Latest Odisha News

BREAKING NEWS

ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆତଙ୍କରାଜ, ବୁଲିଲା କଟୁରୀ

ବାଲେଶ୍ୱର: ସରକାରୀ ୧୦୮ ଆମ୍ବୁଲାନ୍ସ ଉପରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଆକ୍ରୋଶ । ଆଜି ବାଲେଶ୍ୱର ମୁଖ୍ୟ ଚିକତ୍ସାଳୟ ପରିସରରେ ଜଣେ ଘରୋଇ ଆମ୍ବୁଲାନ୍ସ ଚାଳକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି ।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ ଆଜି ସଂଧ୍ୟାରେ ରୋଗୀଙ୍କୁ ମୁଖ୍ୟ ଚିକିତ୍ସାଳୟରେରେ ଛାଡି ୧୦୮ ଆମ୍ବୁଲାନ୍ସର ଡ୍ରାଇଭର ଶଶିକାନ୍ତ ଓ ତାଙ୍କ ସହାୟକ ଶିଶୁ ଭବନଠାରେ ଛିଡା ହୋଇଥିଲେ । ସେହି ସମୟରେ ଜଣେ ଏକ ଘରୋଇ ଆମ୍ବୁଲାନ୍ସ (OD-01-E-6920) ସେଠାରେ ପହଂଚିଥିଲା । ଗାଡିରୁ ଡ୍ରାଇଭର ଜଣକ ଓହ୍ଲାଇ ଶଶିକାନ୍ତ ଓ ତାଙ୍କ ସହାୟକଙ୍କୁୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଏକ ତେଲେଙ୍ଗା କଟୁରୀରେ ଆକ୍ରମଣ କରିଥିଲା । ଭୟରେ ସରକାରୀ ଆମ୍ବୁଲାନ୍ସର ଦୁଇ କର୍ମଚାରୀ ମେଡିକାଲ ଫାଣ୍ଡିରେ ଆଶ୍ରୟ ନେଇଥିଲେ ।

ଅନ୍ୟପଟେ ଘରୋଇ ଆମ୍ବୁଲାନ୍ସର ଡ୍ରାଇଭର କିନ୍ତୁ କ୍ରୋଧ ଜର୍ଜରିତ ଅବସ୍ଥାରେ ୧୦୮ ଆମ୍ବୁଲାନ୍ସର ଆଗ ଟାୟାରକୁ କାଟି ପକାଇବା ସହ ଗାଡିର ସାମ୍ନା କାଚକୁ ଭାଙ୍ଗିଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଂଚିଥିଲେ ବି ଆକ୍ରମଣକାରୀ ଡ୍ରାଇଭର ଚମ୍ପଟ୍ ମାରିଥିଲା । ଘଟଣାସ୍ଥଳରୁ ପୋଲିସ ତେଲେଙ୍ଗା କଟୁରୀ ଜବତ କରିଥିଲାବେଳେ ଶଶିକାନ୍ତ ମେଡିକାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ସିସିଟିଭି ଫୁଟେଜ ସହାୟତାରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘରୋଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଦୌରାତ୍ମ୍ୟକୁ ନେଇ ରୋଗୀମାନେ ବହୁବାର ଅଭିଯୋଗ କରିଛନ୍ତି । ତେବେ ଏ ନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇନି । ତେବେ ଆଜିର ଘଟଣା ପରେ ହସ୍ପିଟାଲ ଭିତରକୁ ଘରୋଇ ଆମ୍ବୁଲାନ୍ସ ପ୍ରବେଶକୁ ବାରଣ କରିବା ଲାଗି ସାଧାରଣରେ ଦାବି ଜୋର ଧରିଛି ।

Leave A Reply

Your email address will not be published.