Latest Odisha News

୧୬ ଜଣଙ୍କୁ ଓଡିଶା ବିଜ୍ଞାନ ଏକାଡେମୀ ଆୱାର୍ଡ ପ୍ରଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ – ୨୦୨୩’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେଲଯେ, ଆମକୁ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢିବାକୁ ହେଲେ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନକୁ ବ୍ୟବହାର କରି ମାନବ ସମାଜର ବିକାଶ ପାଇଁ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ପଡ଼ିବ। ଆଜି ଭାରତୀୟ ବିଜ୍ଞାନ ମଧ୍ୟ ଖୁବ ଉଚ୍ଚରେ ଅଛି। ମହାକାଶ ବିଜ୍ଞାନରେ ଚନ୍ଦ୍ରୟାନ, ଆଦିତ୍ୟ, ମଙ୍ଗଳୟାନ, ଗଗନୟାନ ଭଳି ଅନେକ ସଫଳ ପରୀକ୍ଷଣ ଆମକୁ ବିଶ୍ୱରେ ଏକ ବୈଜ୍ଞାନିକ ବିକାଶଶୀଳ ଦେଶ ଭାବରେ ପ୍ରତିଷ୍ଠିତ କରି ପାରିଛି। ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ। ଆଜିର ଯୁଗର ସବୁଠାରୁ ଲୋକପ୍ରିୟ Science Sector ହେଉଛି IT Sector ଏବଂ ବିଶ୍ୱର ପ୍ରାୟ ସମସ୍ତ IT sector ରେ ଭାରତୀୟ ମାନେ ହିଁ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି।

ବର୍ତ୍ତମାନ ସମୟରେ ବୈଜ୍ଞାନିକ ଗବେଷଣା ଏକ ନୂତନ ଦିଗ୍‌ଦର୍ଶନ ଯେଗାଇପାରିଛି । ଆମ ରାଜ୍ୟରେ ମଧ୍ୟ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନ କୌଶଳର ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଆମର ଡିପ୍ ଟେକ୍ ଏବଂ ଫ୍ରଣ୍ଟିୟର ଟେକ୍ନୋଲୋଜି ପ୍ରୟାସର ଏକ ଅଂଶ ଭାବରେ, ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ ଚେନ୍, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଅଭିନବ ପ୍ରୟାସ ଉପରେ ବିଶେଷ ଧ୍ୟାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ।

ରାଜ୍ୟରେ ସାମୁଦ୍ରିକ ଜୈବ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସୁଦୃଢ କରିବା ପାଇଁ Odisha Marine Biotechnology Research & Innovation Corridor ନାମକ ଏକ ପ୍ଲାଟଫର୍ମ ପ୍ରତିଷ୍ଠା କରାଯିବ । ଏହି ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷାବିତ୍, ଗବେଷକ, ଭଦ୍ଭାବକ, ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରି ପୂର୍ବ ଉପକୂଳରେ ବଙ୍ଗୋପସାଗରର ଜୈବ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯିବ । ରାଜ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟୋରିୟମ, ବିଜ୍ଞାନ କେନ୍ଦ୍ରଗୁଡିୁକ ମଧ୍ୟରେ ଏକ ନେଟୱାର୍କ ମଧ୍ୟ ପ୍ରତିଷ୍ଠା କରାଯିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ, ଦିନକୁ ଦିନ ବିଜ୍ଞାନ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ି ଚାଲିଛି କାରଣ ଆଜି ଆମମାନଙ୍କର ଜୀବନଶୈଳୀ, ବିଜ୍ଞାନ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇଅଛି। ଏଣୁ ଯିଏ ବିଜ୍ଞାନରେ ଶକ୍ତିଶାଳୀ ହେବ, ପ୍ରକୃତରେ ସେ ଶକ୍ତିଶାଳୀ ।

ଏହି ଅବସରରେ, ମୁଖ୍ୟମନ୍ତ୍ରୀ ପ୍ରଫେସର ରାଜ କିଶୋର ପରମଗୁରୁ, ଡ଼କ୍ଟର ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣ ଚନ୍ଦ୍ର ମହାନ୍ତି, ଡକ୍ଟର ରଘୁପତୃଣି ଭୀମା ରାଓ, ପ୍ରଫେସର ମଳୟ କୁମାର ମିଶ୍ର ପ୍ରମୁଖଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରିଥିବା ବେଳେ, ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ଭାବରେ ରବୀନ୍ଦ୍ରନାଥ ମାଝୀ ଓ ତୁଳସୀ ସ୍ୱାଇଁଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ଦିଆଯାଇଥିବା ବେଳେ ଡକ୍ଟର ସଙ୍ଘମିତ୍ରା ସାମନ୍ତରାୟ, ଡକ୍ଟର ବେଦାଙ୍ଗଦାସ ମହାନ୍ତି, ପ୍ରଫେସର ସୁବ୍ରତ କୁମାର ପଣ୍ଡା, ପ୍ରଫେସର ପିନାକି ଦତ୍ତଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଓ ଯୁବ ବୈଜ୍ଞାନିକ ପୁରସ୍କାରରେ ଡକ୍ଟର ସରିତ ଶେଖର ପଟ୍ଟନାୟକ, ଡକ୍ଟର ଅପ୍ରମିତା ଚାନ୍ଦ, ଡକ୍ଟର ରାଜେଶ କୁମାର ପୃଷ୍ଟି ଓ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Comments are closed.