Latest Odisha News

ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ଥାପନ ହେବ ସୌରଚାଳିତ ୧୦୦୦ଟି ଶୀତଳ ଭଣ୍ଡାର

ଭୁବନେଶ୍ଵର: ରାଜ୍ୟରେ ୧୦୦୦ଟି ସୌରଚାଳିତ ଶୀତଳ ଭଣ୍ଡାର ସ୍ଥାପନ ହେବ। ଜାତୀୟ ଉଦ୍ୟାନ କୃଷି ମିଶନ, ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ସମବାୟ ବିଭାଗ ଏବଂ ଓରେଡ଼ାର ସହାୟତାରେ ଏହି ଶୀତଳ ଭଣ୍ଡାର ସ୍ଥାପନ କରାଯିବ । ସ୍ଥାନୀୟ ଚାହିଦାକୁ ଦୃଷ୍ଟିରେ ରଖି ୧୦ ଟନରୁ ଆରମ୍ଭ କରି ୩୦ ମେଟ୍ରିକ୍ ଟନ କ୍ଷମତାବିଶିଷ୍ଟ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ବ୍ୟୟ ଅଟକଳ ଆସନ୍ତା ୭ ଦିନ ମଧ୍ୟରେ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ।

ସୌରଚାଳିତ ଶୀତଳ ଗୃହ ସ୍ଥାପନର ସମୀକ୍ଷା ବୈଠକରେ ଯୋଗଦେଇ ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ କହିଛନ୍ତି, ଶୀତଳ ଭଣ୍ଡାର ସ୍ଥାପନ ଦ୍ଵାରା ଫସଲ ଅମଳ ପରବର୍ତ୍ତୀ କ୍ଷତିକୁ ୨୫ରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରାଯାଇପାରିବ । ଏହା ଦ୍ଵାରା ଚାଷୀଙ୍କୁ ଅଭାବୀ ବିକ୍ରି କରିବାକୁ ପଡ଼ିବ ନାହିଁ । ଫଳ ଓ ପନିପରିବାର ଉପଯୁକ୍ତ ସଂରକ୍ଷଣ ଦ୍ଵାରା ବିକ୍ରିରୁ ଅଧ‌ିକ ଆୟ ମିଳିପାରିବ । ଏହା ଦ୍ଵାରା ହିତାଧିକାରୀଙ୍କୁ ବିଦ୍ୟୁତ ଶୁଳ୍କରୁ ରକ୍ଷା ମିଳିବା ସହ ସୌରଚାଳିତ ବିଦ୍ୟୁତର ଅଧିକ ଉପଯୋଗ ହୋଇପାରିବ । ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଶତକଡ଼ା ୭୦ ପ୍ରତିଶତ ସରକାରୀ ରିହାତି ଯୋଗାଇ ଦିଆଯିବ ।
ବୈଠକରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଲେ, ଚାଷୀ ବିନା ବ୍ୟାଙ୍କ ଋଣ ସହାୟତାରେ ନିଜସ୍ଵ ଖର୍ଚ୍ଚରେ ମଧ୍ୟ ଏହି ଶୀତଳ ଭଣ୍ଡାର ସ୍ଥାପନ କରିପାରିବେ ଓ ସରକାରୀ ରିହାତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ।
ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କାଙ୍କ ସମେତ ନିବନ୍ଧକ, ସମବାୟ ସମିତି ସମୂହ, ଓରେଡ଼ାର କର୍ତ୍ତୃପକ୍ଷ, ଓଡ଼ିଆ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡିନ୍, କୃଷି ଇଂଜିନିୟର ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

 

Comments are closed.