Latest Odisha News

BREAKING NEWS

SHVR ୨୦୨୫-୨୬ରେ ଓଡ଼ିଶାର ୧୦ ବିଦ୍ୟାଳୟକୁ ଜାତୀୟ ମାନ୍ୟତା

ଭୁବନେଶ୍ବର: ଭାରତ ସରକାରଙ୍କ ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ (SHVR) ୨୦୨୫-୨୬ ପୁରସ୍କାର ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ଅଧିନରେ ଥିବା ୧୦ଟି ବିଦ୍ୟାଳୟକୁ ଚୟନ କରାଯାଇଛି। ଓଡ଼ିଶାର ପ୍ରାୟ ୨୦ଟି ବିଦ୍ୟାଳୟକୁ ଜାତୀୟସ୍ତରୀୟ ମୂଲ୍ୟାଙ୍କନ ପାଇଁ ନୋମିନେଟ୍ କରାଯାଇଥିଲା। ଯେଉଁଥିରୁ ୧୦ଟି ବିଦ୍ୟାଳୟକୁ SHVR ୨୦୨୫-୨୬ ଅନ୍ତର୍ଗତ ଜାତୀୟ ପୁରସ୍କାର ଏବଂ ସ୍ୱୀକୃତି ପାଇଁ ମନୋନୀତ କରାଯାଇଛି।

ସ୍ୱଚ୍ଛ ଏବଂ ହରିତ୍ ବିଦ୍ୟାଳୟ ମୂଲ୍ୟାଙ୍କନ ବା SHVR ମୁଖ୍ୟତଃ ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁଜିମା ଏବଂ ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡ ଉପରେ ବିଦ୍ୟାଳୟଗୁଡ଼ିକୁ ମୂଲ୍ୟାଙ୍କନ କରେ ।

ଏହି ଜାତୀୟସ୍ତରୀୟ ମାନ୍ୟତା ଓଡ଼ିଶାର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ସ୍କୁଲ ପରିଚାଳନା କମିଟି ଏବଂ ସ୍ଥାନୀୟ ସମ୍ପ୍ରଦାୟର ମିଳିତ ପ୍ରୟାସକୁ ପ୍ରତିଫଳିତ କରୁଛି । ଏହି ସ୍ବୀକୃତି ପାଇବା ପରେ ବିଦ୍ୟାଳୟସ୍ତରରେ ପରିବେଶ ସୁରକ୍ଷାର ବାର୍ତ୍ତା ପହଞ୍ଚାଇବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବରେ ଉଭା ହେବ।

ସୂଚନାଯୋଗ୍ୟ, ଜାତୀୟସ୍ତରରେ ୨୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୧୯୧ ସ୍କୁଲକୁ SHVR ୨୦୨୫-୨୬ ଅଧୀନରେ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କା ନଗଦ ପୁରସ୍କାର, ସ୍ୱୀକୃତି ପ୍ରମାଣପତ୍ର ଏବଂ ତିନି ଦିନିଆ ଏକ୍ସପୋଜର ପରିଦର୍ଶନରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ।

Leave A Reply

Your email address will not be published.