ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆସ୍ଥାନ ରତ୍ନ ସିଂହାସନ ଗର୍ଭରେ ସ୍ୱୟଂ ବ୍ରହ୍ମ ସ୍ୱରୂପ ଜୀବନ୍ତ ଶାଳଗ୍ରାମ ଧାରଣ କରିଛନ୍ତି କି ? ଏହି ପ୍ରଶ୍ନର ସମାଧାନ ଆମକୁ ରତ୍ନସିଂହାସନ ନିର୍ମାଣର ଇତିହାସ ହିଁ ଦେଇପାରିବ। ଇତିହାସ କହେ ଶ୍ରୀମନ୍ଦିର ସହ ରତ୍ନ ସିଂହାସନ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ୍ତ ହୋଇଥିଲା। କିନ୍ତୁ ବାରମ୍ବାର ବିଧର୍ମୀ ଆକ୍ରମଣ ଫଳରେ ରତ୍ନ ସିଂହାସନ ଭାଙ୍ଗି ଯାଇଥିଲା। ଭୋଇ ବଂଶର ରାଜା ବୀରକେଶରୀ ଦେବଙ୍କ ଶାସନ କାଳରେ ୧୭୫୧ ଖ୍ରୀଷ୍ଟାବ୍ଦରେ ଓଡ଼ିଶା ମରହଟ୍ଟା ଶାସନାଧୀନ ହେବାପରେ ଗଜପତି ବୀରକେଶରୀ ଦେବ ତଥା ତାଙ୍କ ମା (ରାଜମାତା )ଙ୍କ ଦ୍ୱାରା ରତ୍ନ ସିଂହାସନ
ଭୋଗ ମଣ୍ଡପ ଓ ଦୋଳବେଦୀ ପ୍ରଭୃତିର ମରାମତି ଓ ଜୀର୍ଣ୍ଣଉଦ୍ଧାର କାର୍ଯ୍ୟ ହୋଇଥିଲା।
ଏହି ସମୟରେ କୌଣସି ଜୀବନ୍ତ ଶାଳଗ୍ରାମ ଉଦ୍ଧାର ହୋଇ ନଥିବାରୁ ଲକ୍ଷେ ଜୀବନ୍ତ ଶାଳଗ୍ରାମ ଏହି ବେଦୀ ଗର୍ଭରେ ଥିବା କେବଳ ଏକ ଜନଶ୍ରୁତି ଛଡା ସତ୍ୟ ନୁହେଁ। ହୁଏତ ଏହି ଜନଶ୍ରୁତି ଶାସ୍ତ୍ର ବ୍ୟାଖ୍ୟାର ଏକ ରୂପାନ୍ତରିତ ରୂପ ଅଟେ ଯଥା “ମୁକ୍ତି ଚିନ୍ତାମଣି “କହେ ରତ୍ନସିଂହାସନଂ ଦିବ୍ୟଂ ବିଷ୍ଣୁଶୀଳୋପମଂ ପରମ, ତଦାଂଘ୍ରରୀ ସ୍ପର୍ଶନେ ପୁଣ୍ୟl ବିନଶ୍ୟନ୍ତି ପଦେ ପଦେ “ଅର୍ଥାତ ସ୍ୱୟଂ ରତ୍ନସିଂହାସନ ହିଁ ବିଷ୍ଣୁଶିଳା (ଶାଳଗ୍ରାମ )ଅଟେ। ତେଣୁ ଏଥିରେ ପାଦ ସ୍ପର୍ଶ ନକରି ପ୍ରଦକ୍ଷିଣ କଲେ ପୁଣ୍ୟ ମିଳେ। ପୁନଶ୍ଚ ଶାସ୍ତ୍ର କହେ “ବିଷ୍ଣୁ ଶିଳା ସମାବେଶେ ଦ୍ରବ୍ୟା କୈବଲ୍ୟତାଂ ଗତା “ଅର୍ଥାତ ଶାଳଗ୍ରାମ ଶିଳାର ସ୍ପର୍ଶରେ ଅମୂଣିହାଁ ପ୍ରାସାଦ ପାଲଟେ। ଏଥିରୁ ଅନୁମାନ କରାଯାଏ ରତ୍ନସିଂହାସନରେ ଥିବା ପିଣ୍ଡିକା ତଳେ ଶାଳଗ୍ରାମ ଥାଇ ପାରନ୍ତି।
ଏଣୁ ରତ୍ନସିଂହାସନରେ। ପୂଜକମାନେ ବସି ପୂଜା କରିବା ସମୟରେ ପିଣ୍ଡିକାରେ ପାଦ ସ୍ପର୍ଶ ନକରିବାକୁ ଯତ୍ନବାନ ହୁଅନ୍ତି, ଆହୁରି ମଧ୍ୟ ରତ୍ନମଣ୍ଡପକୁ ମାର୍ଜନୀରେ ମାର୍ଜନା କରାଯାଏନି।
ଆଗକୁ ଏହି ରତ୍ନ ବେଦୀର ପ୍ରକୃତ ସ୍ୱରୂପ ଏବଂ କିଏ କିଏ ଏହା ଉପରେ ସେବା ପୂଜା କରିବାର ଅଧିକାର ପାଇଛନ୍ତି ତାହା ଜାଣିବା, ଏବେ କିନ୍ତୁ ଆରାଧନାର ସମୟ, ସେହି ଭାଗବତ କହେ ” ଶୁଣ ଉଦ୍ଧବ ସାଧୁ ଧୀର l
ଯେ ଧର୍ମ ପରମ ମଙ୍ଗଳ
ଯେ ଧର୍ମ ଆଚରିଣ ନର
ହେଳେ ଖଣ୍ଡଇ ମୃତ୍ୟୁକାଳ
ମୋହର ଅର୍ଥେ କର୍ମ କର
ସର୍ବ ଆରମ୍ଭ ଛାଡି ସ୍ମର
ନିର୍ମଳ କରି ବୁଦ୍ଧି ମନ
ମୋର ଚରଣେ କର ଧ୍ୟାନ
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.