Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା

ଭୁବନେଶ୍ବର : କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଉପକୃତ ହେବେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି । କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି । କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ସେହିପରି କୋଭିଡର ଦ୍ବିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି । ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି । ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଞ୍ଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । NREGS ଯୋଜନାରେ କାମ କରୁଥିବା ଶ୍ରମିକମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ସହାୟତା ଭାବରେ ଦିଆଯିବ । ଏପ୍ରିଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ ।

Leave A Reply

Your email address will not be published.