Latest Odisha News

BREAKING NEWS

୧୧ ହଜାର ୭୧୦ଟି ସ୍କୁଲରେ ଏବେ ବି ବିଜୁଳି ସଂଯୋଗ ହୋଇନି: ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ୧୧ ହଜାର ୭୧୦ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏଯାଏ ବିଜୁଳି କିମ୍ବା ସୋଲାର ପ୍ୟାନେଲ ସଂଯୋଗ ହୋଇ ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହା କୁହାଯାଇଛି। ବିଧାନସଭାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି।

ଯେତେବେଳେ ସ୍କୁଲ ଗୁଡିକର ଭିତ୍ତିଭୂମି ବିକାଶ ଏବଂ ଉଚ୍ଚସ୍ତରୀୟ ଗୁଣବତ୍ତା ସମ୍ପନ୍ନ ସ୍କୁଲ କଥା ରାଜ୍ୟ ସରକାର କହୁଛନ୍ତି ସେହି ସମୟରେ ହଜାର ହଜାର ପ୍ରାଥମିକ ସ୍କୁଲ ବିଜୁଳି ସଂଯୋଗ ହୋଇନଥିବାର କଥା ମନ୍ତ୍ରୀଙ୍କ ବୟାନ ଜରିଆରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଜଣାପଡ଼ିଛି। ଗୃହରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ରାଜ୍ୟର ଅନ୍ୟୁନ ୨୧ ହଜାର ୬୫ଟି ବିଦ୍ୟାଳୟରେ ଖେଳ ପଡ଼ିଆ ଅଭାବ ରହିଛି। ସେହିପରି ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି। ଓଡ଼ିଶାରେ ଅନ୍ୟୁନ ୬ ହଜାର ୭୮୧ଟି ବିଦ୍ୟାଳୟରେ ପର୍ଯ୍ୟାପ୍ତ ଶ୍ରେଣୀଗୃହ ନଥିବା ବେଳେ ୬ ହଜାର ୧୧ଟି ବିଦ୍ୟାଳୟରେ ପର୍ଯ୍ୟାପ୍ତ ସଂଖ୍ୟକ ଶିକ୍ଷକ ନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶାରେ ବିଜୁଳି, ଖେଳ ପଡ଼ିଆ, ଆବଶ୍ୟକ ଶ୍ରେଣୀଗୃହ ଓ ଶିକ୍ଷକଙ୍କ ଭଳି ମୌଳିକ ଭିତ୍ତିଭୂମିର ଅଭାବ ଥିବା ସ୍କୁଲ ସଂଖ୍ୟା ଜାଣିବାକୁ ଚାହିଁ ବିଜେପି ବିଧାୟକ ପ୍ରଶ୍ନ କରିଥିଲେ।

ସେହିପରି ଓଡ଼ିଶାରେ ଗ୍ରସ୍ ଏନରୋଲମେଣ୍ଟ୍ ରେସିଓ ଓ ଡ୍ରପ୍ ଆଉଟ୍ ରେଟ୍ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରକାଶ କରିବାକୁ ସେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

୨୦୨୧-୨୨ ଶିକ୍ଷା ବର୍ଷରେ ଓଡ଼ିଶାର ପ୍ରାଥମିକ ସ୍ତରରେ ମୋଟ ନାମଲେଖା ଅନୁପାତ ୧୦୦.୩୨ ଥିଲା। ଉଚ୍ଚ ପ୍ରାଥମିକ ସ୍ତରରେ ଏହି ଅନୁପାତ ୯୨.୯୦ ଥିବା ବେଳେ ମାଧ୍ୟମିକ ସ୍ତରରେ ୮୦.୩୬ ଥିବା ମନ୍ତ୍ରୀ କହିଛନ୍ତି।

୨୦୨୧-୨୨ ଶିକ୍ଷାବର୍ଷରେ ଓଡ଼ିଶାରେ ପ୍ରାଥମିକ ସ୍ତରରେ ଡ୍ରପ୍ ଆଉଟ୍ ହାର ଶୂନ ଥିଲା। ଉଚ୍ଚ ପ୍ରାଥମିକ ସ୍ତରରେ ଏହି ସଂଖ୍ୟା ୭.୩୪ ଥିବା ବେଳେ ମାଧ୍ୟମିକ ସ୍ତରରେ ୨୭.୨୬ ଥିବା ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ କହିବାନୁସାରେ, ଗତ ଆଠ ବର୍ଷ ମଧ୍ୟରେ ରାଜ୍ୟ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ସମୁଦାୟ ୧୯ ହଜାର ୪୯୦ ଜଣ ଶିକ୍ଷା ସହାୟକ ନିଯୁକ୍ତ କରିଛନ୍ତି।

୨୦୧୪-୧୫ ଶିକ୍ଷାବର୍ଷରେ ରାଜ୍ୟ ସରକାର ୯ ହଜାର ୫୩୯ ଜଣ ଓ ୨୦୧୬-୧୭ ଶିକ୍ଷାବର୍ଷରେ ୯ ହଜାର ୯୫୧ ଜଣ ଶିକ୍ଷା ସହାୟକଙ୍କୁ ନିୟୁକ୍ତି ଦେଇଥିବା ମନ୍ତ୍ରୀ କହିଛନ୍ତି।

Comments are closed.