Latest Odisha News

BREAKING NEWS

ଅଶାନ୍ତ ମଣିପୁର: ବନ୍ଦ ଡାକରା ଦେଲା କୁକି ସଙ୍ଗଠନ

ଇମ୍ଫାଲ: ଦିନ କୁ ଦିନ ଅଶାନ୍ତ ହୋଇ ଉଠୁଛି ମଣିପୁର l ଥମିବାର ନାଁ ନେଉନାହିଁ ମଣିପୁର କାଣ୍ଡ l ଗତକାଲି ସିଆର୍‌ଏଫ୍ ଗୁଳିରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ। ଏନ୍‌କାଉଣ୍ଟରେ ଦୁଇ ଜଣ ଯବାନ ଗୁରୁତର ଆହତ ମଧ୍ୟ ହୋଇଛନ୍ତି। ସେପଟେ ଉଗ୍ରବାଦୀଙ୍କ ମୃତ୍ୟୁ ପରେ ଆଜି ୧୨ ଘଣ୍ଟିଆ ମଣିପୁର ବନ୍ଦ ଡାକରା ଦେଇଛି କୁକି-ଜୋ-କାଉନସିଲିଂ। ସକାଳ ଭୋର ୫ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟର ପାହାଡିଆ ଅଞ୍ଚଳରେ ବନ୍ଦ ଡାକରା ଦିଆଯାଇଛି। ସେପଟେ ଜିବିରାମ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି।

ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଜିରିବାମର ବୋରୋବେକରାରେ ସିଆରପିଏଫ୍ କ୍ୟାମ୍ପ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ। ଏହାର ପ୍ରତି ଉତ୍ତରରେ ସୁରକ୍ଷା ବାହିନୀ ମଧ୍ୟ ଗୁଳି ଚାଳନା ଆରମ୍ଭ କରିଥିଲେ । ଉଭୟ ପଟୁ ଭୀଷଣ ଗୁଳିଚାଳନା ଚାଲିଥିବା ବେଳେ ଘଟଣାରେ ୧୧ ଜଣ ଉଗ୍ରବାଦୀ ନିହତ ହୋଇଛନ୍ତି। ସେପଟେ ୨ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି ।

ତେବେ ମିଳିଥିବା ଖବର ଅନୁସାରେ ବୋରୋବେକରାରେ ଥିବା ସିଆରପିଏଫ୍ କ୍ୟାମ୍ପ ନିକଟରେ ବିସ୍ଥାପିତଙ୍କ ରହିବା ପାଇଁ ଏକ କ୍ୟାମ୍ପ ମଧ୍ୟ ଅଛି । ଉଗ୍ରବାଦୀମାନେ ଉକ୍ତ କ୍ୟାମ୍ପକୁ ମଧ୍ୟ ଟାର୍ଗେଟ କରିଥିବା ନେଇ ସୂଚନା ମିଳିଛି । ପୂର୍ବ ଯୋଜନା ଅନୁଯାୟୀ, ଉଗ୍ରବାଦୀମାନେ ପ୍ରଥମେ ସିଆରପିଏଫ୍ କ୍ୟାମ୍ପକୁ ଟାର୍ଗେଟ କରିଥିଲେ ଏବଂ ପରେ ବିସ୍ଥାପିତଙ୍କ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସୁରକ୍ଷା ବାହିନୀ ସକ୍ରିୟ ହୋଇ ଏନକାଉଣ୍ଟର ଆରମ୍ଭ ହୋଇଥିଲା। କୁହାଯାଉଛି ଯେ ବୋରୋବେକରା ପୋଲିସ ଷ୍ଟେସନ ଅଧୀନରେ ଆସୁଥିବା ଜକୁରାଧୋରରେ ଉଗ୍ରବାଦୀମାନେ ତିନିରୁ ଚାରୋଟି ଘରେ ନିଆଁ ମଧ୍ୟ ଲଗାଇ ଦେଇଛନ୍ତି।

ସେପଟେ ବିସ୍ଥାପିତଙ୍କ ରିଲିଫ୍ କ୍ୟାମ୍ପରୁ ୫ ଜଣ ନିଖୋଜ ଅଛନ୍ତି l ଆତଙ୍କବାଦୀମାନେ ଏହି ନାଗରିକଙ୍କୁ ଅପହରଣ କରିଛନ୍ତି ନା ଆକ୍ରମଣ ପରେ ସେମାନେ ଭୟରେ ଲୁଚି ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ସେମାନଙ୍କୁ ଖୋଜା ଚାଲିଛି।

Leave A Reply

Your email address will not be published.