Latest Odisha News

BREAKING NEWS

୧୭ ବର୍ଷ ପରେ ବି ସ୍କୁଲରେ ନାହିଁ ନଳକୂପ, ଛାତ୍ରଛାତ୍ରୀଙ୍କୁ ଭରସା ନଦୀ ପାଣି

ଗଜପତି: ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ସୁବ୍ୟବସ୍ଥା କରୁଛନ୍ତି ବୋଲି ଡେଙ୍ଗୁରା ପିଟୁଛନ୍ତି। ହେଲେ ମୋହନା ବ୍ଲକ ଡିମ୍ବିରିପଙ୍କାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ନଳକୂପ କିମ୍ବା ହ୍ୟାଣ୍ଡପମ୍ପ ନଥିବାରୁ ଛାତ୍ରଛାତ୍ରୀମାନେ ନଦୀ ଓ ନାଳର ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଯାହା ବ୍ୟବସ୍ଥା ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଉ ଏହି ସମସ୍ୟା ଏବେର ନୁହଁ ବରଂ ଦୀର୍ଘ ବର୍ଷର।

ଏହି ବିଦ୍ୟାଳୟରେ ଡିମ୍ବିରିପଙ୍କାଳ, ରାଜିମେରା, ବାଲିପଙ୍କ, ଲୁଣ୍ଡରିସାହି ଆଦି ଅଞ୍ଚଳରୁ ୬୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପାଠ ପଢନ୍ତି। ମଧ୍ୟାହ୍ନ ଭୋଜନ ଖାଇ ସାରିବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ଲେଟ୍ ଧୋଇ ସେହି ଦୂଷିତ ଉତ୍ସରୁ ପାଣି ପିଇଥାନ୍ତି।

ଆମ ସ୍କୁଲରେ କୌଣସି ହ୍ୟାଣ୍ଡପମ୍ପ ନାହିଁ। ତେଣୁ ବାଧ୍ୟ ହୋଇ ନଦୀ ପାଣିରେ ହାତ ଓ ଥାଳି ସଫା କରିବାକୁ ପଡୁଛି ବୋଲି ଦମନିକ ମଲ୍ଲିକ କହିଛନ୍ତି।  ଏହି ସ୍କୁଲରେ ପିଇବା ପାଣି ଏକ ଚିରଦିନିଆ ସମସ୍ୟା। ଜଣେ ଅଭିଭାବକ ମିନି ମାଲାବିସୋଇ କହିଛନ୍ତି, ଆମ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଇ ପାଖ ଝରଣାକୁ ବାସନ ଧୋଇବାକୁ ଯାଆନ୍ତି। ଏପରିକି ସେମାନଙ୍କୁ ସେହି ପାଣି ପିଇବାକୁ ପଡ଼ିଥାଏ।

ଏପରିକି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତିମି ଗମାଙ୍ଗ ମଧ୍ୟ ଏହି ସମସ୍ୟାକୁ ସ୍ୱୀକାର କରିଛନ୍ତି। “ଆମ ସ୍କୁଲରେ ୨୦୦୬ ମସିହାରୁ ପିଇବା ପାଣି ସମସ୍ୟା ରହିଛି ବୋଲି ସେ କହିଛନ୍ତି। ନିକଟସ୍ଥ ନଦୀ ଓ ଝରଣାରୁ ପାଣି ପିଇବା ଛଡ଼ା ଅନ୍ୟ କୌଣସି ବିକଳ୍ପ ନାହିଁ ଛାତ୍ରଛାତ୍ରୀଙ୍କ ପାଖରେ।

ସହକାରୀ ବ୍ଲକ ଶିକ୍ଷା ଅଧିକାରୀ କୁନା ପାତ୍ର କହିଛନ୍ତି ଯେ, ପାଣି, ବିଜୁଳି, ବିଦ୍ୟାଳୟ କୋଠା ସମସ୍ୟା ପଞ୍ଚାୟତରାଜ ବିଭାଗ ଅଧୀନରେ ରହିଛି କହି ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସେମାନେ ବିଡିଓଙ୍କୁ ଅବଗତ କରାଇ ସାରିଛନ୍ତି ଏବଂ ବିଡିଓ ଏହାର ସମାଧାନ ନ କଲେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏହି ସମସ୍ୟାକୁ ବଢାଇ ଦିଆଯିବ।

Comments are closed.