Latest Odisha News

BREAKING NEWS

ଅଢ଼େଇ ଘଣ୍ଟାରେ ୧୧ କେଜି ଓଜନ ହ୍ରାସ କରି ରେକର୍ଡ କଲେ ୬୯ ବର୍ଷୀୟ ବୃଦ୍ଧ

ରୁଷିଆ: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ । କିନ୍ତୁ ରୁଷିଆର ଜଣେ ୬୯ବର୍ଷୀୟ ବୃଦ୍ଧ ଯିଏ ନିଜର ଓଜନକୁ ମାତ୍ର ଅଢେଇ ଘଣ୍ଟାରେ ୧୧ କିଲୋ ହ୍ରାସ କରି ରେକର୍ଡ଼ ସୃଷ୍ଟି କରିଛନ୍ତି ।

୬୯ ବର୍ଷୀୟ ବାହାମା ଐଗୁବୋଭ ନାମକ ବୃଦ୍ଧ ରୁଷିଆର ଡାଗେସ୍ତାନ ପ୍ରଦେଶରେ ରୁହନ୍ତି । ଏବେ ସେ ନିଆରା ରେକର୍ଡ଼ ସୃଷ୍ଟି କରି ଖୁବ୍ ଚର୍ଚ୍ଚାରେ । ସେ ମାତ୍ର ଅଢ଼େଇ ଘଣ୍ଟାରେ ନିଜର ଓଜନ ୧୧ କିଲୋଗ୍ରାମ୍ ହ୍ରାସ କରି ସବୁଠୁ ଦ୍ରୁତତମ ଓଜନହ୍ରାସକାରୀ ଭାବେ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି । ସେ ୨୦୧୯ ମସିହାରେ ୫ ଘଣ୍ଟାରେ ୯.୩ କେ.ଜି. ଓଜନ ହରାଇ ରୁଷିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଥିଲେ । ଏବେ ସେ ମଖାଚକଲାଠାରେ ଆୟୋଜିତ ଏକ ୨୧ କି.ମି. ଦୌଡ଼ ପ୍ରତିଯୋଗିତାରେ ନିଜର ପୁରୁଣା ରେକର୍ଡକୁ ନିଜେ ଭଙ୍ଗ କରିଛନ୍ତି । ତେବେ ତାଙ୍କର ଏହି ବିରଳ କୃତିତ୍ୱ ଗିନିସ୍ ରେକର୍ଡରେ ସ୍ଥାନ ପାଇନାହିଁ । କାରଣ ଏଭଳି ଦ୍ରୁତ ଓଜନହ୍ରାସ ପରି ବିପଜ୍ଜନକ ପରୀକ୍ଷାନିରୀକ୍ଷାକୁ ଗିନିସ୍ ସଂସ୍ଥା ପ୍ରୋତ୍ସାହନ କରି ନ ଥାଏ । ତେବେ ନିଜକୁ ବିଶ୍ୱର ଦ୍ରୁତତମ ଓଜନହ୍ରାସକାରୀ ବୋଲି ଐଗୁବୋଭ ଦାବି କରନ୍ତି ।

ସାଢ଼େ ତିନି ବର୍ଷ ଭିତରେ ଉଭୟ ଆମେରିକୀୟ ଓ ରୁଷୀୟମାନେ ଚେଷ୍ଟା କରି ମଧ୍ୟ ତାଙ୍କ ରେକର୍ଡକୁ ଭାଙ୍ଗି ପାରିନାହାନ୍ତି । ଏପରିକି କିଛି ସମ୍ଭ୍ରାନ୍ତ ସୈନିକ ସମେତ ୨୫ ଜଣ ପ୍ରତିଯୋଗୀ ତାଙ୍କୁ ଟପିଯିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କ ଭିତରୁ ଅଧିକାଂଶ ଶେଷରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଐଗୁବୋଭ କହିଛନ୍ତି । ଅତୀତରେ ଜୁଡ଼ୋ, ସାମ୍ବୋ, ଗ୍ରିକୋ ରୋମାନୋ ଓ ଫ୍ରି-ଷ୍ଟାଇଲ୍ କୁସ୍ତିରେ ରୁଷିଆ, ୟୁରୋପ ଓ ଏପରିକି ବିଶ୍ୱ ଚାମ୍ପିଆନ୍ ହୋଇଥିବା ଐଗୁବୋଭ୍‌ଙ୍କର ଏହିସବୁ ପ୍ରତିଯୋଗିତା ପାଇଁ ଓଜନ ହ୍ରାସ କରିବାର ଅଭିଜ୍ଞତା ରହିଛି । ଏପରିକି ଯୁବାବସ୍ଥାରେ ଏକ ଲଢ଼େଇ ପାଇଁ ତାଙ୍କୁ ଏକଦା ୧୭ କେ.ଜି. ଓଜନ କମ୍ କରିବାକୁ ପଡ଼ିଥିଲା ।

ସୂଚନାଯୋଗ୍ୟ, ଜଣେ ସାଧାରଣ ବ୍ୟକ୍ତି ପାଣି ନ ପିଇ ଦୌଡ଼ିଲେ ମାତ୍ର ଦୁଇ କି.ମି. ପରେ ସେ ବେହୋସ ହୋଇଯିବାର ଆଶଙ୍କା ରହିଛି । କେବଳ ବୃତ୍ତିଗତ କ୍ରୀଡ଼ାବିତ୍‌ମାନେ ଆଗରୁ ଅଭ୍ୟାସ କରି ଦୌଡ଼ ବେଳେ ନିଜ ଶରୀରରୁ ଏପରି ଝାଳ ନିର୍ଗତ କରି ଓଜନ ହ୍ରାସ କରିପାରିଥା’ନ୍ତି ।

Leave A Reply

Your email address will not be published.