ଭୋପାଲ: ମଧ୍ୟପ୍ରଦେଶର ଗୁନା ବୋରୱେଲ ଟ୍ରାଜେଡି । ୧୬ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ୧୦ ବର୍ଷର ନାବାଳକ ସୁମିତ । ଗୁନା ଜିଲ୍ଲା ପ୍ରଶାସନ ପୋଲିସ ସହିତ SDRF ଏବଂ NDRF ଟିମ ବୋରୱେଲ ମଧ୍ୟରୁ ନାବାଳକକୁ ଉଦ୍ଧାର କରିଛି । ଉଦ୍ଧାର ପରେ ଚିକିତ୍ସା ପାଇଁ ସୁମିତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସୁମିତର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଗତକାଲି ୧୦ ବର୍ଷିୟ ସୁମିତ ତାଙ୍କ ଚାଷ ଜମିରେ ଗୁଡି ଉଡାଉଥିବା ସେଠାରେ ଥିବା ଏକ ବୋରୱେଲରେ ଖସି ପଡି ଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ସୁମିତକୁ ଖୋଜାଖୋଜି କରିଥିଲେ ପରିବାର ସଦସ୍ୟ । ମାତ୍ର ସୁମିତଙ୍କର କୌଣସି ସୂଚନା ମିଳିନଥିଲା । ପରେ ଜମି ପାଖରେ ସୁମିତର ଗୁଡି ଏବଂ ଚପଲ ଦେଖି ସୁମିତ ବୋରୱେଲରେ ଖସିପଡିଥିବା ନେଇ ସନ୍ଦେହ କରିଥିଲେ ପରିବାର ଲୋକେ । ଖବରପାଇ ତୁରନ୍ତ ଉଦ୍ଧାରକାରି ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା । ଦୀର୍ଘ ୧୬ଘଣ୍ଟାର ଅପରେସନ ପରେ ଆଜି ସକାଳ ୯.୩୦ରେ ନାବାଳକକୁ ବୋରୱେଲ ମଧ୍ୟରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ସୁମିତକୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସିତ ଅବସ୍ଥାରେ ସୁମିତର ମୃତ୍ୟୁ ହୋଇଛି ।
କହିରଖୁଛୁ ଯେ, ମଧ୍ୟପ୍ରଦେଶରେ ବାରମ୍ବାର ବୋରୱେଲ ଦୁର୍ଘଟଣା ହେତୁ ମୋହନ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କୌଣସି ସ୍ଥାନରେ ବୋରୱେଲ ଖୋଲା ରହିଲେ ଖୋଳାଇଥିବା ଲୋକ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିପାଇଁ ଚାଷ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି କହିଛନ୍ତି ସିଏମ ମୋହନ ଯାଦବ ।
Comments are closed.