Latest Odisha News

BREAKING NEWS

ଶିକ୍ଷକଙ୍କୁ ଦଣ୍ଡ; ବିନା ନୋଟିସରେ ଛୁଟିରେ ଥିବା ୧୦ କନିଷ୍ଠ ଶିକ୍ଷକ ବହିଷ୍କୃତ

ମାଲକାନଗିରି:ଶିକ୍ଷକଙ୍କୁ ମିଳିଲା ଦଣ୍ଡ । ଚାକିରି ପାଇଲେ, କିନ୍ତୁ କାମକୁ ଆସିଲେନି । ବିନା ନୋଟିସରେ ଛୁଟିରେ ରହିଲେ । ମାସେ କି ଦୁଇମାସ ନୁହେଁ, କିଏ ୪ ବର୍ଷ ତ କିଏ ୫ ବର୍ଷ । ଏପରି ଶିକ୍ଷକଙ୍କୁ ବିଭାଗ ପକ୍ଷରୁ ମିଳିଛି ଦଣ୍ଡ ।ମାଲକାନଗିରି ଜିଲ୍ଲାର ୧୦ ଜଣ କନିଷ୍ଠ ଶିକ୍ଷକଙ୍କୁ ସେବାରୁ ବହିଷ୍କାର କରାଯାଇଛି । କନିଷ୍ଠ ଶିକ୍ଷକ  ଭାବେ କାର୍ଯ୍ୟରତ ଏହି ୧୦ ଜଣ ଶିକ୍ଷକ ନିଜ କାର୍ଯ୍ୟରେ ଦୀର୍ଘ ଦିନ ଧରି ଅନୁପସ୍ଥିତ ରହିବା କାରଣରୁ ସେମାନଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା  । ତେବେ ଶିକ୍ଷକଙ୍କ ତରଫରୁ କୌଣସି ଉତ୍ତର ନମିଳିବାରୁ ତାଙ୍କୁ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି।

ଜିଲ୍ଲା ଶିକ୍ଷା ବିଭାଗ ଦ୍ବାରା ଘୋଷଣା କରାଯାଇଛି ଯେ, ମାଲକାନଗିରି ଜିଲ୍ଲାର ସଦର ବ୍ଲକର ଏମଭି-୧ ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ନିଳୀମା ଜେନା, ଭୀମାରାଙ୍ଗିନି ପିୟୁପିଏସର ରମେଶ ଚନ୍ଦ୍ର ନାୟକ, ବିଜାପଦର ୟୁପିଏସର ଅରୁଣା ରାଣୀ ବେଉରିଆ, ରାଉଲିଗୁଡା ପିୟୁପିଏସର ସନ୍ତୋଷ କୁମାର ସ୍ବାଇଁ, ବିଜାପଦର ୟୁପିଏସର ଜସମିନ ଦାସ, ଏମଭି-୮୪ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ଦେବଶ୍ରୀ ବେହେରା କାଲିମେଳା ବ୍ଲକର ଏମଭି-୯୦ ୟୁପିଏସର ଶିକ୍ଷୟତ୍ରୀ ସାବିତ୍ରୀ ପାତ୍ର, ନାଲାଗୁଣ୍ଠି ପିୟୁପିଏସର ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ସୁତାର, ଜନ୍ତୁରାଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରଂଜନ କୁମାର ବେହେରା ଏବଂ ମାଥିଲି ବ୍ଲକର ମେଣ୍ଡକୁଲି ୟୁପିଏସର ଶିକ୍ଷୟତ୍ରୀ ସସ୍ମିତା ସାହୁ ଦୀର୍ଘ ଦିନ ଧରି ସ୍କୁଲକୁ ଆସୁ ନ ଥିଲେ । ଏମାନେ କୌଣସି କାରଣ ନଦର୍ଶାଇ ଅନୁପସ୍ଥିତ ରହିଥିଲେ।

ଏତେ ଦିନ ଧରି କାହିଁକି ଅନୁପସ୍ଥିତ ରହିଛ ବୋଲି କାରଣ ଦର୍ଶାଅ ନୋଟିସ ବିଭାଗ ପକ୍ଷରୁ ଜାରି କରାଯାଇଥିଲା। ଗଣମାଧ୍ୟମରେ ଏନେଇ ମଧ୍ୟ ବିଜ୍ଞାପନ ଦିଆଯାଇଥିଲା। କିନ୍ତୁ ଏହି ୧୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି ନୋଟିସର କୌଣସି ଉତ୍ତର ଦେଇ ନ ଥିଲେ । ତେଣୁ ଏମାନଙ୍କୁ ମାଲକାନଗିରି ଜିଲ୍ଲାପାଳ ଵିଶାଲ ସିଂ କାର୍ଯ୍ୟରୁ ବହିଷ୍କୃତ କରିଥିବା ନେଇ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା କହିଛନ୍ତି।

Leave A Reply

Your email address will not be published.