ଭୁବନେଶ୍ୱର: ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ସ୍କୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଗୁରୁବାର ଅନୁଷ୍ଠିତ ହେବ । ରବୀନ୍ଦ୍ରମଣ୍ଡପରେ ଆୟୋଜିତ ହେବାକୁ ଥିବା ଏହି ଉତ୍ସବ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ନୃତ୍ୟ ଏବଂ ସଙ୍ଗୀତ କ୍ଷେତ୍ରରେ କିମ୍ବଦନ୍ତୀ ଗୁରୁ ତଥା ଯୁବଶିଳ୍ପୀ ଓ ଶିଶୁ କଳାକାରମାନଙ୍କୁ ସମ୍ମାନ ପ୍ରଦାନ କରିବା ତଥା ସେମାନଙ୍କର କଳାର ପ୍ରଚାର ଓ ପ୍ରସାର କରିବା ହେଉଛି ଏହି ଉତ୍ସବ ମୂଳ ଉଦ୍ଦେଶ୍ୟ । ଏଥିସହିତ ଓଡ଼ିଶୀ ନୃତ୍ୟ ତଥା ଓଡ଼ିଶାର ଆଦିବାସୀ ନୃତ୍ୟ, ଲୋକ ନୃତ୍ୟ, ପାରମ୍ପାରିକ ନୃତ୍ୟ କ୍ଷେତ୍ରରେ ଗୁରୁ ଦେବପ୍ରସାଦ ଦାସଙ୍କ ଘରାନାକୁ ପ୍ରଦର୍ଶନ ଓ ପ୍ରୋତ୍ସାହିତ କରିବା ।
ଚଳିତ ବର୍ଷ କିମ୍ବଦନ୍ତି ଚିତ୍ରଶିଳ୍ପୀ, ପଥରଶିଳ୍ପୀ ଓ ବ୍ୟଙ୍ଗାତ୍ମକ ଚିତ୍ରଶିଳ୍ପୀ ଯତିନ୍ ଦାସଙ୍କୁ ଆଜୀବନ ଚିତ୍ରକଳା ସାଧନା ନିମନ୍ତେ ଗୁରୁ ଦେବପ୍ରସାଦ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାଡ଼ ୨୦୨୩ ପ୍ରଦାନ କରାଯିବ । ସେହିପରି ଓଡ଼ିଶୀ ନୃତ୍ୟ କ୍ଷେତ୍ରରେ ଅମୂଲ୍ୟ ଅବଦାନ ପାଇଁ ଇଲିୟାନା ସିତାରିଷ୍ଟୀ; କଥକ ନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଦୁଇ ଭଉଣୀ କମଳିନୀ ଅସ୍ଥାନା ଓ ନଳିନୀ ଅସ୍ଥାନା, ଭାରତନାଟ୍ୟମ୍ ନୃତ୍ୟରେ ପ୍ରସିଦ୍ଧି ଲାଭ କରିଥିବା ପ୍ରତିଭା ପ୍ରହଲ୍ଲାଦ ଏବଂ ଶାତ୍ରୀୟ ନୃତ୍ୟ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଗୁରୁ ରାମକ୍ରୀଷ୍ଣା ତାଲୁକଦାରଙ୍କୁ ଗୁରୁ ଦେବପ୍ରଦାସ ସମ୍ମାନ ୨୦୨୩ ପ୍ରଦାନ କରାଯିବ । ସେହିଭଳି ଗୁରୁ ଦେବପ୍ରସାଦ ଯୁବ ପ୍ରତିଭା ସମ୍ମାନ ୨୦୨୩ ଓଡ଼ିଶୀ ନୃତ୍ୟରେ ଗୁରୁ ସୋନାଲୀ ମହାପାତ୍ର ଓ ଦୀପିକା ପ୍ରୀୟଦର୍ଶୀନୀଙ୍କୁ ପ୍ରଦାନ କରାଯିବ ।
ଚଳିତ ବର୍ଷ ସମ୍ମାନ ପ୍ରଦାନ ଉତ୍ସବରେ ଅନୁଷ୍ଠିତ ହେବାକୁ ଥିବା ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଗୁଡ଼ିକ ହେଲା ୨୬ ତାରିଖ ସଂଧ୍ୟାରେ ତ୍ରିଧାରା ଅନୁଷ୍ଠାନ ଦ୍ୱାରା ଓଡ଼ିଶୀ ଦଳଗତ ନୃତ୍ୟ ରାମ କଥାମୃତମ୍ ସହିତ ତରୁଣ ଭଟ୍ଟାଚାର୍ଯ୍ୟଙ୍କ ଦ୍ୱାରା ସନ୍ତୁର ବାଦନ, ରନୁ ମଜୁମ୍ଦାରଙ୍କ ଦ୍ୱାରା ବଂଶୀ ବାଦନ ଓ ପ୍ରଶ୍ନଜିତ୍ ପୋଦାରଙ୍କ ଦ୍ୱାରା ତବଲା ବାଦନ ପରିବେଷିତ ହେବ । ସେହିପରି ୨୭ ତାରିଖ ସନ୍ଧ୍ୟାରେ ସୋନାଲି ମହାପାତ୍ରଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, ୟାଲ୍ଲା ଭେଙ୍କଟେଶ୍ୱର ରାଓଙ୍କ ଦ୍ୱାରା ମୃଦଙ୍ଗମ୍ ବାଦନ, ପଣ୍ଡିତ ମନୋଜ କେଡ଼ିଆ ଓ ପଣ୍ଡିତ ମୋରମୁକୁଟ୍ କେଡ଼ିଆଙ୍କ ଦ୍ୱାରା ସୀତାର ଓ ସରଦ୍ ଯୁଗଳବନ୍ଦୀ ପରିବେଷିତ ହେବ । ୨୮ ତାରିଖ ସନ୍ଧ୍ୟାରେ ବାଗ୍ମିଶ୍ରୀ ଦାସଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, ଗୁରୁ ଧନେଶ୍ୱର ସ୍ୱାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଦ୍ୱାରା ଦୈତ୍ୟ ମର୍ଦ୍ଦଳ ବାଦନ ଏବଂ ଶିବ ପ୍ରସାଦ ରଥଙ୍କ ଦ୍ୱାରା ଶାସ୍ତ୍ରୀୟ ସଙ୍ଗୀତ ଗାୟନ ପରିବେଷଣ କରାଯିବ ।
ଆସନ୍ତା ୨୯ ତାରିଖ ସନ୍ଧ୍ୟାରେ ଇଲିୟାନା ସିତାରିଷ୍ଟିଙ୍କ ଦ୍ୱାରା ଏକକ ଓଡ଼ିଶୀ ନୃତ୍ୟ, କଳା ବିକାଶ କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ଓଡ଼ିଶୀ ନୃତ୍ୟ, ରାମକ୍ରୀଷ୍ଣ ତାଲୁକ୍ଦାୟର ଓ ରୁମୀ ତାଲୁକ୍ଦାସରଙ୍କ ଦ୍ୱାରା ଦୈତ୍ୟ ଶାତ୍ରୀୟ ନୃତ୍ୟ ପରିବେଷଣ କରାଯିବ । ଶେଷରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପାରିକ ସଙ୍ଗୀତ ଗାୟନ କରାଯିବ । ୩୦ ତାରିଖ ସନ୍ଧ୍ୟାରେ ପୁରସ୍କାର ପ୍ରଦାନ ଉତ୍ସବ ସହିତ ପ୍ରତିଭା ପ୍ରହଲ୍ଲାଦଙ୍କ ଦ୍ୱାରା ଏକକ ଭାରତନାଟ୍ୟମ୍ ନୃତ୍ୟ, କମଲିନୀ ଅସ୍ଥାନା ଓ ନଳିନୀ ଅସ୍ଥାନାଙ୍କ ଦ୍ୱାରା ଦୈତ୍ୟ କଥକ ନୃତ୍ୟ ଏବଂ ଶେଷରେ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ବୃନ୍ଦାବନ ଗୁରୁକୁଳ ଦ୍ୱାରା ବଂଶୀ ବାଦନ ପରିବେଷିତ ହେବ ।
ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଏହି ପାଞ୍ଚଦିନିଆ ଆନ୍ତର୍ଜାତୀୟ ସମ୍ମାନ ପ୍ରଦାନ ଉତ୍ସବକୁ ସମସ୍ତ ନୃତ୍ୟ, ସଙ୍ଗୀତ ତଥା କଳାପ୍ରେମୀ ଦର୍ଶକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଉପଭୋଗ କରିବା ପାଇଁ ତ୍ରିଧାରା ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଗୁରୁ ଗଜେନ୍ଦ୍ର ପଣ୍ଡା ଅନୁରୋଧ କରିଛନ୍ତି ।
Comments are closed.