ। ନାଟକରେ ସାମାଜିକ ବାର୍ତ୍ତା ରହିଥାଏ। ସମାଜ ସହ ଅଙ୍ଗିକାରବଦ୍ଧ ନହେଲେ ନାଟ୍ୟକାର ସମୟ ଉପଯୋଗୀ ନାଟକ ଲେଖିପାରିବ ନାହିଁ ।
ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କଣ ?
କିଏ କଣ କାହାର ଭବିଷ୍ୟତ ଜାଣିପାରେ । ଯୋଜନା ତ ବହୁତ କିଛି ଅଛି। ଯେହେତୁ ଅଧ୍ୟାପନା ଓ ସାହିତ୍ୟ ସର୍ଜନା ମୋ ପେସା ନୁହେଁ ନିଶା। ଏ ନିଶା ସାହିତ୍ୟିକକୁ ଚିରଞ୍ଜିବି କରାଏ। ବାକି ସବୁ ଇଶ୍ୱରଙ୍କ ଇଚ୍ଛା। ମୋ ଯୋଜନା କେତେଦୂର ଫଳପ୍ରଦ ହେବ ସେକଥା ମୁଁ ଜାଣେନା। ହଁ, ଏଇୟା କହିପାରିବି ମୋର ଗୋଟେ ଅନୁଷ୍ଠାନ ଅଛି ‘ଓଡିଶା ଥିଏଟର ଏକାଡେମୀ’ । ଆମେ ୧୫ ଜଣ ମହିଳା ମିଶି ଏହାକୁ ଆରମ୍ଭ କରିଥିଲୁ । ଏ ଅନୁଷ୍ଠାନର ଲକ୍ଷ ପ୍ରତିବର୍ଷ ମାର୍ଚ୍ଚ ୨୭ ବିଶ୍ୱନାଟ୍ୟ ଦିବସ ପାଳନ କରି ସେ ଅବସରରେ ଓଡ଼ିଶାର ବିଭିନ୍ନ ନାଟ୍ୟକାର, ଅଭିନେତା, ନାଟ୍ୟ ନିର୍ଦ୍ଦେଶକ ଏବଂ ନାଟକ ପାଇଁ ଉତ୍ସଗୀକୃତ ବ୍ୟକ୍ତିତ୍ୱଙ୍କୁ ଲୋକଲୋଚନକୁ ଆଣିବା ଏବଂସମ୍ମାନିତ କରିବା। ଯଦ୍ୱାରା ନାଟ୍ୟସାହିତ୍ୟ ପ୍ରତି ଏବେକାର ଯୁବ ପୀଢ଼ିଙ୍କ ଆଗ୍ରହ ବଢିବା ସହିତ ସମୟର ସୁଅରେ ହଜି ଯାଉଥିବା ପ୍ରତିଭାଙ୍କୁ ଉପଯୁକ୍ତ ସମ୍ମାନ ମିଳିବ ।
Comments are closed.