Latest Odisha News

ସାବାସ୍ କୁସୁମ୍‌: ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ ୧୫ ବର୍ଷର ଝିଅ

ପଞ୍ଜାବ: ସାହସିକତା ଦେଖାଇଲେ ୧୫ ବର୍ଷର କୁସୁମ । ଛୁରାମାଡ ସତ୍ତ୍ୱେ ଲୁଟେରାକୁ ମାଡିବସି ଧରିଲେ । ଫୋନ୍ ଛଡାଇ ନଉଥିବା ଦୁଇ ଲୁଟେରାକୁ କାବୁ କଲେ କୁସୁମ । ପଞ୍ଜାବ ଜଳନ୍ଧରର ଜଣେ ୧୫ ବର୍ଷୀୟ ନାବାଳିକାର ଏହି ସାହସିକତା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ପଞ୍ଜାବ ଜଳନ୍ଧରରେ କୁସୁମ କୁମାରୀ ନାମକ ନାବାଳିକା ରାସ୍ତାରେ ଯାଉଥିବା ସମୟରେ ଦୁଇ ଯୁବକ ବାଇକରେ ଆସି ତାଙ୍କ ମୋବାଇଲ ଛଡାଇ ନେଇଥିଲେ । କୁସୁମଙ୍କ ହାତରୁ ମୋବାଇଲ ଛଡାଇ ନେଇ ସେଠାରୁ ପଳାଇବାକୁ ଉଦ୍ୟମ କରିଥିଲେ ଦୁଇ ଯୁବକ । କିନ୍ତୁ କୁସୁମ ସାହସ ଦେଖାଇ ବାଇକ ପଛରେ ବସିଥିବା ଯୁବକର ସାର୍ଟ ଧରି ଘୋଷାଡ଼ି ଆଣିଥିଲେ । ଫଳରେ ସେ ତଳେ ପଡିଯାଇଥିଲା । ଦୁଇ ଯୁବକ ଘଟଣାସ୍ଥଳରେ ଫେରାର ହେବାକୁ ବହୁତ ଉଦ୍ୟମ କରିଥିଲେ କିନ୍ତୁ କୁସୁମ ତାଙ୍କୁ ଯିବାକୁ ଦେଇନଥିଲେ | ଦୁଇ ଯୁବକଙ୍କ ମଧ୍ୟରୁ ଜଣେ କୁସୁମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । କୁସୁମଙ୍କ ହାତରେ ଗଭୀର କ୍ଷତ ହୋଇଥିଲା । କିନ୍ତୁ ତଥାପି ହାର ମାନିନଥିଲେ କୁସୁମ ।

ବାଇକ ଚଲାଉଥିବା ଯୁବକ ସେଠାରୁ ଫେରାର ହେବାରେ ବିଫଳ ହୋଇଥିଲେ କିନ୍ତୁ ତାଙ୍କ ସହଯୋଗୀ ଫେରାର ହେବାରେ ସଫଳ ହୋଇଥିଲା । ଠିକ ସେତିକିବେଳେ ଜଣେ ବ୍ୟକ୍ତି ଘଟଣାସ୍ଥଳକୁ ଆସି କୁସୁମଙ୍କୁ ସାହାଯ୍ୟ କରିଥିଲେ । ବ୍ୟକ୍ତି ଜଣକ ଜଣେ ଯୁବକକୁ କାବୁ କରିଥିଲେ । ଏହାପରେ ଘଟଣାସ୍ଥଳରେ ଅନେକ ଲୋକ ଜମା ହୋଇଥିଲେ ଏବଂ ଦୁର୍ବୁତ୍ତକୁ ମାଡ ମାରିଥିଲେ । ଏହାପରେ ସ୍ଥାନୀୟ ଲୋକେ ଯୁବକକୁ ପୋଲିସକୁ ହସ୍ତାନ୍ତର କରିଥିଲେ । ମାମଲାରେ ଉକ୍ତ ଦୁର୍ବୁତ୍ତକୁ ପୋଲିସ ଗିରଫ କରିଛି ଓ ଅନ୍ୟ ଜଣକୁ ଖୋଜୁଛି । ଏହି ପୁରା ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କୁସୁମଙ୍କ ସାହସ ଦେଖି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ତାଙ୍କୁ ସାବାସୀ ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ମୁଁ ଏତିକି ଜାଣିିଛି ଡର ନଥିବାକୁ ସାହସ କୁହାଯାଏନି, ଡର ଉପରେ ବିଜୟ ହିଁ ପ୍ରକୃତ ସାହସ । ଭୟଭିତ ନହେବା ନିର୍ଭୟ ନୁହେଁ ବରଂ ଭୟକୁ ପରାସ୍ତ କରିବା ହିଁ ନିର୍ଭୟ ।

Leave A Reply

Your email address will not be published.