ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୧୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପବିତ୍ର ଘୋଷଯାତ୍ରା ବା ପୃଥବୀ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହେବାକୁ ଯାଉଛି। ଶ୍ରୀଜୀଉମାନେ ସମ୍ପୁର୍ଣ୍ଣ ସୁସ୍ଥ ହୋଇ ଭକ୍ତମାନଙ୍କୁ ନବଯୌବନ ଦର୍ଶନ ଦେଇ ସାରିଲେଣି। ଏବେ ନେତ୍ରୋତ୍ସବ ଓ ଆଜ୍ଞାମାଳ ବିଜେକୁ ଅପେକ୍ଷା। ତାପରେ ରଥମାନେ (ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ୱଜ )ସମ୍ପୂର୍ଣ ସଜ ବାଜ ହେବା ପାଇଁ ଆସି ଲାଗିବେ ସିଂହଦ୍ୱାର ସମ୍ମୁଖରେ। ଏହି ପ୍ରସିଦ୍ଧ ପତିତଉଦ୍ଧାର ଯାତ୍ରା ପାଇଁ ମୂଖ୍ୟ ଆକର୍ଷଣ ସାଜେ ଏହି ତିନି ରଥ। ଆସନ୍ତୁ ଜାଣିବା ଏହିତିନି ରଥର ସପ୍ତାକାର ବା ସପ୍ତନାୟକ କିଏ ?
ରଥ ନିର୍ମାଣ ଓ ତାର ସମସ୍ତ ସାଜସଜା କରୁଥିବା ବ୍ୟକ୍ତି ବା ଗୋଷ୍ଠୀଙ୍କୁ କୁହାଯାଏ ରଥକାର। ଶିଳ୍ପ ଶାସ୍ତ୍ର ପ୍ରକାରେ ଏହି ରଥକାର ମାନଙ୍କୁ ସାତୋଟି ଶ୍ରେଣୀରେ ବିଭକ୍ତ କରାଯାଇଥିଲା।
ତେଣୁ ସେମାନଙ୍କୁ ସପ୍ତରଥକାର ବା ସପ୍ତନାୟକ କୁହାଯାଏ, ଯଥା:
ଗୁଣାକାର -ଏମାନେ ରଥର ବିଭିନ୍ନ ଅଂଶର ତାଳମାନ ନିର୍ଧାରଣ କରନ୍ତି।
ମୂଖ୍ୟ ରଥକାର – ଏମାନେ ରଥର ମୂଖ୍ୟ ଅଂଶ ଯଥା ଚକ, ଅଖ, ନାହାକ ଆଦି ନିର୍ମାଣ କରନ୍ତି।
ଲୌହକାର –ଏମାନେ ରଥରେ ବ୍ୟବହୃତ ସମସ୍ତ ଲୌହ ସରଞ୍ଜାମ ଯଥା ଚକାବଳା, କୁରାଣ୍ଡିଆ, କଣ୍ଟା ଆଦି ରଥଖଳା ନିକଟରେ ଶାଳ ନିର୍ମାଣ କରି କରିଥାନ୍ତି। ଏହି ଶାଳରେ କାର୍ଯ୍ୟରତ ବଢ଼େଇ ସେବକମାନଙ୍କ ହତିଆର ସାଜ ସରଞ୍ଜାମ ମରାମତି କରନ୍ତି।
ଛନ୍ଦାକାର -ଏମାନେ ରଥକାଠ ଗୁଡିକୁ କାନ୍ଧରେ ବୋହି ଛନ୍ଦ ଓ ଛେକରେ ସଜାଇ ରଖନ୍ତି।
ରୂପକାର – ଏମାନେ ରଥରେ ବିଭିନ୍ନ ରୂପ ଖୋଦନ କରନ୍ତି।
ଚିତ୍ରକାର –ଏମାନେ ରଥର ବିଭିନ୍ନ ଅଂଶକୁ ସୁନ୍ଦର ରଙ୍ଗ ଦେଇ ଚିତ୍ରିତ କରନ୍ତି।
ସୂଚୀକାର -ଏମାନଙ୍କୁ ମଧ୍ୟ ଦରଜୀ ସେବକ କୁହନ୍ତି। ରଥର ସମସ୍ତ କନା, ମଣ୍ଡଣି, ଚାନ୍ଦୁଆ, ନେତ, ଆଦି ଏମାନଙ୍କ ଦ୍ୱାରା ନିର୍ମିତ୍ତ ହୁଏ।
ବର୍ତ୍ତମାନ ଚିତ୍ରକାର ସେବକଙ୍କ ସହ ଜଉଶାଳିଆ ଓ ରଙ୍ଗତା ଦୁଇ ପ୍ରକାରର ସେବାୟତ ଯୋଡି ହୋଇଛନ୍ତି। ଯାହାଙ୍କ ମୂଖ୍ୟ କାମ ହେଲା, ଜଉଶାଳା ଦ୍ୱାରା ଅରମୁଣ୍ଡି, ଝରା, କନକମୁଣ୍ଡାର ରଙ୍ଗ ହୁଏ। ତାହା ସହିତ ରାହୁମୁଣ୍ଡ, ହଂସ ଓ ନବଗୁଞ୍ଜରମାନ ସାଜସଜା କରାଯାଇଥାଏ। ଏହି ସମସ୍ତ ସେବକମାନଙ୍କ ଅକ୍ଲାନ୍ତ ଓ ନିଷ୍ଠାପର ପରିଶ୍ରମ ରଥମାନଙ୍କୁ କରେ ସୁନ୍ଦର ଓ ମଜଭୁତ। ତେବେ ଏମାନଙ୍କୁ ସପ୍ତନାୟକ କହିବା କଣ ଉଚିତ ନୁହେଁ। ତେବେ ଆସନ୍ତୁ ଏହି ସପ୍ତନାୟକଙ୍କ ମହାନାୟକଙ୍କୁ କରିବା ଆରାଧନା।
ସମସ୍ତ କର୍ମ ଭୋକ୍ତା ତ୍ବଂ
ସର୍ବ କର୍ମାତ୍ୱକଃ ପ୍ରଭୋ ।
ସର୍ବ କର୍ମୋପକରଣଂ
ସର୍ବକର୍ମ ଫଳ ପ୍ରଦହଃ ।
କର୍ମ ପ୍ରେରୟିତା ତ୍ବଂ ହି
ଧର୍ମ କlମାର୍ଥ ସିଦ୍ଧିନଃ ।
ତ୍ୱାମୁତେ ମୁକ୍ତିନଃ କୋଅନ୍ୟୋ
ହୃଷିକେଶ ନମୋସ୍ତୁତେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.